ପିଜି ନାମଲେଖାରେ ଅନିୟମିତତା, ୨ ବିଶ୍ୱବିଦ୍ୟାଳୟ ଓ ୨୩ ଡିଗ୍ରୀ କଲେଜକୁ ନୋଟିସ୍

ଶବ୍ଦ ଓଡିଶା ବ୍ୟୁରୋ: ପିଜି ନାମଲେଖାରେ ଅନିୟମିତତା ଓ ସାମସ ସର୍ତ୍ତାବଳୀକୁ ଉଲ୍ଲଘଂନ ଅଭିଯୋଗରେ ରାଜ୍ୟ ସରକାର ୨ଟି ବିଶ୍ୱବିଦ୍ୟାଳୟ ଓ ୨୩ଟି ଡିଗ୍ରୀ କଲେଜକୁ କାରଣଦର୍ଶାଅ ନୋଟିସ୍ ଜାରି କରିଥିବା ଜଣାପଡ଼ିଛି । ପୂର୍ବରୁ ଚଳିତମାସ ୭ତାରିଖରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ୧୯ଟି ଡିଗ୍ରୀ କଲେଜକୁ ନାମଲେଖାରେ ଅନିୟମିତତା ପାଇଁ କାରଣଦର୍ଶାଅ ନୋଟିସ୍ ଜାରି କରିଥିଲେ।

ଉଚ୍ଚଶିକ୍ଷା ବିଭାଗ ଅନୁସାରେ, ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ନାମଲେଖା ପାଇଁ ଇ-ଆଡମିଶନ ବ୍ୟବସ୍ଥା ବାଧ୍ୟତାମୂଳକ ହୋଇଥିବାବେଳେ ସାମସ୍ ପୋର୍ଟାଲ ମାଧ୍ୟମରେ ଏହି ପ୍ରକ୍ରିୟା ସମ୍ପାଦିତ ହେଉଛି । କିଛି କଲେଜ ଓ ବିଶ୍ୱବିଦ୍ୟାଳୟ ଇ-ଆଡମିଶନ ସର୍ତ୍ତାବଳୀକୁ ଉଲ୍ଲଘଂନ କରିବା ସହ ୨୦୨୨-୨୩ ଶିକ୍ଷାବର୍ଷରେ ଇ-ଆଡମିଶନ ପ୍ରକ୍ରିୟାରେ ସାମିଲ ନଥିବା ଛାତ୍ରଛାତ୍ରୀଙ୍କ ନାମକୁ ସାମସରେ ସାମିଲ କରିବା ପାଇଁ ବିଭାଗକୁ ଅନୁରୋଧ କରିଥିବାରୁ ଏଭଳି ଅନିୟମିତତାର ସନ୍ଦେହ ଉପୁଜିଛି । ଇ-ଆଡମିଶନ ପ୍ରକ୍ରିୟାକୁ ଅଣଦେଖା କରି ଛାତ୍ରଛାତ୍ରୀମାନେ ସିଧାସଳଖ ଏସବୁ ଶିକ୍ଷାନୁଷ୍ଠାନରେ ନାମ ଲେଖାଇଥିବା ଅଭିଯୋଗ ହେଉଛି । ଏହି ଶିକ୍ଷାନୁଷ୍ଠାନ ମଧ୍ୟରେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ସାମିଲ ଅଛି।

ଏହି କାରଣରୁ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ନୋଟିସରେ ଉଲ୍ଲେଖ କରାଯାଇଛି ଯେ, ସାମସ୍ ପୋର୍ଟାଲ ମାଧ୍ୟମରେ ନାମ ନଲେଖାଇଥିବା ଛାତ୍ରଛାତ୍ରୀମାନେ ଇ-ଆଡମିଶନ ନିୟମର ସିଧାସଳଖ ଉଲ୍ଲଘଂନ କରିଛନ୍ତି ଓ ଏହା ସମ୍ପୃକ୍ତ ଶିକ୍ଷାନୁଷ୍ଠାନର କୁପରିଚାଳନାକୁ ଉଜାଗର କରୁଛି । ଏହା ମଧ୍ୟ ସମ୍ପୃକ୍ତ ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ପ୍ରଭାବିତ କରିବାର ଆଶଙ୍କା ରହିଛି । ଏଭଳି ସାମସ୍ ବା ଇ-ଆଡମିଶନ ପ୍ରକ୍ରିୟା ବାହାରେ ଛାତ୍ରଛାତ୍ରୀଙ୍କୁ ଆଡମିଶନ ଦେଇଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ଆସନ୍ତା ଜାନୁୟାରୀ ୨୦ତାରିଖ ସୁଦ୍ଧା ନିଜର ସ୍ପଷ୍ଟୀକରଣ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

You May Also Like

More From Author

+ There are no comments

Add yours