
ଓଡ଼ିଶାରେ ପଶ୍ଚିମା ଝଡ଼ ପ୍ରଭାବରେ କୁଆପଥର ସହ ବର୍ଷା ହୋଇଛି । ରାଜଧାନୀରେ ବି କୁଆପଥର ପଡ଼ିଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଭଲ ବର୍ଷା ହେବା ସହ ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ସିଆରପି ଛକ ଏବଂ ଘାଟିକିଆରେ କୁଆପଥର ବର୍ଷା ହୋଇଛି ।ଗତକାଲି ସନ୍ଧ୍ୟାରେ ଅସରାଏ ଦୁଇ ଅସରା ବର୍ଷା ପରେ ଆଜିର ବର୍ଷା ପରେ ସମ୍ପୂର୍ଣ୍ଣ ଭିଜିଛି ରାଜଧାନୀ । ସେପଟେ ରାଜ୍ୟର ଅନ୍ୟ ଅଞ୍ଚଳରେ ଆଜି ଭଲ ବର୍ଷା ହୋଇଛି। ବିଶେଷକରି ବଲାଙ୍ଗିର, ବାଲେଶ୍ୱର, ନୟାଗଡ଼, ରାୟଗଡ଼ା, କନ୍ଧମାଳ,କଳାହାଣ୍ଡି ଓ ପୁରୀ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବର୍ଷା ସହ କୁଆପଥର ମାଡ଼ ହୋଇଛି।ସେହିପରି ପରବର୍ତ୍ତୀ ୨ ଘଣ୍ଟା ମଧ୍ୟରେ କଟକ, ଜଗତସିଂହପୁର ଓ କେନ୍ଦ୍ରପଡ଼ା ରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିକୁ ମିଶାଇ ଦୁଇ ଦିନ ଯାଏ ତାଣ୍ଡବ ରଚୁଛି ପଶ୍ଚିମା ଝଡ଼ । ୨ ଦିନ ଯାଏ ଘଡ଼ଘଡ଼ି ସହ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ଏବଂ ୪୦ରୁ ୫୦ କି.ମି. ପବନ ବହିବା ସମ୍ଭାବନା ରହିଛି। ୨୧ ତାରିଖ ପାଇଁ ରାଜ୍ୟର ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ୨୧ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା,ନବରଙ୍ଗପୁର ଓକଳାହାଣ୍ଡି ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।