ମାଳ ମାଳ ଆର୍ମି ଟ୍ରକ୍ ପାଖ ଦେଇ ଖୁବ ସତର୍କତାର ସହ ଗାଡ଼ି ଚଲେଇ ଆମ ଡ୍ରାଇଭର ସୌକତ ଅଲି ଆମକୁ ନେଇ ଆସିଲା ଆଉ ହଜାରେ ମିଟର ତଳକୁ। ଚାଙ୍ଗ ଲା ସମୁଦ୍ରପତ୍ତନ ଠାରୁ ୫୩୯୧. ୩ ମିଟର ବା ୧୭୬୮୮ ଫୁଟ ଉଚ୍ଚତାରେ ଥିଲା, ଆମେ ଏବେ ଜିଙ୍ଗ୍ରାଲ ହେଇକି ହେମିସ ଆଡ଼କୁ ଯାଉଛୁ, ଯାହାକି ଚାଙ୍ଗ ଲା ଠାରୁ ହଜାରେ ମିଟର ତଳେ। ହେମିସ୍, ସମୁଦ୍ର ପତନ ଠାରୁ ପ୍ରାୟ ୪୯୮୦ ମିଟର ଉଚ୍ଚରେ ଅବସ୍ଥିତ। ସେଠାରୁ ୪୫ କିଲୋମଟର ଉତ୍ତରକୁ ସିନ୍ଧୁ ନଦୀ କୂଳେ କୂଳେ ଗଲେ ଲେହ ପଡ଼ିବ।
ଧୀରେ ଧୀରେ ବରଫଢଙ୍କା ଟାଙ୍ଗରା ପାହାଡ଼ ପଛରେ ରହିଲା, ଆଗକୁ ଦେଖା ଯାଉଥିଲା ଅଳ୍ପ ଅଳ୍ପ ହଳଦିଆ ସବୁଜ ଗଛପତ୍ର ଆଚ୍ଛାଦିତ ପଥୁରିଆ ପାହାଡ଼ ଏବଂ ରାସ୍ତା କଡ଼ରେ ଗୋଟିଏ ଗୋଟିଏ ଗଛ। ଗଛ କହିଲେ, ସରୁ ଓ ଡେଙ୍ଗା କିସମର ପୋପ୍ଲାର ୱିଲୋ କିମ୍ବା ପାଇନ ଗଛ। ପରେ ପରେ ନଜରକୁ ଆସିଲା ଆପେଲ ଅଖରୋଟ ଓ ଅପ୍ରିକୋଟ ର ଛୋଟ ଛୋଟ କେତୋଟି ବଗିଚା। କିନ୍ତୁ, ଆମେ ଲେହ ସହରରେ ପାଦ ଦେବାଠାରୁ ଏ ପର୍ଯ୍ୟନ୍ତ ଯେଉଁ ଦୁଇଟା ଗଛ ଆମକୁ ସବୁଠାରୁ ବେଶି ଆକର୍ଷିତ କରିଛି ତାହା ହେଲା, ଦୂରକୁ ସୁନ୍ଦର ଦେଖା ଯାଉଥିବା ସରୁ ସରୁ ଡେଙ୍ଗା ସବୁଜ ପୋପ୍ଲାର ଗଛ ଓ ଫଳ ଭର୍ତ୍ତି ଆପେଲ୍ ଗଛ।
ମନାଲି ଆଡୁ ସଡ଼କ ପଥରେ ଆସୁଥିବା ପର୍ଯ୍ୟଟକମାନେ ଏହି ପାଖରେ ହିଁ ଏଇ ହେମିସ ଗାଁ ପାଖରେ ଲେହ ମନାଲି ହାଇ ୱେ’କୁ ଧରନ୍ତି। ପର୍ଯ୍ୟଟକମାନେ ଏଠାରୁ ଗୋଟିଏ ପଟେ (ଆମ ପାଇଁ ଆଗକୁ) ଲେହ ସହରକୁ ଯାଇ ପାରିବେ କିମ୍ୱା ତାର ବିପରୀତ ଦିଗରେ (ଆମ ପଛରେ) ଥିବା ପାଙ୍ଗଙ୍ଗ ଲେକ’କୁ ଯାଇ ପାରିବେ। ଆମ ଗାଡ଼ି ବୁଲିଲା ବାଆଁ ପଟକୁ, ସିନ୍ଧୁ ନଦୀ ଉପରେ ଛୋଟିଆ ପୋଲ ଟିଏ – ସେଇ ପୋଲ ଉପର ଦେଇ ଗାଡ଼ି ଉଠିଲା ପାହାଡ଼ ଉପରକୁ। ପାହାଡ଼ ଅଧାରେ ରହିଛି ପୁରାତନ ହେମିସ ଗୋମ୍ପା ବା ଗୁମ୍ଫା ସମ୍ବଳିତ ବୌଦ୍ଧ ବିହାର। ଏହି ପାଖରୁ ମଧ୍ୟ ଆରମ୍ଭ ହୋଇଛି ହେମିସ ଜାତୀୟ ଉଦ୍ୟାନ।
ହେମିସ ଅଭୟାରଣ୍ୟ ବା ଜାତୀୟ ଉଦ୍ୟାନ’ର ଗୋଟିଏ ପ୍ରବେଶ ପଥ ବୌଦ୍ଧ ବିହାର ଠାରୁ ଟିକେ ଦୁରରେ ଅବସ୍ଥିତ। ହେମିସ ଜାତୀୟ ଉଦ୍ୟାନ ଭିତରକୁ ଯିବା ପାଇଁ ଭିନ୍ନ ଭିନ୍ନ ଦିଗରୁ ଚାରୋଟି ପ୍ରଵେଶ ପଥ ଅଛି। ହେମିସ ଜାତୀୟ ଉଦ୍ୟାନ ଦକ୍ଷିଣ ଏସିଆର ସବୁଠାରୁ ବଡ଼ ଅଭୟାରଣ୍ୟ। ଗଛ କହିଲେ ସେଇ, ସମୁଦ୍ର ପତନ ଠାରୁ ଅତି ଉଚ୍ଚ ଓ ଶୀତଳ ଜଳବାୟୁରେ ବଢୁଥିବା ଗଛ – ପୋପ୍ଲାର ଉଇଲୋ ଓ ବିଭିନ୍ନ ପ୍ରକାରର ପାଇନ ଜାତୀୟ ଗଛ। ପୃଥିବୀର ସବୁଠାରୁ ଅଧିକ ସଂଖ୍ୟକ ସ୍ନୋ ଲିଓପାର୍ଡ ଏହିଠାରେ ବାସ କରନ୍ତି। ବର୍ଷ ୧୯୮୧ ରେ ଏହା ଜାତୀୟ ଉଦ୍ୟାନ ଘୋଷିତ ହେଲା। ସେତେବେଳେ ମାତ୍ର ୬୦୦ବର୍ଗ କିଲୋମିଟର ଭିତରେ ଏହାର ପରିସୀମା ଥିଲା। ଏବେ ଏହା ସିନ୍ଧୁ ଉପତ୍ୟକାରୁ ନେଇ ଝଂସ୍କାର ଅବବାହିକା ପର୍ଯ୍ୟନ୍ତ ୪୪୦୦ ବର୍ଗ କିଲୋମିଟରରୁ ଅଧିକ ଅଞ୍ଚଳରେ ବିସ୍ତାରିତ ହୋଇ ରହିଛି। ସମୁଦ୍ର ପତନ ଠାରୁ ଏତେ ଉଚ୍ଚରେ ଥିବା ଜାତୀୟ ଉଦ୍ୟାନ ଭାବେ ଦେଶରେ ଏହା ଏକମାତ୍ର।
ଏମିତି ଦେଖିଲେ ଲେହ ସହର ଠାରୁ ପ୍ରାୟ ୪୫ କିମି ଦୂର ଦକ୍ଷିଣରେ ସିନ୍ଧୁ ନଦୀର ପଶ୍ଚିମ ତଟରେ ହେମିସ୍ ଗ୍ରାମ ଅବସ୍ଥିତ। ହେମିସ୍ ବୌଦ୍ଧ ବିହାର’ଟି ପାହାଡ଼ ମଝିରେ ଏକ ପୁରାତନ ଗୁମ୍ଫା କୁ ଘେରି ତିବ୍ଦତିୟ ଶୈଳୀରେ ନିର୍ମିତ, ଯାହାକୁ ସ୍ଥାନୀୟ ଭାଷାରେ ହେମିସ୍ ଗୋମ୍ପା କୁହନ୍ତି। ଏହା ଦୃକପା ବା ଦୃଗପା ଲିନିଜଙ୍କ ମଠ ବା ଆଶ୍ରମ। ଆମ ଶଙ୍କରାଚାର୍ଯ୍ୟ ମଠମାନଙ୍କରେ ଯେମିତି ଶଙ୍କରାଚାର୍ଯ୍ୟ ହେଲେ ମଠମୂଖ୍ୟ, ଠିକ୍ ସେମିତି ଏହି ବୌଦ୍ଧ ବିହାରରେ ମୂଖ୍ୟ ହେଲେ ଦୃଗପା। ହିମାଳୟ ପର୍ବତମାଳା ଭିତରେ ଥିବା ବୌଦ୍ଧ ବିହାରମାନଙ୍କ ମଧ୍ୟରୁ ଅତି ପୁରତାନ ଏହି ମଠ। ପ୍ରାୟ ତେରଶହ ବର୍ଷ ପୂର୍ବରୁ ୧୦୧୬ – ୧୧୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ପ୍ରସିଦ୍ଧ ଭାରତୀୟ ବୌଦ୍ଧ ଶ୍ରମଣ ସନ୍ଥ ନାରୋପା ଏଠାରେ ଯେଉଁ ବିଦ୍ୟାଳୟ ପ୍ରତିଷ୍ଠା କରାଇଥିଲେ, ତାହା ଏ ପର୍ଯ୍ୟନ୍ତ ଚାଲି ଆସୁଛି ଓ ଲଦାଖ ତିବ୍ଦତ ଅଞ୍ଚଳର ଏକ ପ୍ରମୁଖ ବିଦ୍ୟାଳୟ ଭାବରେ ବିଖ୍ୟାତ। ଜଣେ ଲଦାଖି ରାଜା ସେନଜେ ନାଙ୍ଗ୍ୟାଲ ୧୬୭୨ ମସିହାରେ ଏହି ଗୋମ୍ପା’ର ନବୀକରଣ କରେଇ ଥିଲେ।
ବର୍ତ୍ତମାନ ଯିଏ ଏଠାର ମୁଖ୍ୟ ଧର୍ମଗୁରୁ ବା ଦୃକପା ଲିନିଜ୍, ସେ ହେଉଛନ୍ତି ଗ୍ୟଲୱାଙ୍ଗ ଦୃକପା, ୧୯୬୩ ମସିହାରେ ଜନ୍ମିତ ଏକ ପ୍ରଚଣ୍ଡ ପ୍ରତିଭାଧାରୀ ଜ୍ଞାନୀ ବ୍ୟକ୍ତି। ଷାଠିଏ ବର୍ଷ ବୟସରେ ବି ସେ ଯୁବକ ଓ ଚଞ୍ଚଳ। ପୂରାତନ ବୌଦ୍ଧଶାସ୍ତ୍ର’ରୁ ଜ୍ଞାନ ଆହରଣ କରି ଆଜିକାର ସମସ୍ୟାଗୁଡ଼ିକର ସମାଧାନ’ର ସୂତ୍ର ସେ ତାଙ୍କ ଛାତ୍ର ମାନଙ୍କୁ ଶିକ୍ଷା ଦେଇ ଆସୁଛନ୍ତି। ସେ କେବଳ ଜ୍ଞାନୀ ନୁହଁନ୍ତି, ସେ ଜଣେ ଉତ୍ସର୍ଗୀକୃତ ପରିବେଶବିଦ୍। ତାଙ୍କ ଲିଖିତ ଅନେକ ପୁସ୍ତକ ପୃଥିବୀର କୋଣ ଅନୁକୋଣରେ ଉପଲବ୍ଧ। ମୋର ପରମ ସୌଭାଗ୍ୟ ଯେ, ବୌଦ୍ଧ ବିହାର’ରେ ଥିବା ଗ୍ରନ୍ଥାଗାର ମଧ୍ୟରେ ହିଁ ମୁଁ ତାଙ୍କ ଦର୍ଶନ ଲାଭ କରିଥିଲି ଓ ତାଙ୍କ ଲିଖିତ “Happiness is a state of mind” ପୁସ୍ତକଟି ତାଙ୍କ ପରାମର୍ଶରେ ଗ୍ରନ୍ଥାଗାର ସଂଲଗ୍ନ ପୁସ୍ତକାଳୟ’ରୁ ଆଣିଥିଲି।
ପୁଣି ଥରେ କହି ରଖେ ଯେ, ଏହି ବିହାରରେ ବୌଦ୍ଧଧର୍ମ ସମ୍ବନ୍ଧୀୟ ବିଭିନ୍ନ ଶାସ୍ତ୍ର ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ଆବାସିକ ବିଦ୍ୟାଳୟ ସହିତ ଏକ ସୁଦୃଶ୍ୟ ଗ୍ରନ୍ଥାଗାର ରହିଛି। ଅନେକ ପୁରାତନ ବୌଦ୍ଧ ଭିକ୍ଷୁ ଓ ଧର୍ମଗୁରୁଙ୍କ ଦ୍ୱାରା ବିଭିନ୍ନ ସମୟରେ ସଂଗୃହିତ ଅନେକ ପୂରାତନ ଦୁଷ୍ପ୍ରାପ୍ୟ ଦୁର୍ମୂଲ୍ୟ ବସ୍ତୁର ଏକ ସୁନ୍ଦର ସଂଗ୍ରହାଳୟ ମଧ୍ୟ ରହିଛି। ଏହି ଗୋମ୍ପା ବା ବୌଦ୍ଧ ବିହାର’ରେ ପ୍ରଭୁ ପଦ୍ମସମ୍ଭବଙ୍କ ସମ୍ମାନାର୍ଥେ ପ୍ରତି ବର୍ଷ ଜୁନ ମାସରେ ହେମିସ୍ ବାର୍ଷିକ ଉତ୍ସବ ପାଳନ କରାଯାଏ।
ଆମ କଥାବାର୍ତ୍ତା ଭିତରେ କେତେବେଳେ ଏକ ସୁଦୃଶ୍ୟ ତୋରଣ ପାଖରେ ଗାଡ଼ି ରହି ସାରିଲାଣି। ତିବ୍ବତିୟ ଶୈଳୀରେ ନିର୍ମିତ ମଣ୍ଡପ ଉପରେ ବସିଛନ୍ତି ଶାକ୍ୟମୁନି ବୁଦ୍ଧଦେବ। ଏହା ହେମିସ୍ ବୌଦ୍ଧ ବିହାରର ପ୍ରବେଶ ପଥ, ପ୍ରଥମ ଫାଟକ। ଚାରିଆଡ଼େ ପାଉଁଶିଆ ଧୂସର ପାହାଡ଼। ପାହାଡ଼ ଅଗରେ ଧଳା ବରଫ, ତା ତଳକୁ ଟାଙ୍ଗରା ପଥୁରିଆ ଗଡାଣୀ। ତା ତଳକୁ ୱିଲୋ ପ୍ରୋପ୍ଲାର ପାଇନ’ର ମିଶାମିଶି ଜଙ୍ଗଲ – ଦୂରରୁ ସବୁଜ ହଳଦିଆ ନାରଙ୍କୀ ଦେଖା ଯାଉଥାଏ। ତା ତଳକୁ ସୋରିଷ ଜାତୀୟ କିଛି କ୍ଷେତ, ଯେଉଁ ସମାନ୍ତରାଳରେ ଆମେ ଠିଆ ହେଇଥାଉଁ। ଓ ଆହୁରି ତଳକୁ ଅଙ୍କେ଼ଇ ବଙ୍କେଇ ବହି ଯାଉଛି କ୍ଷୀଣ ଅଥଚ ଚିରସ୍ରୋତା ପବିତ୍ର ସିନ୍ଧୁ ନଦୀ।
ରାସ୍ତା ଦୁଇ ଧାରରେ ପଇଡ଼ କିମ୍ୱା ତରଭୁଜ ସଜେଇ ରଖା ହେଲାପରି ଗଦା ହୋଇଛି ଗୋଲ ଅଣ୍ଡାକୃତି ଚେପଟା ବା ଶିବଲିଙ୍ଗ ଆକୃତିର ବିଭିନ୍ନ ରଙ୍ଗର ପଥର। ଜାଗାରେ ଜାଗାରେ ଦଶ କି ବାର ଫୁଟ ଉଚ୍ଚା ପର୍ୟ୍ୟନ୍ତ ଗଦା ହୋଇଛି ଏ ପ୍ରକାର ପଥର; ଓଜନରେ ଦୁଇ କିଲୋ ରୁ ପାଞ୍ଚ କିଲୋ ପର୍ଯ୍ୟନ୍ତ ହେବ। ଗୋଟିଏ ପଥର ଉଠେଇ ଆଣି ଦେଖିଲି – କିଏ ଯେମିତି ଘଷି ଘଷି ଚିକଣ କରି ଦେଇଛି। ଓ ପଥର ଉପରେ ଖୋଦେଇ କରି କିଛି ଲେଖା ଯାଇଛି, ଯେମିତି ତାଳପତ୍ର ଉପରେ ବିଭିନ୍ନ ରେଖା ଓ ଚିତ୍ର ସହ ଆମ ଜାତକ ଲେଖା ହୋଇଥାଏ। ତାପରେ ପରେ ଅନ୍ୟ କେତୋଟି ପଥର ଉପରେ ନଜର ପକେଇଲି, ସବୁ ପଥର ଉପରେ କିଛି ନା କିଛି ଲେଖା ଯାଇଛି। ଦୂରକୁ ଦେଖିଲୁ ଆମେ – ଆଖି ପାଉନାହିଁ କିନ୍ତୁ ପଥର ଗଦା ଲମ୍ବି ଚାଲିଛି ମାଇଲ ମାଇଲ ଦୂର ପର୍ଯ୍ୟନ୍ତ। ଆମ ଡ୍ରାଇଭର ସୌକତ କହିଲା, – “ବୌଦ୍ଧ ପରିବାରରେ କାହାର ମୃତ୍ୟୁ ହେଲେ, ତାଙ୍କ ପରିବାର ତରଫରୁ ମୃତ ଆତ୍ମା’ର ସଦଗତି ପାଇଁ ଏମିତି ଗୋଟିଏ ପଥର ଉପରେ କିଛି ଲେଖି, ବୌଦ୍ଧ ବିହାର ପାଖାପାଖି ଛାଡ଼ି ଦେଇ ଯାଆନ୍ତି। ଶହ ଶହ ବର୍ଷରୁ ଲୋକେ ପଥର ଯୋଗାଡ଼ କରି ଏସବୁ ସ୍ଥାନରେ ରଖି ଆସୁଥିବାରୁ ଏବେ ଏତେ ସଂଖ୍ୟାରେ ପଥର ଗଦା ହୋଇଥିବାଟା ଆପଣମାନେ ଦେଖି ପାରୁଛନ୍ତି।”
କେଜାଣି କେତେ ଶହ ବର୍ଷର କେଉଁ ମୃତାତ୍ମାର ପ୍ରାର୍ଥନା ଯାଚଜ୍ଞା ପାଇଁ ଏ ଶିଳାଟି ଆଜି ମୋ ହାତରେ। ସୌକତ ମୁହଁରୁ ଏମିତିକା କଥା ଶୁଣି ଆମେ ଉଠେଇ ଧରିଥିବା ଶିଳା ଗୋଲକ ଗୁଡ଼ିକୁ ପୁଣି ଯତ୍ନରେ ସ୍ଵସ୍ଥାନରେ ରଖି ଦେଲୁ।
ଆମ ଗାଡ଼ି ଯାଇ ରହିଲା ହେମିସ୍ ମୋନାଷ୍ଟ୍ରି’ର ପାର୍କିଂ ସ୍ଥାନରେ। ଗାଡ଼ିରୁ ଓହ୍ଲେଇ ଆମେ ସ୍ତବ୍ଧ ହୋଇ ଚାହିଁ ରହିଲୁ ମୂଖ୍ୟ ପ୍ରବେଶ ପଥକୁ କିଛି ସମୟ। ଶିଢ଼ିର ଦୁଇ ପାର୍ଶ୍ଵ ଓ ଉପରେ ଲାଗିଥିବା ଛପର ସମ୍ପୁର୍ଣ୍ଣ କାଠରେ ତିଆରି, ସୂକ୍ଷ୍ମ କାରୁକାର୍ଯ୍ୟରେ ପୂର୍ଣ୍ଣ। ବୌଦ୍ଧ ଧର୍ମତତ୍ତ୍ଵ ଅନୁସାରେ, ଶଙ୍ଖ ଚକ୍ର ପଦ୍ମ ଇତ୍ୟାଦି ଅଷ୍ଟ ଶୁଭଚିହ୍ନ ଖୋଦେଇ ହୋଇଥାଏ। ପାହାଚ ପାଖରେ ଟିକେଟ କାଉଣ୍ଟର – ଯାହା କି ସଂଗ୍ରହାଳୟ ପାଇଁ ଟିକେଟ ଦିଏ। ପାହାଚ ତଳ ବା ତଳ ମହଲାର ଓସାରିଆ ବାରଣ୍ଡାରେ ପିଇବା ପାଣିର ବ୍ୟବସ୍ଥା ଓ ପରିଷ୍କାର ଶୌଚାଳୟ ଥାଏ। ସେସବୁ’ର ସଦବ୍ୟବହାର କରି, ଟିକେଟ ନେଇ ଆମେ ଚଢ଼ିଲୁ ବିଖ୍ୟାତ ହେମିସ୍ ବୌଦ୍ଧ ବିହାରର ସୁନ୍ଦର ପାହାଚମାଳା। ଭିତରେ ଆମକୁ ଅପେକ୍ଷା କରିଥାଏ ପବିତ୍ର ବିଶୁଦ୍ଧ ସୁନ୍ଦର ହେମିସ୍ ଗୋମ୍ପା।
ପାହାଡ଼ ଉପରେ ଯେଉଁ ଅଂଶରେ ଏହି ବୌଦ୍ଧ ବିହାରଟି ଗଢ଼ି ଉଠିଛି, ପାହାଡ଼ର ପ୍ରତି ଇଞ୍ଚ ସ୍ଥାନକୁ ସଠିକ ଭାବେ ବ୍ୟବହାର କରାଯାଇଛି। ଉପରକୁ ଉପର ଗୋଟିଏ ପରେ ଗୋଟିଏ ସଂରଚନା ଖୁବ ସୁନ୍ଦର ଭାବରେ ନିର୍ମିତ ହୋଇଛି। ପ୍ରଥମେ ପ୍ରବେଶ କଲୁ ଏକ ବିଶାଳ ଖୋଲା ଅଗଣାରେ, ଯାହାର ଚଟାଣ ଚିକଣ ପଥରରେ ନିର୍ମିତ ଓ ସାମନାରେ ତିନୋଟି ମନ୍ଦିର। ସେ ମନ୍ଦିର ଦ୍ଵାରକୁ ଲାଗି ଧାଡ଼ି ଧାଡ଼ି ପ୍ରାର୍ଥନା ଘଣ୍ଟି। ବିସ୍ତୀର୍ଣ୍ଣ ଅଗଣା’ର କାନ୍ଥରେ ଅଙ୍କା ହେଇଥିବା ବୋଧିସତ୍ୱଙ୍କ ଜାତକ କାହାଣୀ ଉପରେ ଆଧାରିତ ରଙ୍ଗୀନ୍ ଚିତ୍ରକୁ ଦେଖି ମନ ଆନନ୍ଦରେ ଭରିଗଲା। ଶୀତଳ ପବନରେ ଫର ଫର ଉଡୁଥିବା ବିଭିନ୍ନ ରଙ୍ଗର ରଙ୍ଗୀନ୍ ଓ ପ୍ରାର୍ଥନା ଲେଖାଥିବା ପତାକା ମାଳ, ସେ ବିଶାଳ ଖୋଲା ଅଗଣାର ସୋନ୍ଦର୍ଯ୍ୟକୁ ବହୁଗୁଣିତ କରୁଥାଏ।
ଆମେ ଜୋତା ଖୋଲି ମ୍ୟୁଜିୟମ ଭିତରକୁ ପ୍ରବେଶ କଲୁ। ମ୍ୟୁଜିୟମ ଭିତରେ ଅଛି ହଜାର ବର୍ଷରୁ ଅଧିକ ପୁରୁଣା ତାଳପତ୍ର ଓ ଅନ୍ୟାନ୍ୟ ପତ୍ର ବକ୍କଳ ଚମଡ଼ା କାଗଜ ଓ କପଡ଼ା ଉପରେ ଲେଖା ପୋଥି, ଖୋଦେଇ କରି ଲେଖା ହୋଇଥିବା ଧାତବ, କାଠ ଓ ହାତୀ ଦାନ୍ତର ଫଳକ। ଭିତରେ ରହିଛି ଚମଡ଼ା ପଶମ ରେଶମ ଓ କାର୍ପାସ କପଡ଼ା ଉପରେ ବୁଣା ହୋଇଥିବା ଚିତ୍ର ମନ୍ତ୍ର ଓ ବାଣୀ। ବିଭିନ୍ନ ସମୟରେ ଲାମା ଦୃକପା ମାନଙ୍କ ଦ୍ୱାରା ବ୍ୟବହାର ହେଉଥିବା ପାଲିଙ୍କି, ଆସନ, ଆସବାବପତ୍ର। ପୁଣି ଭରି ରହିଛି ବିଭିନ୍ନ ସମୟର ବିଭିନ୍ନ ପ୍ରକାରର ପୋଷାକ, ବାସନକୁସନ, ଅସ୍ତ୍ରଶସ୍ତ୍ର, ଗୃହ ଉପକରଣ, ବାଦ୍ୟଯନ୍ତ୍ର ଓ ଅଳଙ୍କାର – ଯାହାକି ପୂର୍ବରୁ ଲାମା ଓ ମୁଖ୍ୟ ଧର୍ମଗୁରୁ ବା ଦୃକପା ଲିନିଜ୍ ମାନେ ବ୍ୟବହାର କରୁଥିଲେ। ବିଭିନ୍ନ ପ୍ରକାରର ବୁଦ୍ଧ ବୋଧିସତ୍ୱ ଓ ଦେବୀ ଦେବତାଙ୍କ ପୁରାତନ ମୂର୍ତ୍ତି’ର ସମାହାର ଏହି ମ୍ୟୁଜିୟମକୁ ଐଶୋର୍ଯ୍ୟମୟୀ ତଥା ଆକର୍ଷଣୀୟ କରି ରଖିଛି। ସବୁଠାରୁ ଅଧିକ ଆକର୍ଷଣୀୟ ହେଲା, ପୁରାତନ ବସ୍ତୁ ଗୁଡ଼ିକର ସଂରକ୍ଷଣ ଓ ପ୍ରଦର୍ଶିତ କରିଥିବା କଳା କୌଶଳ।
ମ୍ୟୁଜିୟମ’ର ସବା ତଳ ମହଲାରେ ଅଛି ଗୋଟେ ସୁନ୍ଦର ଦୋକାନ, ଯେଉଁଥିରେ ବିକ୍ରୀ ହେଉଛି ଏହି ସ୍ଥାନର ସ୍ମୃତି ପାଇଁ କିମ୍ୱା ଉପହାର ଦେବାକୁ ବିଭିନ୍ନ ସାମଗ୍ରୀ, ଟି ସାର୍ଟ, ବହି, ତିବ୍ଦତୀୟ ଲଦାଖି କାଶ୍ମୀରୀ କଳା ସମ୍ବଳିତ ଦ୍ରବ୍ୟମାନ। ମ୍ୟୁଜିୟମ ଭିତରେ ଫୋଟ ଉଠେଇବା ନିଷେଧ ହୋଇଥିବାରୁ ଆମେ ଏଠାରୁ ହିଁ ତଥ୍ୟ ସମ୍ବନ୍ଧୀୟ ଫୋଟ ପୁସ୍ତକ କେତୋଟି ସହ ଅନ୍ୟ କେତେକ ଜିନିଷ କିଣିଲୁ।
ତାପରେ ଆମେ ପାହାଚ ଦେଇ ଉପର ମହଲାକୁ ଉଠି ପହଞ୍ଚିଲୁ ଗୁରୁ ଲାହଖାଙ୍ଗ ନିକଟରେ। ସେଇଠି ଗୁରୁ ରିନପୋଚେ ବା ପଦ୍ମସମ୍ଭବଙ୍କ ବିଶାଳ ପ୍ରତିମୂର୍ତ୍ତି ଦର୍ଶନ ଲାଭକଲୁ। ଗୁରୁ ପଦ୍ମସମ୍ଭବଙ୍କ ଦ୍ଵାଦଶ ରୂପ ବା ଅବତାର ର ସୁନ୍ଦର କ୍ୟାନଭ୍ୟାସ୍ ପେଣ୍ଟିଂ ସବୁ କାରୁକାର୍ଯ୍ୟ ପୂର୍ଣ୍ଣ କାଠ ଫ୍ରେମ୍ ରେ ବନ୍ଧେଇ ହୋଇ ରହିଛି। ଏହା ପରେ ଆମେ ମୋନେଷ୍ଟରୀ’ର ଛାତ ଉପରେ ପହଞ୍ଚିଲୁ। ସେଇଠି ଠିଆ ହୋଇ ଯୁଆଡ଼େ ଚାହିଁବେ ଦେଖିବେ ଦିଗନ୍ତକୁ ଛୁଇଁଛି ପ୍ରାକୃତିକ ଶୋଭା। ଆଖି ପାଉଥିବା ପର୍ଯ୍ୟନ୍ତ ଭରି ରହିଛି ହିମାଳୟ ର ଅପରୂପ ସୌନ୍ଦର୍ଯ୍ୟ।
ସେଇଠି ଠିଆ ହୋଇ କିଛି ସମୟ ପାଇଁ ଭୁଲି ଯାଇଥିଲୁ ଭୋକଶୋଷ। କିନ୍ତୁ ଚିକୁ’କୁ ଭୋକ ଠିକ୍ ସମୟରେ ଚେତେଇ ଦିଏ। ଇତିହାସ ର ଏକ ସ୍ୱର୍ଣୀମ ସୋପାନରୁ ଓହ୍ଲେଇ ଆମେ ଆମ ଗାଡ଼ିରେ ବସିଲୁ। କିଛି ନ କହିଲେ ବି ଆମ ଡ୍ରାଇଭର ସୌକତ’ର ହାବଭାବରୁ ଜଣା ପଡ଼ୁଥିଲା, ଆମେ ବିଳମ୍ବ କରିଥିବାରୁ ସେ ବିରକ୍ତ। ହଁ ତାକୁ ବି ଭୋକ ହେଉଥିବ। ପଚାରିଲି, – “ଲଞ୍ଚ ଖାଇବା କୋଉଠି ?” ରାସ୍ତା ଉପରେ ଆଖି ରଖି କହିଲା, “କାରୁ ରେ..”।
କ୍ରମଶଃ…….
—–###—–
ବିଜୟ କୁମାର ଜେନା
read the story
nice
ମତାମତ ଦେବେ