Wed. Oct 14th, 2026

କୋରାପୁଟ ; କୋଟିଆ ଆମର । କେବଳ ଓଡିଶା ମାଟିର । କୋଟିଆ ଓଡ଼ିଶାର,ଏ ପରିଚୟକୁ ଅଧିକ ସୁଦୃଢ କରିବାକୁ କୋଟିଆରେ ପୁଣି ଏକ ନୂଆ ପଦକ୍ଷେପ ନେଲେ ଇଫିଏ ସଂସ୍ଥା (ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ) । ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲ୍ଲାର କୋଟିଆ ଅଂଚଳର ମାନଚିତ୍ର ସ୍ପଷ୍ଟ। ଓଡ଼ିଶା ସରକାର ନିଜ ଦାବିକୁ ସଠିକ ଭାବେ ଉପସ୍ଥାପନ କରି ପାରିଲେ  ସମଗ୍ର କୋଟିଆ ଅଂଚଳ  ଓଡିଶା ସୀମା ମଧ୍ୟରେ ରହିଥିବା କଥା, ସ୍ପଷ୍ଟ ଭାବେ ଉଚ୍ଚତମ ନ୍ୟାୟାଳୟରେ ମଧ୍ୟ ପ୍ରମାଣ କରିହେବ । କୋଟିଆକୁ ନେଇ ଆନ୍ଧ୍ରପ୍ରଦେଶର ଅନପ୍ରବେଶ ବିରୁଦ୍ଧରେ ଓଡ଼ିଶାର ନିରନ୍ତର ସଂଗ୍ରାମକୁ ଶକ୍ତି ଦେବା ପାଇଁ ଆମ କୋଟିଆ ସଂଗଠନ ସମେତ ଅନେକ ସ୍ଥାନୀୟ ଓ ରାଜ୍ୟ ସ୍ତରୀୟ ଅନୁଷ୍ଠାନ ଓ ସଂଗଠନ ବିଭିନ୍ନ ସମୟରେ ନୂତନ ତଥ୍ୟ ଓ ପ୍ରମାଣ ଯୋଗାଇ ଓଡ଼ିଶାର ଦାବିକୁ ଶକ୍ତି ପ୍ରଦାନ କରିଛନ୍ତି । ଆଜି ଏହି ସଂଗ୍ରାମର ଯାତ୍ରାରେ ଇଷ୍ଟର୍ନ ଇଣ୍ଡିଆ ଫିଲାଟେଲିକ ଆସୋସିଏସନ, ଇଫିଏର ବରିଷ୍ଠ କର୍ମକର୍ତ୍ତା ଅନୀଲ ଧୀର ଓ ବିଶ୍ୱଜିତ ମହାନ୍ତିଙ୍କ ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଳାପାଳ ସଂଜୀବ ହୋତା କୋଟିଆ ପୋଷ୍ଟ ଅଫିସ ଯାଇ ସ୍ୱତନ୍ତ୍ର କୋଟିଆ ନାଁ ମୁଦ୍ରିତ ଲଫାଫାର ଉନ୍ମୋଚନ କରିଥିଲେ । ଏବଂ ସେହି ପୋଷ୍ଟ ଅଫିସରୁ ଦେଶର ବିଭିନ୍ନ ସ୍ଥାନକୁ ଶତାଧିକ ଲଫାଫା କୋଟିଆ ପୋଷ୍ଟ ଅଫିସ ମୁଦ୍ରା ସହ ପ୍ରେରଣ କରିଥିଲେ ।

କୋଟିଆର ପୋଷ୍ଟାଲ ଇଂଡ଼େକ୍ସ କୋଡ଼  ୭୬୪୦୩୯ ଓଡିଶା ପୋଷ୍ଟାଲ ଡିଭିଜନ  ଅଧିକୃତ ହୋଇଥିବା ଯୋଗୁଁ  କେନ୍ଦ୍ର ସରକାର ଏହି ନମ୍ବର ମାଧ୍ୟମରେ କୋଟିଆକୁ ଓଡ଼ିଶାର ବୋଲି ସ୍ୱୀକୃତି ପ୍ରଦାନ କରିଛନ୍ତି ବୋଲି ଶ୍ରୀ ଧୀର ମତବ୍ୟକ୍ତ କରିଛନ୍ତି । ସୁପ୍ରିମ କୋର୍ଟରେ କୋଟିଆକୁ ନିଜର ବୋଲି ଦାବି କରି ଓଡିଶା ସରକାର ବିଭିନ୍ନ ଦଲିଲ ଉପସ୍ଥାପନ କରିଛନ୍ତି ।ତେବେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଡାକ ବିଭାଗର କୋଟିଆକୁ ଓଡ଼ିଶାର ପିନ କୋଡ଼ ପ୍ରଦାନ କରାଯାଇଥିବା ତଥ୍ୟ ଓଡ଼ିଶାର ପକ୍ଷକୁ ଅଧିକ ମଜଭୁତ କରିବ ବୋଲି ଇଫିଏ ର ଅନ୍ୟତମ ସଦସ୍ୟ ବିଶ୍ୱଜିତ ମହାନ୍ତି ଆଶା କରିଛନ୍ତି ।

କୋଟିଆ ଯେ ଓଡିଶାର ତାହା ସମସ୍ତଙ୍କୁ ଜଣାଇବା ପାଇଁ କୋଟିଆ ରୁ କୋଟିଆ ର ସ୍ଵତନ୍ତ୍ର ଲଫାଫା ରେ ଚିଠି ପ୍ରେରଣ କରିବାର ଅଭିଯାନ ଆରମ୍ଭ ହୋଇଥିବା ଶ୍ରୀ ସଂଜୀବ ହୋତା ଜଣାଇଛନ୍ତି । ସ୍ଵାଧୀନତା ପୂର୍ବରୁ ବ୍ରିଟିଶ ସରକାରଙ୍କ ଦ୍ବାରା ୧୯୪୫ ମସିହାରେ ପାଟନା ରେ ପ୍ରସ୍ତୁତ କରାଯାଇଥିବା ମାନଚିତ୍ରରେ କୋଟିଆ ପଂଚାୟତ ଅନ୍ତର୍ଗତ ପଟ୍ଟାଙ୍ଗି-ତାଡିବାଲାସା ହେରିଟେଜ ରୋଡ଼ ଓଡ଼ିଶାର ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ଥିବା ଯୋଗୁଁ ସମଗ୍ର କୋଟିଆ ଅଂଚଳ ଯେ ଓଡିଶା ସୀମା ମଧ୍ୟରେ ରହିଛି  ତାହା ସୁସ୍ପଷ୍ଟ ।

କୋରାପୁଟରୁ ଦିଲ୍ଲୀପ କୁମାର ମହାନ୍ତିଙ୍କ ରିପୋର୍ଟ,ଶବ୍ଦ ମିଡିଆ

କୋଟିଆ ପଂଚାୟତର ନେରେଡିବାଲାସା, ତାଡିବାଲାସା, ଏଲାଙ୍ଗାବାଲାସା ଭଳି ଗ୍ରାମ ଗୁଡିକରେ ଜୟପୁର ଜମିଦାରୀରେ ଖଜଣା  ବାନ୍ଧିଥିବା କାଗଜ ପତ୍ର, ଛୋଟ ବଡ ମାନଚିତ୍ର ଭଳି ପ୍ରମାଣ ଓଡିଶା ସପକ୍ଷରେ ବାରମ୍ବାର ଉପସ୍ଥାପନା କରାଯାଇ କୋଟିଆ ଯେ ଓଡିଶାର ଏହି ପ୍ରସଙ୍ଗକୁ ଜାହିର୍ କରାଯାଇଛି । ତେଣୁ ଆନ୍ଧ୍ର ସରକାରଙ୍କ ନିକଟରେ ଡାକ ବିଭାଗ ଦ୍ଵାରା ସ୍ଵୀକୃତ କୋଟିଆ ପିନ କୋଡ଼ ଭଳି ବଳିଷ୍ଠ ତଥା  ସ୍ପଷ୍ଟ ପ୍ରମାଣକୁ ଉପସ୍ଥାପନ କରି କୋଟିଆରେ ଆନ୍ଧ୍ରର ଅନଧିକାର ପ୍ରବେଶକୁ ରୋକିବା ଦିଗରେ ଓଡିଶା ରାଜ୍ୟ ସରକାର ସକ୍ଷମ ହେବେ ବୋଲି ଆଶା ପୋଷଣ କରାଯାଇଛି  ।

Leave a Reply

Your email address will not be published. Required fields are marked *