Wed. Oct 14th, 2026
ମାନାମା ବାହାରିନ : ଗୌରବମୟ ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ସ୍ମୃତି ସ୍ୱରୂପ ବୋଇତ ବନ୍ଦାଣ ଉତ୍ସବ ପାରମ୍ପରିକ ରୀତିନୀତି ସହିତ ବାହାରିନ ଓଡ଼ିଆ ସମାଜ ଦ୍ୱାରା ପାଳିତ ହୋଇଯାଇଛି । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଶୁଭ ଅବସରରେ ବାହାରିନ ଓଡ଼ିଆ ସାମାଜର ପ୍ରତିଷ୍ଠାତା ସଭାପତି ଡ. ଅରୁଣ କୁମାର ପ୍ରହରାଜଙ୍କ ନେତୃତ୍ୱରେ ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନେ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ଆ-କା-ମା ବୈ ଲୋକଗୀତି ସହିତ କୋଣାର୍କ ଚକ୍ର, ଭାରତୀୟ ଜାତୀୟ ପତାକା, ପାନ ଗୁଆ, କଦଳୀପତ୍ର, ପୁଷ୍ପ ଓ ଆଲୋକରେ ସୁଶୋଭିତ ସ୍ମାରକ ବୋଇତକୁ ଧୂପ ଦ୍ବୀପ ସହିତ ଆରବ ସାଗରରେ ବନ୍ଦନା କରିଛନ୍ତି ।
ବିଶେଷ କରି ଓଡ଼ିଆ ଭଉଣୀମାନେ ଓଡ଼ିଆଣୀ ବେଶରେ “ଆ-କା-ମା-ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର” ପାରମ୍ପରିକ ଗୀତି ସହିତ ଏହି ବୋଇତ ବନ୍ଦନା କରିଛନ୍ତି । ପରେ ପରେ ମାନମା ସ୍ଥିତ ଦୁଇଶହ ବର୍ଷ ପୁରାତନ ଶ୍ରୀନାଥଜୀ ମନ୍ଦିର ଦର୍ଶନ କରିଥିଲେ ।

ଏହି ଅବସରରେ ଉପସ୍ଥିତ ଓଡ଼ିଆ ଭାଇ ଭଉଣୀଙ୍କୁ ଉଦବୋଧନ ଦେଇ ଡ. ପ୍ରହରାଜ କହିଲେ ଯେ ଏହି ବୋଇତ ମାଧ୍ୟମରେ ଓଡ଼ିଆ ସାଧବପୁଅ ସାତ ଦରିଆ ପାରି ହୋଇ ଓଡ଼ିଶାର ଗ୍ରାମ୍ୟ ଉତ୍ପାଦିତ ଦ୍ରବ୍ଯ ବିଦେଶରେ ବାଣିଜ୍ୟ କରିବାକୁ ଯାଉଥିଲେ । ଓଡ଼ିଶାର ମହାନଦୀରୁ ଏହି ଯାତ୍ରା ଆରମ୍ଭ ହୋଇ କଳିଙ୍ଗ ସାଗରଦେଇ ସେମାନେ ବାଲି ବର୍ତ୍ତମାନର ଇଣ୍ଡୋନେସିଆ ତଥା ବୋର୍ଣ୍ଣିଓ, ଜାଭା, ସୁମାତ୍ରା ଆଦି ଅଞ୍ଚଳରେ ବାଣିଜ୍ୟ କରୁଥିଲେ ଏବଂ ଫେରିବା ବାଟରେ ନାନାଦି ବିଦେଶୀ ଦ୍ରବ୍ୟ ସହିତ ଓଡ଼ିଶାକୁ ସମୃଦ୍ଧି ନେଇ ଫେରୁଥିଲେ । ସାଧଵମାନଙ୍କ ଶୁଭଯାତ୍ରା ମଙ୍ଗଳ କାମନା କରି ସାଧବ ବୋହୂ ମାନେ ବୋଇତର ବନ୍ଦନା କରି ଥାଆନ୍ତି । ଏହାର ସ୍ମାରକୀ ସ୍ୱରୂପ ଆଜି ବି କଟକ ମହାନଦୀ ପଠାରେ ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ ।
ଏହି ସ୍ମାରକୀ ଉତ୍ସବକୁ ଆଜି ସମୟରେ ଯୁବ ସମାଜ ରପ୍ତାନୀ ଆମଦାନୀ ଭିତ୍ତିକ ବାଣିଜ୍ୟ ମାଧ୍ୟମରେ ବାସ୍ତବ ଉତ୍ସବରେ ପରିଣତ କରିବାର ସମୟ ଆସିଛି । ଏହାଦ୍ୱାରା ଓଡ଼ିଶାର ଉତ୍ପାଦିତ ଦ୍ରବ୍ୟ ବିଶ୍ଵବ୍ୟାପୀ ବିପଣନ ହେବା ସହିତ ଓଡ଼ିଶା ଆର୍ଥିକ ସମୃଦ୍ଧି ଲାଭ କରି ପାରିବ ବୋଲି ଡ. ପ୍ରହରାଜ କହିଛନ୍ତି ।

ଭାରତ ସ୍ବାଧୀନତାର ଅମୃତ ମହୋତ୍ସବ ଓ ଭାରତ ବାହାରିନ କୂଟନୈତିକ ସମ୍ପର୍କର ସୁବର୍ଣ୍ଣ ଜୟନୀ ଅବସରରେ ଏହି କାର୍ଯ୍ୟକ୍ରମ କୁ ବିଶେଷ ଆନନ୍ଦ ଉଲ୍ଲାସ ସହିତ ବାହାରିନ ଓଡ଼ିଆ ସମାଜ ପାଳନ କରିଥିବା ବେଳେ ବାହାରିନ ନାଗରିକ ଅତ୍ୟନ୍ତ ଉତ୍ସାହ ଓ ଆଗ୍ରହ ସହିତ ଏହି ଉତ୍ସବକୁ ଉପଭୋଗ କରିବା ଓ ପ୍ରଶଂସା କରୁଥିବା ଦେଖାଯାଇଥିଲା ।

ଏହିପରି ଏକ ସାଂସ୍କୃତିକ ସ୍ୱାଧୀନତା ଦେଇଥିବାରୁ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଡ. ପ୍ରହରାଜ ଭାରତୀୟ ଦୂତାବାସ, ବାହାରିନ ସରକାରଙ୍କ ସମେତ ସ୍ଥାନୀୟ ପ୍ରଶାସନ କୁ ଧନ୍ୟବାଦ ଅର୍ପଣ କରିଛନ୍ତି।

Leave a Reply

Your email address will not be published. Required fields are marked *