ରାସ୍ତାରୁ ହଟିବେ ବିହାରୀ!

ରାସ୍ତାରୁ ହଟିବେ ବିହାରୀ ବ୍ୟବସାୟୀ। ଅନୁଗୋଳ ସହରର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଜବରଦଖଲ କରି ଟ୍ରାଫିକ ଅବ୍ୟବସ୍ଥାର କାରଣ ସାଜିଥିବା ବିହାରୀ ବ୍ୟବସାୟୀଙ୍କୁ ହଟାଇ ଦିଆଯିବ। ଏ ନେଇ ଅନୁଗୋଳ ପୌରପରିଷଦ ବୈଠକରେ ଆଲୋଚନା ହୋଇଛି। କାଉନସିଲରଙ୍କ ସହ ନଗରପାଳ ଏଥିରେ ଏକମତ ମଧ୍ୟ ହୋଇଛନ୍ତି। ଏ ନେଇ ପୌରପରିଷଦ ବୈଠକରେ ରିଜୋଲ୍ୟୁଶନ ମଧ୍ୟ କରାଯାଇଛି।

ବିହାରୀ ବ୍ୟବସାୟୀ ହଟିଗଲେ ସେଠାରେ ସ୍ଥାନୀୟ ଲୋକଙ୍କୁ ବ୍ୟବସାୟ କରିବାର ସୁଯୋଗ ମିଳିବ। ଠେଲାଗୁଡ଼ିକୁ ପୌରପାଳିକା ପକ୍ଷରୁ ନମ୍ବରିଂ କରାଯାଇ ବ୍ୟବସାୟ କରିବାକୁ ଇଚ୍ଛୁକ ଗରିବ ଲୋକଙ୍କୁ ପ୍ରଦାନ କରାଯିବ। ଫଳରେ ରାଜ୍ୟ ବାହାରକୁ ଯାଇ ମଜୁରି ଖଟୁଥିବା ସହରର ବହୁ ଗରିବ ଲୋକେ ବ୍ୟବସାୟ କରି ଲାଭବାନ ହୋଇପାରିବେ ବୋଲି ପୌରପାଳିକା ପକ୍ଷରୁ ପ୍ରସ୍ତାବ ରଖାଯାଇଛି।ଅନୁଗୋଳ ସହର ଥାନା ଛକରୁ ବୁଢ଼ୀ ଠାକୁରାଣୀ ଛକ ଯାଏ ରାଜପଥ ପାର୍ଶ୍ୱକୁ ଏହି ବିହାରୀ ବ୍ୟବସାୟୀମାନେ କବ୍‌ଜାରେ ରଖିଛନ୍ତି। ଫଳରେ ଥାନା ଛକରୁ ରାଜା ଛକ, ରାଜା ଛକରୁ ମେଡିକାଲ ଛକ, ମେଡିକାଲ ଛକରୁ ଡେଲି ମାର୍କେଟ ଛକରେ ରାସ୍ତା ସଂକୀର୍ଣ୍ଣ ହୋଇପଡ଼ୁଛି। ଏଥିଯୋଗୁ ଯାତାୟାତରେ ସମସ୍ୟା ହେଉଛି। ଟ୍ରାଫିକ୍‌ ଅବ୍ୟବସ୍ଥା ଦେଖାଦେଉଛି। ଅନେକ ସମୟରେ ବ୍ୟବସାୟଗତ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ, ମାଡପିଟ୍‌ ହେଉଛି। ଏଥିପାଇଁ ସାଧାରଣ ଲୋକେ ଅଡ଼ୁଆରେ ପଡ଼ୁଛନ୍ତି। ବିହାରୀ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି।

ସେମାନେ ନିଜ ସମ୍ପର୍କୀୟଙ୍କୁ ବିହାରରୁ ଆଣି ଏଠାରେ ନୂଆ ବ୍ୟବସାୟରେ ନିୟୋଜିତ କରୁଥିବାରୁ ଦିନକୁ ଦିନ ସମସ୍ୟା ବୃଦ୍ଧିପାଉଛି। ଏହି ବ୍ୟବସାୟୀଙ୍କ ସଂଖ୍ୟା ଏବେ ୪ଶହରୁ ଅଧିକରେ ପହଞ୍ଚିଥିବାରୁ ସ୍ଥାନୀୟ ଲୋକେ ବ୍ୟବସାୟ କରିବାକୁ ସୁବିଧା ସୁଯୋଗ ପାଉନାହାନ୍ତି। ଏହି ବ୍ୟବସାୟୀମାନେ ରାସ୍ତା ଉପରେ ପସରା ମେଲାଉଥିବାବେଳେ ପୌରପାଳିକାର ତାଗିଦ୍‌କୁ ମଧ୍ୟ ଖାତିର କରୁନାହାନ୍ତି। ସହରର କେତେଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ହାତ ସେମାନଙ୍କ ମୁଣ୍ଡ ଉପରେ ଥିବାରୁ ଏମାନେ ଅନୁଗୋଳରେ ଦୀର୍ଘଦିନ ହେଲା ରାଜ୍‌ କରୁଥିବା କୁହାଯାଉଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ରାସ୍ତା ପାର୍ଶ୍ୱରୁ ହଟାଇବାକୁ ଜନପ୍ରତିନିଧିମାନେ ପ୍ରସ୍ତାବ ଦେଇଛନ୍ତି।

ଏଥିସହ ସହରରେ ଥିବା ଠେଲା ଗୁଡ଼ିକ ନମ୍ବରିଂ କରାଯାଇ ସ୍ଥାନୀୟ ଲୋକଙ୍କୁ ବ୍ୟବସାୟ ପାଇଁ ପ୍ରଦାନ କରାଯିବ। ବିଶେଷକରି ଆର୍ଥିକ ଅନଟନରେ ରହୁଥିବା ଓ ବାହାର ରାଜ୍ୟକୁ ଯାଇ ମଜୁରି ଖଟୁଥିବା ଲୋକେ ଘର ନିକଟରେ ରହି ବ୍ୟବସାୟ କରିବେ ବୋଲି ପୌର ବୈଠକରେ ପ୍ରସ୍ତାବ ରଖାଯାଇଛି। ଏଭଳି ପ୍ରସ୍ତାବକୁ ଅନୁଗୋଳର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି। ଏ ନେଇ ଅନୁଗୋଳ ପୌର ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ କହିଛନ୍ତି, ବିହାରୀ ବ୍ୟବସାୟୀଙ୍କୁ ହଟାଇବାକୁ ପୌର ପରିଷଦ ବୈଠକରେ ଆଲୋଚନା ହୋଇଛି। ରିଜୋଲ୍ୟୁଶନ ମଧ୍ୟ ପ୍ରସ୍ତୁତ ହୋଇଛି। ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

You May Also Like

More From Author

+ There are no comments

Add yours