ପୁରୀରେ ବଲିଉଡ ଅଭିନେତ୍ରୀ ଜୟପ୍ରଦା

ଶ୍ରୀକ୍ଷେତ୍ରରେ ପହଞ୍ଚି ଜଗା ଦର୍ଶନ କରିଛନ୍ତି ବଲିଉଡ ଅଭିନେତ୍ରୀ ଜୟପ୍ରଦା । ପୁଅ ସମ୍ରାଟ ସହ ପୁରୀରେ ପହଞ୍ଚିବା ପରେ ସେଠାରୁ ସିଂହଦ୍ୱାର ଅଭିମୁଖେ ଯାଇଥିଲେ। ସିଂହଦ୍ୱାରରେ ପହଁଚିବା ପରେ ତାଙ୍କୁ ସେବାୟତ ମଧୁସୂଦନ ସିଂହାରୀ ସ୍ୱାଗତ କରିଥିଲେ । ପରେ ଜୟାପ୍ରଦା ଶ୍ରୀମନ୍ଦିରରେ ଜଗାଦର୍ଶନ ସହ ବେଢ଼ା ପରିକ୍ରମା ଓ ବିମଳା ଓ ଲକ୍ଷ୍ମୀ ମନ୍ଦିର ଦର୍ଶନ କରିଥିଲେ । ଜଗନ୍ନାଥ ଦର୍ଶନ କରି ଭାବ ବିହ୍ୱଳ ହୋଇ ପଡିଥିଲେ ଜୟପ୍ରଦା।

ଦୀର୍ଘ ଦଶନ୍ଧି ଧରି ଦର୍ଶକଙ୍କ ହୃଦୟରେ ରାଜ କରୁଥିଲେ ଅଭିନେତ୍ରୀ ଜୟପ୍ରଦା । ଅଭିନୟ ପାଇଁ ସେ ତିନି ଥର ଫିଲ୍ମଫେୟାର ସମ୍ମାନ ପାଇଥିଲେ । ସମୟକ୍ରମେ ଅଭିନେତ୍ରୀରୁ ସେ ରାଜନେତ୍ରୀ ହୋଇ ଯାଇଥିଲେ । ଆଜି ରାମନବମୀ ଅବସରରେ ଶ୍ରୀମନ୍ଦିରରେ ପ୍ରଭୁ ଜଗନ୍ନାଥ ଦର୍ଶନ କରି ଖୁବ ଆନନ୍ଦ ଅନୁଭବ କରିଥିଲେ, ନିଜର ମାନସିକ ରଖିଥିଲେ ଜୟପ୍ରଦା ।

ଏହି ଅବସରରେ ଗଣମାଧ୍ୟମକୁ ସାକ୍ଷାତ ଦେଇ କହିଥିଲେ, ଜଗନ୍ନାଥ ମନ୍ଦିର ଏମିତି ଏକ ମନ୍ଦିର ଯେଉଁଠି ନିଜକୁ ଭୁଲିଯିବାର ଏକ ଶକ୍ତି ରହିଛି। ଜଗନ୍ନାଥ ଦର୍ଶନ କରି ସେ ନିଜକୁ ଧନ୍ୟ ମନେ କରିଛନ୍ତି। ଏହି ଅବସରରେ ସେ ପୁରୀବାସୀ ତଥା ଓଡ଼ଶାବାସୀଙ୍କର ମଙ୍ଗଳକାମନା କରିଥିଲେ । ଜୟପ୍ରଦାଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ବିଷୟରେ ପଚାରିବାରୁ ଜଗନ୍ନାଥ ଯାହା ନିର୍ଦ୍ଦେଶ ଦେବେ ସେ ତାହା କରିବେ ବୋଲି କହିଛନ୍ତି । ପୁଅ ସମ୍ରାଟ ସହ ଦର୍ଶନର ଏହି ଅବସର ଖୁବ ସୁନ୍ଦର ଥିଲା ଏବଂ ମହାପ୍ରଭୁ ମନୋବାଞ୍ଛା ପୂରଣ କରିବେ ବୋଲି ସେ କହିଛନ୍ତି । ଏହା ସହିତ ପବିତ୍ର ରାମନବମୀରେ ଓଡିଶା ବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଜୟପ୍ରଦା ।

You May Also Like

More From Author

+ There are no comments

Add yours