ଶବ୍ଦ ଓଡିଶା ବ୍ୟୁରୋ: ଶ୍ରୀମନ୍ଦିରର ବେହରଣ ଦ୍ଵାର ଦେଇ ବାହାରିଲେ, ଆମ ସାମ୍ନାରେ ମୁକ୍ତିମଣ୍ଡପ ପଡେ। ସେହି ମୁକ୍ତିମଣ୍ଡପ ନିକଟରେ ଏହି ନୃସିଂହ (ମହାବିଷ୍ଣୁ) ବିରାଜମାନ କରିଛନ୍ତି। ଶ୍ରୀ ନୃସିଂହଙ୍କ ନିକଟରେ ରାଧାକୃଷ୍ଣ ମଧ୍ୟ ପୂଜା ପାଉଛନ୍ତି। ଶ୍ରୀ ନୃସିଂହ ମନ୍ଦିରର କାନ୍ଥରେ ଅନେକ ପୁରାତନ ଲେଖା ମଧ୍ୟ ଦେଖିବାକୁ ମିଳେ। ଶ୍ରୀ ନୃସିଂହ ଙ୍କ ପାର୍ଶ୍ଵ ଦେବତା ଭାବେ ଶ୍ରୀ ବରାହ, ଶ୍ରୀ ହଳଧର ଓ ଶ୍ରୀ ତ୍ରିବିକ୍ରମ ରହିଛନ୍ତି। ଶ୍ରୀମନ୍ଦିର ପରିସର ରେ ଥିବା ଦେବଦେବୀ ଙ୍କ ମନ୍ଦିର ମଧ୍ୟରୁ ଏ ନୃସିଂହଙ୍କ ମନ୍ଦିର ଅତ୍ୟନ୍ତ ପ୍ରାଚୀନତମ ଅଟେ। ଏହି ଠାକୁର ସର୍ବଦା ଚନ୍ଦନଲାଗି ବେଶରେ ରହିଥାନ୍ତି।
ଶ୍ରୀ ନୀଳମାଧବଙ୍କ ଦର୍ଶନ ଅଭିଳାଷ ନେଇ ଯେଉଁ ସମୟରେ ରାଜା ଇନ୍ଦ୍ରଦ୍ୟୁମ୍ନ ନାରଦ ଆଦିଙ୍କ ସହ ଯାତ୍ରା କରୁଥିଲେ, ସେହି ସମୟରେ କ୍ଷେତ୍ର ମଧ୍ୟରେ ପ୍ରବେଶ କରି କିଛି ବାଟ ଯାଇ ରାଜା ଅତ୍ୟନ୍ତ ବ୍ୟଗ୍ର ଓ ବ୍ୟାକୁଳ ହୋଇପଡିଲେ। ତାଙ୍କ ବ୍ୟାକୁଳତା ଦେଖି ନାରଦ ମୁନି ତାଙ୍କୁ କଳ୍ପବୃକ୍ଷର ମହତ୍ତ୍ଵ ସମ୍ଵନ୍ଧରେ ଅବଗତ କରାଇଥିଲେ। ସେହି ସମୟରେ ଋଷି ଜୈମିନୀ କହିଲେ ଏହି ବୃକ୍ଷର ପଶ୍ଚିମରେ ଓ ନୃସିଂହଙ୍କ ଉତ୍ତରରେ ସେହି ଇନ୍ଦ୍ରନୀଳମଣି ମୂର୍ତ୍ତି ଚାରିଗୋଟି ମାଧବ ରୂପରେ ପୂଜିତ ହେଉଛନ୍ତି। ଉତ୍କଳ ଖଣ୍ଡରେ ଏହି ବର୍ଣ୍ଣନା ଥିବାର ଜଣାଯାଏ।
ଏହି ନୃସିଂହ ବିଗ୍ରହଙ୍କର ପ୍ରକୃତ ସ୍ଥାପନ ସମୟ ନିର୍ଧାରିତ ସ୍ପଷ୍ଟ ଭାବରେ କରାଯାଇନାହିଁ । ସୂଚନା ଯୋଗ୍ୟ ଯେ ଅନନ୍ତବର୍ମ ଚୋଡ଼ଗଙ୍ଗ ଖ୍ରୀଷ୍ଟୀୟ ଏକାଦଶ ଶତକରେ ଯେତେବେଳେ ବର୍ତ୍ତମାନର ଶ୍ରୀମନ୍ଦିର ନିର୍ମାଣ କଲେ ,ସେହି ସମୟରେ ମନ୍ଦିରର ଦକ୍ଷିଣ ପାର୍ଶ୍ଵ ଓ ମୁକ୍ତି ମଣ୍ଡପର ଉତ୍ତର ପାର୍ଶ୍ଵରେ ଏକ ପୂର୍ବାଭିମୁଖ ନୃସିଂହ ମନ୍ଦିର ନିର୍ମାଣ କରି ତାହାର ସେବା ପୂଜା ପୁରୁଷୋତ୍ତମ କ୍ଷେତ୍ରର ପ୍ରଥମ ବ୍ରାହ୍ମଣ ସେବକ, ଜଗନ୍ନାଥ ମନ୍ଦିର ର ବ୍ରହ୍ମା ବ୍ରାହ୍ମଣଙ୍କୁ ବା ବିଦ୍ୟାପତି ଵଂଶୀୟ ପତିମହାପାତ୍ର ଙ୍କୁ ସମର୍ପଣ କରିଥିଲେ। ଏହି ମନ୍ଦିରଟି ମୁକ୍ତ ନୃସିଂହ ବା ବେଢ଼ା ନୃସିଂହ ମନ୍ଦିର ନାମରେ ସୁବିଦିତ ଏବଂ ଏହା ଶ୍ରୀମନ୍ଦିରର ବେଢ଼ା ମଧ୍ୟରେ ଥିବା ପ୍ରାଚୀନତମ ମନ୍ଦିରମାନଙ୍କ ମଧ୍ୟରେ ଅନ୍ୟତମ।
