
ରାୟଗଡ : ରାୟଗଡା ଜିଲ୍ଲାରେ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ସମଗ୍ର ଶିକ୍ଷା ଅଭିଯାନର ମିଳିତ ସଂଯୋଜନାରେ ସ୍ଥାନୀୟ ସରକାରୀ ବାଳିକା ବିଦ୍ୟାଳୟ ପରିସରରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହୋଇଥିଲା । ଏହି କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂ ଯୋଗ ଦେଇ ସମସ୍ତ ସମସ୍ତ କନ୍ୟା ସନ୍ତାନ ମାନଙ୍କ ନିୟମିତ ପାଠ ପଢା ଓ ସେମାନେ ଯେପରି ନିଜକୁ ସୁରକ୍ଷିତ ଅନୁଭବ କରିବେ ସେଥିପାଇଁ ନିଶ୍ଚିତ କରିବାକୁ ଶପଥ ନେବାକୁ ଆହ୍ଵାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବରିହା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଭଜନଲାଲ ମାଝି, ରାୟଗଡ ସରକାରୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମମତା କୁମାରୀ କର, ଶାରୀରିକ ଶିକ୍ଷା ପରିଦର୍ଶକ ଶତ୍ରୁଘନ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ ।

ଦେଶରେ ତଥା ଜିଲ୍ଲାରେ କନ୍ୟା ସନ୍ତାନ ମାନଙ୍କର ସଂଖ୍ୟା କ୍ରମାଗତ ଭାବେ କମୁଥିବାର କାରଣ ଓ ଏହାର ନିରାକରଣ ଉପରେ ଆଲୋକପାତ କରାଯାଇଥିଲା । କନ୍ୟା ସନ୍ତାନ ମାନଙ୍କ ପାଇଁ ଥିବା ବିଭିନ୍ନ ସମସ୍ୟା ଯେପରିକି କନ୍ୟା ଭ୍ରୁଣ ହତ୍ୟା, କନ୍ୟା ଶିଶୁ ଚାଲାଣ, ବାଲ୍ୟ ବିବାହ ଓ ପୁଅ ଓ ଝିଅ ମାନଙ୍କ ଭିତରେ ଅସମାନତାର ମାନସିକତା କୁ ଦୂର କରିବା ନେଇ ସୃଷ୍ଟି କରିବା ପାଇଁ ପ୍ରତିବର୍ଷ ଜାନୁଆରୀ ୨୪ ତାରିଖକୁ ଜାତାୟ କନ୍ୟା ଦିବସ ଭାବେ ପାଳନ କରାଯାଉଛି । ଏହି ଅବସରରେ ଜିଲ୍ଲାର ସମସ୍ତ ୧୧ଟି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ ଓ ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ରୀ, ରାୟଗଡ ପୌରାଞ୍ଚଳର ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ, ମୁନିସିପାଲ ଉଚ୍ଚ ବିଦ୍ୟାଳୟ, ଆର ଏସ ଇ ଡବ୍ଲୁ ସି ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ସାମିଲ କରାଯାଇଥିଲା । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ କୁଇଜ, ବକୃତା, ନାଚ ଗୀତ ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା । ନିୟମିତ ବିଦ୍ୟାଳୟ ଯାଇ ପାଠ ପଢିବା, ଶିଶୁ ଓ କନ୍ୟା ସନ୍ତାନ ମାନଙ୍କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ରହିଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ, ବାଲ୍ୟ ବିବାହର କୁ-ପରିଣାମ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ଓ ସମଗ୍ର ଶିକ୍ଷା ଅଭିଯାନର ସୁରେନ୍ଦ୍ର କୁମାର ସାଠୁଆଙ୍କ ସମେତ ସମସ୍ତ କର୍ମକର୍ତ୍ତା, ଆକ୍ସନ ଏଡ ତରଫରୁ ବାଲ୍ୟ ବିବାହ ନିଷେଧ କାର୍ଯ୍ୟକ୍ରମର ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ଵର ସାହୁ, ଅରୁଣା ସଂଗଠନର ଜିଲ୍ଲା ପରାମର୍ଶଦାତା ପ୍ରମୋଦ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶିକ୍ଷକ ଶ୍ରୀ ପ୍ରଶାନ୍ତ କୁମାର ନାୟକ ଓ ଶିକ୍ଷୟତ୍ରୀ ଶ୍ରୀମତୀ କାଞ୍ଚନ କୁମାରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।