କୃଷ୍ଣଙ୍କ ପ୍ରେମରେ ମୁସଲିମ ମହିଳା

କୃଷ୍ଣପ୍ରେମରେ ଆଉ ଜଣେ ରାଧା । କଳାକାହ୍ନୁ କାଳିଆର ଲୀଳା ସତରେ ଅପାର । ସେ ହିନ୍ଦୁ ହଉ କି ମୁସଲମାନ । ଯେଉଁ ଧର୍ମର ହେଉ ନା କାହିଁକି କାହ୍ନୁଙ୍କ ପ୍ରେମରେ ଯିଏ ଥରେ ପଡିଲା । କୃଷ୍ଣଙ୍କ ଭକ୍ତିରେ ସେ ବୁଡିଲା । ଏମିତି ଅନେକ ଉଦାହରଣ ବିଗତ ଦିନ ମାନଙ୍କରେ ରହିଛି । ସେ ଭକ୍ତ ସାଲବେଗ ହୁଅନ୍ତୁ କି ମିରାବାଇ । ସବୁବେଳେ ଏମାନଙ୍କ କଥା ଶୁଣିବାକୁ ମିଳେ । କିନ୍ତୁ ଆଜିର ସମୟରେ ବି କିଛି ଚେହେରା ବେଶ ଭାଇରାଲ ହେଉଛି । ଏ ହେଉଛି କେରଳ କଲିିକଟର ମୁସଲିମ ସମ୍ପ୍ରଦାୟର ମହିଳା ସନମ ଫିରୋଜ । ଧର୍ମ ସିନା ତାଙ୍କର ମୁସଲିମ କିନ୍ତୁ ମନ ଆଉ ହୃଦୟ କାହ୍ନୁଙ୍କ ପାଇଁ କାନ୍ଦେ । କଳାକାହ୍ନୁ ଭକ୍ତିରେ ଏମିତି ବାନ୍ଧି ହୋଇଛନ୍ତି ସନମ ବସିଲେ ଉଠିଲେ ସବୁବେଳେ କାହ୍ନାଙ୍କୁ ନେଇକି ବଂଚନ୍ତି । କାହ୍ନୁଙ୍କୁ ନେଇ ତିଆରି କରୁଛନ୍ତି ସୁନ୍ଦର ସୁନ୍ଦର ଚିତ୍ର ଯାହା ବେଶ ଭାଇରାଲ ହେଉଛି ।
କେରଳ କାଲିକଟର ମୁସଲିମ ସମ୍ପ୍ରଦାୟର ଯୁବତୀ ସନମ ଫିରୋଜ । ତାଙ୍କ ଚିତ୍ର କଳାରେ ଆଙ୍କୁଛନ୍ତି ହିନ୍ଦୁ ଦେବାଦେବୀଙ୍କ ଅବିକଳ ପ୍ରତିକୃତି । ନିଜ ତୁଳୀର ଯାଦୁରେ ହିନ୍ଦୁ ଦେବାଦେବୀଙ୍କ ଚିତ୍ରକୁ ଜୀବନ୍ତ କରୁଛନ୍ତି ସନମ । ତାଙ୍କ ତୁଳୀରେ ଶ୍ରୀକୃଷ୍ଣ ମୁଖ । ହିନ୍ଦୁ ଦେବାଦେବୀଙ୍କ ଚିତ୍ର ଆଙ୍କିବା ପାଇଁ ତାଙ୍କର ଆଗ୍ରହକୁ ଧର୍ମବି ସାଜିପାରିନି ପ୍ରତିବନ୍ଧକ । କାନଭାସରେ ହିନ୍ଦୁ ଦେବାଦେବୀଙ୍କ ନିଖୁଣ ଚିତ୍ର ଆଙ୍କି ସେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବିଶେଷ ଭାବେ କୃଷ୍ଣ ଓ ଗଣେଶଙ୍କ ଚିତ୍ର ଆଙ୍କିବାକୁ ବେଶ ପସନ୍ଦ କରନ୍ତି ସନମ ।

ତୁଳସୀ ଦୁଇ ପତ୍ରରୁ ବାସିଲା ପରି ପିଲାଟି ଦିନରୁ ସନମ ଫିରୋଜଙ୍କ କଳାପ୍ରତି ଦୁର୍ବଳତା ସାମ୍ନାକୁ ଆସିଥିଲା । ହେଲେ ବିବାହ ପରେ କଳା ପ୍ରତି ସେ ଅଧିକ ଆକୃଷ୍ଟ ହୋଇଥିଲେ । ସେ ଗର୍ଭବତି ଥିବା ସମୟରେ ଦୁର୍ଘଟଣା ପରେ ଶଯ୍ୟାରେ ବିଶ୍ରାମ ନେଉଥିଲେ । ହଠାତ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ ସନମ । ଯେତେବେଳେ ସେ ପ୍ରଥମେ ହିନ୍ଦୁ ଦେବାତାଙ୍କ ଚିତ୍ର ଆଙ୍କିଲେ ତାଙ୍କ ସ୍ୱାମୀ ଏହାକୁ ନଷ୍ଟ କରିବାକୁ କହିଥିଲେ । ହେଲେ ସନମଙ୍କ କୃଷ୍ଣ ଭକ୍ତି କିଛି ବି ବାଡବନ୍ଧନ ମାନିନଥିଲା । ସେବେଠାରୁ ସନମ ଆଉ ପଛକୁ ବୁଲି ଚାହିଁନାହାନ୍ତି । ତାଙ୍କ ତୁଳୀର ଯାଦୁରେ ହିନ୍ଦୁ ଧର୍ମର ଦେବାଦେବୀଙ୍କ ଚିତ୍ରକୁ ଜୀବନ୍ତ ରୂପେ ସ୍ଥାନ ଦେଇଛନ୍ତି । ଖାଲି ସେତିକି ନୁହେଁ ସନମ ବାଉଁଶ ଡାଳ, ମାଟି, ଶାଢୀ, ସାର୍ଟ ଏବଂ ଧୋତିରେ ମଧ୍ୟ ଅତି ଆକର୍ଷଣୀୟ ଚିତ୍ର ଆଙ୍କୁଛନ୍ତି । ସନମଙ୍କ ହାତ ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛି କୃଷ୍ଣଙ୍କ କଳାକୃତି । ତାଙ୍କର କଳାକୃତି ଯିଏ ଦେଖିବ, ଘଡିଏ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବ ।
() ଏନେଇ ସନମ ଫିରୋଜ କହିଛନ୍ତି ଚିତ୍ରକଳା ହେଉଛି ମୋ ଦୁର୍ବଳତା । ମୁଁ କୃଷ୍ଣଙ୍କ ବିଭିନ୍ନ ପ୍ରକାର ଚିତ୍ର ଆଙ୍କିଛି । ସେଥିରୁ ମୋତେ ସକରାତ୍ମକ ଶକ୍ତି ମିଳିଥାଏ । ଏହି କଳାକୁ ସମସ୍ତଙ୍କ ପାଖରେ ପହଂଚାଇବା ହେଉଛି ମୂଳ ଉଦ୍ଦେଶ୍ୟ । ଅନେକ ଚିତ୍ର ମାଧ୍ୟମରେ ଭଗବାନ କୃଷ୍ଣଙ୍କ ଅବତାର ଆଙ୍କୁଛନ୍ତି ସନମ । ମୁସଲମାନ ମହିଳା ଭଗବାନ କୃଷ୍ଣଙ୍କୁ ଚିତ୍ରଣ କରିବାର କାହାଣୀ ଅଂଚଳରେ ଦ୍ରୁତ ଗତିରେ ବ୍ୟାପିଯାଇଛି । ଏହାପରେ ଅନେକ ଲୋକ କୃଷ୍ଣଙ୍କ ଚିତ୍ର ପାଇଁ ସନମଙ୍କ ପାଖକୁ ଆସୁଛନ୍ତି । କିଛି ଲୋକଙ୍କ ଦାବି ରହିଛି ଯେ ସନମ ଆଙ୍କୁଥିବା ଚିତ୍ର ଘରେ ରଖିବା ପରେ ସେମାନଙ୍କ ମନୋସ୍କାମନା ପୂର୍ଣ୍ଣ ହୋଇଯାଏ । କେବଳ କେରଳରୁ ନୁହେଁ କର୍ଣ୍ଣାଟକ ଓ ତାମିଲନାଡୁ ଭଳି ପଡୋଶି ରାଜ୍ୟରୁ ମଧ୍ୟ ଫଟୋଚିତ୍ର ପାଇଁ ସନମଙ୍କ ପାଖକୁ ଅର୍ଡର ଆସୁଛି । ସେଲିବ୍ରିଟୀ ମାନେ ମଧ୍ୟ ଏହି ଫଟୋଚିତ୍ର କିଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ସନମ ମାସକୁ ଅତି କମରେ ପାଂଚରୁ ଛଅଟି ଚିତ୍ର ଆଙ୍କୁଛନ୍ତି ଏବଂ ଆକାର ଅନୁଯାୟୀ ୫,୦୦୦ ପର୍ଯ୍ୟନ୍ତ ଚାର୍ଜ କରୁଛନ୍ତି । ଏହି ପ୍ରତିଭା ସନମ ଫିରୋଜଙ୍କୁ ଦେଇଛି ଏକ ନୂଆ ପରିଚୟ ।

You May Also Like

More From Author

+ There are no comments

Add yours