ପୁରୀ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଯୁବ ଉତ୍ସବ ପାଳନ ନିମିତ୍ତ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆଜି ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୁବ ବର୍ଗ ମଧ୍ୟରେ ଥିବା ପ୍ରତିଭାର ବିକାଶ ଓ ଉନ୍ମେଷ ପାଇଁ ଏହା ଏକ ଉପଯୁକ୍ତ ମାଧ୍ୟମ ହୋଇ ଥିବାରୁ ଅଧିକରୁ ଅଧିକ ଯୁବ ବର୍ଗଙ୍କୁ ଏଥିରେ ସାମିଲ ପାଇଁ ପରାମର୍ଶ ଦେଇଥିଲେ। ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ଜୟ ଶଙ୍କର ଜୋଶୀ ସମସ୍ତଙ୍କୁ ସ୍ୱାଗତ ସହ କାର୍ଯ୍ୟକ୍ରମର ରୂପରେଖ ସମ୍ପର୍କରେ ଅବଗତ କରାଇଥିଲେ। ଚଳିତ ମାସ ୩୦ ତାରିଖ ପୂର୍ବାହ୍ନ ୧୦ ଘଟିକାରେ ସଦାଶିବ ସଂସ୍କୃତ ବିଶ୍ୱବିଦ୍ୟାଳୟ ପରିସରରେ ୧୫ରୁ ୨୯ ବର୍ଷ ବୟସର ପ୍ରତିଯୋଗୀଙ୍କ ମଧ୍ୟରେ ଚିତ୍ରାଙ୍କନ, ପ୍ରବନ୍ଧ, ଫଟୋଗ୍ରାଫି, ବକ୍ତୃତା ଓ ଦଳଗତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେହିପରି ଅପରାହ୍ନରେ ଯୁବ ଉତ୍ସବ ଭାରତ ୨୦୪୭ ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ପ୍ରତିଯୋଗିତା ସମ୍ପର୍କରେ ନେହେରୁ ଯୁବ କେନ୍ଦ୍ର ସଂଯୋଜକଙ୍କୁ ୭୦୦୮୭୩୫୫୬୩ ରେ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି। ଏହି ବୈଠକରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଆରଟିଓ ରବିନ ପଟ୍ଟନାୟକ, ଜିଲ୍ଲା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ସଦସ୍ୟ ବିଶ୍ୱନାଥ ମିଶ୍ର, ତ୍ରିଲୋଚନ ମହାନ୍ତି, ବିଦ୍ୟାଧର ମିଶ୍ର, ଅରୁଣ କୁମାର ଭଟ୍ଟାଚାର୍ଯ୍ୟ,ପ୍ରତ୍ୟୁଷ କୁମାର ସାମଲ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।