Wed. Oct 14th, 2026

ଅକ୍ଷୟ ତୃତୀୟାରେ ଅନୁକୂଳ ପରେ ଶ୍ରୀନହର ସମୁଖ ରଥ ଖଳାରେ ଆରମ୍ଭ ହୋଇ ସାରିଛି ରଥ ନିର୍ମାଣ କାର୍ଯ୍ୟ। ପ୍ରଥମେ ରଥର ଚକ କାର୍ଯ୍ଯ ଆରମ୍ଭ ହେଇଛି। ପ୍ରଥମ ପର୍ଯ୍ୟାୟରେ ଚକ ପ୍ରସ୍ତୁତି ନିମନ୍ତେ ତୁମ୍ବ ନିର୍ମାଣ ଚାଲିଛି। ଏହି କାର୍ଯ୍ୟ ୭ ଦିନରେ ସରିବାର ବିଧି ରହିଛି। ଏହା ପରେ ସୂତା ବାଡିଆ କାର୍ଯ୍ୟ ହେବ। ତୁମ୍ବ ହେଉଚି ଚକର ମଝି ଅଂଶ। କରତି ସେବକମାନେ ଫାଶୀ କାଠ ଗଣ୍ଡିକୁ କାଟି ବିଶ୍ଵକର୍ମାଙ୍କୁ ଯୋଗାଇ ଦେଇଛନ୍ତି। ବିଶ୍ଵକର୍ମାମାନେ ବାରିଶିରେ ହାଣି ତୁମ୍ଭ ତିଆରି କରନ୍ତି। ଫାଶୀ କାଠରେ ତୁମ୍ବ ନିର୍ମାଣ ହୁଏ। ଏହାର ଭିତର ଅଂଶ ଖୁବ୍ ଟାଣ। ଚାପ ପଡ଼ିଲେ ମଧ୍ଯ ସହଜରେ ଏହା ଫାଟେ ନାହିଁ। ଏଣୁ ତୁମ୍ବ ରଥର ସବୁ ଭାର ସମ୍ଭାଳି ଥାଏ। ତୁମ୍ବରେ ବିନ୍ଧ ହୋଇ ଅର ଭୁଞ୍ଜିଲା ପରେ ସେଥିରେ ପହି ଲାଗି ହୋଇ ଚକ ପ୍ରସ୍ତୁତ ହୁଏ। ଆଗାମୀ ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ହେବ। ତିନି ରଥର ଗୁଜ କାଠ ହଣାଯିବ। ସେପଟେ ରଥ ନିର୍ମାଣରେ ଗୁରୁତ୍ବପୁର୍ଣ ଦୟିତ୍ଵ ରହିଛି ରଥ ଅମିନଙ୍କ। ରଥ ଅମିନ ତିନି ରଥ ପାଇଁ କେତେ କାଠ ଦରକାର, କେଉଁ କାଠ ଦରକାର, ଆଉ କେତେ କାଠ ଆସିବ ସେ ନେଇ ସ୍ଥିତି ଅନୁଧ୍ୟାନ କରି ପ୍ରଶାସନକୁ ଜଣାଇବା ସହ ବିଶ୍ଵକର୍ମା ମହାରଣାଙ୍କୁ କାଠ ଯୋଗାଇ ଦେଇଥାନ୍ତି। ରଥ ଅମିନ ଲକ୍ଷ୍ମଣ ମହାପାତ୍ର ରଥ ଖଳାରେ ଉପସ୍ଥିତ ରହି ସବୁ କାର୍ଯ୍ୟର ତଦାରଖ କରୁଛନ୍ତି।

Leave a Reply

Your email address will not be published. Required fields are marked *