କୁଇ ଭାଷାରେ ପଢା ହେବ ପାଠ; ଏନସିଇଆରଟିର ୧୦ ଜଣିଆ କମିଟି ଗଠିତ

‘କୁଇ ତଥା ଦେଶିଆ’ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ । ଏନେଇ ଗଠନ ହେଲା ଏନସିଇଆରଟିର ୧୦ ଜଣିଆ କମିଟି । ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ କରାଯାଇଛି । ଗଠିତ ହୋଇଥିବା କମିଟି ରାଜ୍ୟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହଯୋଗରେ ଛାତ୍ରଛାତ୍ରୀଙ୍କ ପାଇଁ ପାଠ୍ୟ ପୁସ୍ତକ ପ୍ରସ୍ତୁତ କରିବ ।

କୋରାପୁଟ ଜିଲ୍ଲାରେ ପ୍ରଚଳିତ ‘କୁଇ ତଥା ଦେଶିଆ’ ଭାଷାରେ ଶିକ୍ଷାଦାନ ଓ ଶିକ୍ଷା ଆହରଣ ନିମନ୍ତେ ଏନସିଇଆରଟି ପକ୍ଷରୁ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯିବ । ଏନେଇ ୧୦ ଜଣିଆ କମିଟି ଗଠନ କରିଛି ଏନସିଇଆରଟି । ଏହି କମିଟି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସହଯୋଗରେ ବହୁ ଭାଷାଭାଷୀ ଫଟୋଚିତ୍ର ପୁସ୍ତକ ଏବଂ ଅନ୍ୟାନ୍ୟ ପାଠ୍ୟ ଖସଡା ପ୍ରସ୍ତୁତ କରାଯିବ ।

ଏହା ଦ୍ୱାରା ‘କୁଇ ତଥା ଦେଶିଆ’ ଭାଷାରେ କଥା ହେଉଥିବା ପିଲାମାନଙ୍କର ପାଠପଢା ପ୍ରତି ଆଗ୍ରହ ବଢିବ ଓ ସୃଜନଶୀଳତା ବିକଶିତ ହେବ ବୋଲି ଲକ୍ଷ୍ୟ ରଖାଯାଇଛି । ଉକ୍ତ କମିଟିରେ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ରର ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଫେସର ବି କେ ପଣ୍ଡା, ନୂଆ ଦିଲ୍ଲୀ ଏନସିଇଆରଟିର ଯୁଗ୍ମ ନିର୍ଦ୍ଦେଶକ ପ୍ରଫେସର ଅମରେନ୍ଦ୍ର ପି ବେହେରା, କେନ୍ଦ୍ର ବିଶ୍ୱବିଦ୍ୟାଳୟର ସହ ଅଧ୍ୟାପିକା ରୁଦ୍ରାଣୀ ମହାନ୍ତି ଓ କପିଲ ଖେମଣ୍ଡୁ ରହିଛନ୍ତି । ସେହିପରି ରାଜେନ୍ଦ୍ର ପାଢୀ, ଗୋପବନ୍ଧୁ ମହାନ୍ତି, ଡ ସୁବ୍ରତ ପୃଷ୍ଟି, ଡ ମହେନ୍ଦ୍ର ମିଶ୍ର, ଦିଲେଶ୍ୱର ରମା ଆଦି ସଦସ୍ୟ ରହିଥିବା ବେଳେ ଆରଆଇଇର ପ୍ରିନ୍ସିପାଲ ପ୍ରକାଶ ଚନ୍ଦ୍ର ଅଗ୍ରୱାଲ କନଭେନର ଯୋଗଦେଇଛନ୍ତି ।

ସୂଚନା ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ନିକଟରେ ‘ଉତ୍କଳ ଦିବସ’ ଅବସରରେ କୋରାପୁଟ ଜିଲ୍ଲାର କୋଟିଆ ଅଞ୍ଚଳକୁ ଗସ୍ତ କରିଥିଲେ । ଏହି ଗସ୍ତକାଳରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହ ଏ ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଖୁବଶୀଘ୍ର ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ମାତୃଭାଷା ‘କୁଇ ତଥା ଦେଶିଆ’ ଭାଷାରେ ପାଠ୍ୟକ୍ରମ ପ୍ରସ୍ତୁତ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ ।

You May Also Like

More From Author

+ There are no comments

Add yours