ହିମାଚଳରେ ହିମ ବର୍ଷା

ସ୍ନୋଫଲ୍ ବା ତୁଷାରପାତ ଦେଖିଲେ ଲାଗେ ସତେକି ସ୍ୱର୍ଗରୁ ତୁଳା ଖସୁଛି, ଘୋଡ଼ାଇ ଦେଉଛି ପାହାଡ଼ପର୍ବତ, ଗଛ, କୋଠାବାଡ଼ି । ଅନେକଙ୍କୁ ଶିହରିତ କରେ ପ୍ରକୃତିର ଏଭଳି ଶୀତକାଳୀନ ଅପୂର୍ବ ରୂପ । ଉତ୍ତରାଖଣ୍ଡର କେଦାରନାଥ ଧାମ ତୁଷାରପାତରେ ପ୍ରକୃତି ରାଣୀ ପରି ଦେଖାଉଛି। ଉତ୍ତରକାଶୀ ବି ଘୋଡ଼େଇ ହୋଇଛି ବରଫ ଚାଦରରେ । ଉତ୍ତରାଖଣ୍ଡର ବିଭିନ୍ନ ହିଲ୍ ଷ୍ଟେସନରେ ବି ସ୍ନୋ ଫଲ୍ ହୋଇଥିବା ବେଳେ, ବିପତ୍ତିର ଶିକାର ହୋଇଥିବା ଯୋଶୀମଠରେ ସ୍ଥିତି କିଛି ଭିନ୍ନ । କିଛି ଦିନ ଆଗରୁ ଉତ୍ତରାଖଣ୍ଡ ଯୋଶୀମଠରେ ମାଟି ଦବିଯାଉଥିବାରୁ ଭଙ୍ଗା ଚାଲିଥିଲା ବିପଦସଂକୁଳ କୋଠା ଗୁଡ଼ିକୁ । ହେଲେ ଏବେ ରୂପ ବଦଳାଇଛନ୍ତି ଯୋଶୀମଠ । ତୁଷାର ପାତ ପରେ ଧଳା ଚାଦରରେ ଢାଙ୍କି ହୋଇଛି ସମ୍ପୂର୍ଣ୍ଣ ଅଞ୍ଚଳ । ବର୍ଷା ଭଳି ଆକାଶରୁ ଖସୁଛି ମୂଲାୟମ ତୁଷାର । ଆଖିକୁ ଏହା ବେଶ୍ ସୁନ୍ଦର ଦିଶୁଥିଲେ ବି, ଯୋଶୀମଠର ଦୁର୍ଦ୍ଦଶାକୁ ଏହା ବଢ଼ାଇ ଦେଇଛି । ବାସହରା ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଥିବା ବେଳେ, କୋଠା ଉଚ୍ଛେଦ କାମ ବି ଠପ୍ ପଡ଼ିଛି ।ଏଣେ ହିମାଚଳ ପ୍ରଦେଶର ମନାଲୀ, କାଙ୍ଗ୍ରା ଭ୍ୟାଲିଠୁ ନେଇ ଧର୍ମଶାଳା ଓ ଅଟଳ ଟନେଲ୍ ପର୍ୟ୍ୟନ୍ତ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଛି । ପର୍ୟ୍ୟଟକଙ୍କୁ ଏହା ଖୁସି ଦେଉଥିଲେ ବି ସ୍ଥାନୀୟ ଲୋକଙ୍କ ପାଇଁ କଷ୍ଟ ବଢ଼ିଯାଇଛି । ତଳକୁ ଖସିଯାଇଛି ତାପମାତ୍ରା । ଶିମଲାରେ ଶୂନ ଡିଗ୍ରୀ, ଲାହୁଲ-ସ୍ପିତି ଅଞ୍ଚଳରେ ମାଇନସ୍ ୧୧ ଡିଗ୍ରୀ ଓ ଧରମକୋଟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଛି । ବହୁ ପାହାଡ଼ ତଳ ଅଞ୍ଚଳରେ ବର୍ଷା ଲାଗି ରହିଛି । ଆଗାମୀ ସପ୍ତାହେ ଯାଏଁ ହିମାଚଳ ପ୍ରଦେଶ ବିଭିନ୍ନ ସ୍ଥାନରେ ତୁଷାରପାତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ହିମାଚଳ ପ୍ରଦେଶର ପ୍ରାୟ ୧୧୫ଟି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ସେପଟେ ଶୀତଋତୁ, ବରଫ ଓ ତୁଷାର କଥା କହିଲେ, ସମସ୍ତଙ୍କ ମନକୁ ପ୍ରଥମେ ଆସେ ଭାରତର ଭୂସ୍ୱର୍ଗ କାଶ୍ମୀର କଥା । ଏଠାରେ ବି ଏବେ ଜନ୍ନତର ଯାଦୁରେ ବିମୋହିତ ପର୍ୟ୍ୟଟକ । ଚାରିଆଡ଼େ ଧଳା ବରଫର ସମୁଦ୍ର। ସ୍ୱିଜରଲାଣ୍ଡ୍ ବି ମାତ୍ ଖାଇବ ଭାରତର ଭୂସ୍ୱର୍ଗ ଆଗରେ । ଏଠାରେ ବରଫର ମଜା ନେଉଛନ୍ତି ବିଭିନ୍ନ ରାଜ୍ୟ ଓ ବିଦେଶରୁ ଏଠାକୁ ଛୁଟି ଆସିଥିବା ପର୍ୟ୍ୟଟକ। କାଶ୍ମୀର ଘାଟିରେ ତୁଷାର ପାତ ପରେ ୨-୩ ଫୁଟର ବରଫ ଜମିଛି ଗୁଲମାର୍ଗରେ ।

You May Also Like

More From Author

+ There are no comments

Add yours