
ଭୁବନେଶ୍ବରସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ, ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନରେ ବିଶ୍ଵ ଜଳ ଦିବସ ମାର୍ଚ୍ଚ ୨୨ ତାରିଖ ଦିନ ପାଳିତ ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ଆଲୋଚନା ଚକ୍ରକୁ ଆନ୍ତର୍ଜାତିକ ଜଳ ଗବେଷଣା ପ୍ରତିଷ୍ଠାନର ଭାରତ ପ୍ରତିନିଧି ତଥା ପ୍ରମୁଖ ଗବେଷକ ଡକ୍ଟର ଆଲୋକ କୁମାର ସିକକା ମୁଖ୍ୟ ଅତିଥି ରୂପେ ଉଦ୍ଦଘାଟନ କରିଥିଲେ । ସେ କହିଲେ ଯେ ୨୦୫୦ ମସିହାରେ ଆବଶ୍ୟକ ହେଉଥିବା ଜଳକୁ ଧ୍ୟାନରେ ରଖି ଆମକୁ ବର୍ତ୍ତମାନ ଆମର ମାନସିକ ସ୍ତର ରେ ଜଳ ଉପଯୋଗ ପଦ୍ଧତିରେ ଦ୍ରୁତ ପରିବର୍ତ୍ତନ ଆଣିବାକୁ ପଡିବ । ସମ୍ମାନିତ ଅତିଥି ରୂପେ ସି ଭି ରମଣ ଗ୍ଲୋବାଲ ବିଶ୍ବବିଦ୍ୟାଳୟର କୁଳପତି ଡକ୍ଟର ସୁଧୀନ୍ଦ୍ର ନାଥ ପଣ୍ଡା କହିଲେ ଯେ ପୃଥିବୀ ପୃଷ୍ଠରେ ଉପଲବ୍ଧ ଜଳ, କେବଳ ମନୁଷ୍ୟ ମାନଙ୍କର ନୁହେଁ ବରଂ ଏହା କୋଟି କୋଟି ପଶୁ ପକ୍ଷୀ ଓ ବୃକ୍ଷଲତା ସମସ୍ତଙ୍କର । ତେଣୁ ଆମେ ସେମାନଙ୍କ ପାଇଁ ଜଳ ସୁରକ୍ଷା କଥା ଚିନ୍ତା କରିବା କଥା। ଅନ୍ଯତମ ସମ୍ମାନିତ ଅତିଥି ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ, ବାଙ୍ଗାଲୋରର ପ୍ରଫେସର ଶେଖର ମୁଡୁ ତାଙ୍କ ବକ୍ତବ୍ୟରେ କହିଲେ ଯେ ଯଦି ଝରଣା ସ୍ରୋତ ହ୍ରାସ ଦିଗରେ ଆମେ ଉଚିତ ପଦକ୍ଷେପ ନ ନିଅନ୍ତି , ତାହେଲେ ଭବିଷ୍ୟତ ରେ ଆମ ଜୈବ ମଣ୍ଡଳ ଧ୍ଵଂସ ହେବାର ଆଶଙ୍କା ରହିଛି । ପ୍ରତିଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅର୍ଜମାଦତ୍ତ ଷଡ଼ଙ୍ଗୀ, ଅତିଥି ମାନଙ୍କୁ ସ୍ଵାଗତ କରିବା ସହିତ, ସମାଜର ସବୁବର୍ଗର ଜନସାଧାରଣ ଜଳ ସଂରକ୍ଷଣ, ଏହାର ସଦୁପଯୋଗ ଓ ଅପଚୟ ରୋକିବା ପାଇଁ ଯଥାସାଧ୍ୟ ଚେଷ୍ଟା କରିବା ଉଚିତ ବୋଲି ମତ ବ୍ୟକ୍ତ କରିଥିଲେ । ଅପରାହନ୍ନରେ ବୈଜ୍ଞାନିକ, ଶିଳ୍ପ ସଂସ୍ଥା, ଷ୍ଟାର୍ଟଅପ ଏବଂ କୃଷକ ମାନଙ୍କ ମଧ୍ୟରେ ଜଳ ସମ୍ବଦ୍ଧୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ମୃତ୍ତିକା ଓ ଜଳ ପରିଚାଳନା ଷ୍ଟାର୍ଟଅପ ମେସର୍ସ ସଏଲସେନ୍ସ କମ୍ପାନୀ ଲିଃ, ମୁମ୍ବାଇ ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ରାଜୁଲ ମାହେଶ୍ଵରୀ, ଜୈନ ଇରିଗେସନ ସିଷ୍ଟମସ ଲିଃ ର ଓଡିଶା ରାଜ୍ୟ ମୁଖ୍ୟ ଇଞ୍ଜିନିୟର ଦିଲ ବାହାଦୂର ଏବଂ ଆଇ.ଏ.ଆର.ଆଇ., ନୂଆଦିଲ୍ଲୀ ଦ୍ଵାରା ପୁରସ୍କୃତ କଣାସ ବ୍ଲକର ଲୋକାପାଳ ଗ୍ରାମର ପ୍ରଗତିଶୀଳ କୃଷକ ଶ୍ରୀ ରାଧେଶ୍ୟାମ ବିଶ୍ଵାଳ ନିଜ ନିଜ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଶେଷରେ ପ୍ରତିଷ୍ଠାନର ପ୍ରଧାନ ବୈଜ୍ଞାନିକ ଡକ୍ଟର ସୁମନ୍ତ କୁମାର ମିଶ୍ର ଧନ୍ୟବାଦ ଜ୍ଞାପନ କରିଥିଲେ ।