Wed. Oct 14th, 2026

ପୁରୀରେ ରଥଯାତ୍ରା ସମୟରେ ଶ୍ରୀମନ୍ଦିର ସିଂହଦ୍ୱାରର କରାଯିବ ରୂପା ଛାଉଣୀ। ବାହୁଡ଼ା ପୂର୍ବରୁ ଏହି କାର୍ଯ୍ୟ ସାରିବା ପାଇଁ ଲକ୍ଷ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ତେବେ ଏହି ସମୟରେ ସେବାୟତଙ୍କ ଯିବା ଆସିବା ଓ ନୀତିକାନ୍ତି ସମ୍ପାଦନ ପାଇଁ ଅସ୍ଥାୟୀ ସିଂହଦ୍ଵାର ନିର୍ମାଣ କରାଯିବ। ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ପ୍ରହରା ସହ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ କରାଯିବ।‌ ଏଥିପାଇଁ ଦାତା ରୂପା ଦାନ କରିବା ସହ ଅଭିଜ୍ଞ କାରିଗର ସିଂହଦ୍ଵାର ଅନୁଧ୍ୟାନ କରିଛନ୍ତି। ଡିଜାଇନ୍ କାର୍ଯ୍ୟ ନିଳାଦ୍ରୀ ଭକ୍ତ ନିବାସ ଓ ଛାଉଣୀ ବା ସ୍ଥାପନ କାର୍ଯ୍ୟ ସିଂହଦ୍ଵାର ଠାରେ କରାଯିବ। ଏଥିପାଇଁ ଏଏସାଆଇ ପକ୍ଷରୁ ସମସ୍ତ ଅନୁମତି ମିଳିସାରିଛି। ସେହିପରି ମହାପ୍ରଭୁଙ୍କ ରତ୍ନ ପଲଙ୍କର ଆଉ ଏକ ନୂତନ ସେଟ୍ ନିର୍ମାଣ ହେବା ସହ ପୁରୁଣା ରତ୍ନ ପଲଙ୍କର ଆବଶ୍ୟକ ମରାମତି କରାଯିବ। ପୁରୁଣା ରତ୍ନ ପଲଙ୍କ ପରି ନୂତନ ରତ୍ନ ପଲଙ୍କର ଓଜନ ସମାନ ରହିବ। ରତ୍ନ ପଲଙ୍କରେ ହାତୀ ଦାନ୍ତ ସଂଯୋଗ ହୋଇଥିବାରୁ ନୂଆ ହାତୀ ଦାନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ପରିଚାଳନା କମିଟି ସଦସ୍ୟ। ନୂଆ ହାତୀଦାନ୍ତ ନମିଳିଲେ ପୁରୁଣା ହାତୀ ଦାନ୍ତରେ ରତ୍ନ ପଲଙ୍କ ତିଆରି କରାଯିବ। ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ ସମୟରେ ସେବାୟତଙ୍କ ବ୍ୟତୀତ କୌଣସି ଭକ୍ତଙ୍କୁ ସେହି ବାଟ ଦେଇ ଛଡାଯିବ ନାହିଁ। ସେହି ସମୟରେ ଭକ୍ତମାନେ ଉତ୍ତର କିମ୍ବା ଦକ୍ଷିଣ ଦ୍ଵାର ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ। ଅସ୍ଥାୟୀ ସିଂହଦ୍ଵାର ନିର୍ମାଣର ଢାଞ୍ଚା, ନିର୍ମାଣ ଶୈଳୀ ଓ ଡିଜାଇନ୍ ସିଂହଦ୍ଵାର ଭଳି ଅକ୍ଷୁର୍ଣ୍ଣ ରଖାଯିବ। ବାହୁଡା ପୂର୍ବଦିନ ହିଁ ସିଂହଦ୍ଵାର ରୂପା ଛାଉଣୀ କାର୍ଯ୍ୟ ଶେଷ କରିବାକୁ ଲକ୍ଷ ରଖିଛି ଶ୍ରୀମନ୍ଦିର ପ୍ରଶାସନ। ଆଜି ଶ୍ରୀମନ୍ଦିର କୋର କମିଟି ଓ ପରିଚାଳନା କମିଟି ସଦସ୍ୟ ମାନେ ଯାଇ ସିଂହଦ୍ଵାରର ଅନୁଧ୍ୟାନ କରିଛନ୍ତି। ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ବାରର ରୂପା ଛାଉଣୀ ହୋଇଥିଲା। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଅଧ୍ୟକ୍ଷତା କରିଥିବା ବେଳେ ଏଥିରେ ଶ୍ରୀମନ୍ଦିର କୋର କମିଟି ସଦସ୍ୟ, ବରିଷ୍ଠ ଅଧିକାରୀ ଓ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *