ରେଳ ବଜେଟରେ ଓଡିଶାକୁ ମିଳିପାରେ ଅଧିକ ଅନୁଦାନ

ନୂଆଦିଲ୍ଲୀ : ଆସନ୍ତା ରେଳ ବଜେଟ୍‌ରେ ଓଡ଼ିଶାକୁ ଅଧିକ ଅନୁଦାନ ମିଳିପାରେ । ୨୦୨୨-୨୩ରେ ରେଳ ପାଇଁ ୧.୩୭ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ଓଡ଼ିଶା ଭାଗରେ ଥିଲା ୯,୭୩୪ କୋଟି ଟଙ୍କା। ତେବେ ୨୦୨୩-୨୪ ଆର୍ଥିକ ବର୍ଷରେ ରେଳ ବଜେଟ୍‌ ୨.୫ ଲକ୍ଷ କୋଟି ଟଙ୍କା ହେବ ବୋଲି ସୂଚନା ଥିବାରୁ ଓଡ଼ିଶା ଏଥର ବଜେଟ୍‌ରେ ଅଧିକ ଅନୁଦାନ ପାଇବ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

ଓଡ଼ିଶାର ସାଂସଦମାନେ ବିଭିନ୍ନ ସମୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟି ସେମାନଙ୍କ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଅନୁରୋଧ କରିଛନ୍ତି । ୨୦୨୨-୨୩ରେ ରାଜ୍ୟ ସରକାରଙ୍କ ଦ୍ବାରା ରେଳ ବଜେଟରେ ୭,୬୦୦ କୋଟି ଟଙ୍କା ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦିଆଯାଇଥିବା ବେଳେ ମିଳିଥିଲା ୯,୭୩୪ କୋଟି ଟଙ୍କା। ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୩-୨୪ ରେଳ ‌ବଜେଟରେ ୮,୪୦୦ କୋଟି ଟଙ୍କା ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି। ଖୋର୍ଦ୍ଧାରୋଡ-ବଲାଙ୍ଗୀର ପାଇଁ ୧୨୦୦ କୋଟି, ତାଳଚେର-ବିମଳାଗଡ଼ ପ୍ରକଳ୍ପ ପାଇଁ ୮୦୦ କୋଟି ଟଙ୍କା, ନୂଆପଡ଼ା-ଗୁଣୁପୁର ରେଳ ଲାଇନ ପାଇଁ ୩୦୦ କୋଟି ଟଙ୍କା, ଜୟପୁର-ମାଲକାନଗିରି ନୂଆ ଲାଇନ ପାଇଁ ୨୦୦ କୋଟି ଟଙ୍କାର ବ୍ୟବସ୍ଥା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହା ବାଦ୍‌ ଓଡ଼ିଶାର ଅସମ୍ପୂର୍ଣ୍ଣ ରେଳ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ଶେଷ କରିବା, ନୂଆ ଲାଇନ୍‌ଗୁଡିକୁ ମଞ୍ଜୁରୀ ପ୍ରଦାନ କରିବା, ପୁରାତନ ପ୍ରକଳ୍ପଗୁଡ଼ିକର ଦୋହରୀକରଣ, ନୂତନ ରେଳଲାଇନ ବିଛାଇବା, ‌ଷ୍ଟେସନମାନଙ୍କରେ ଯାତ୍ରୀମାନଙ୍କ ପାଇଁ ସୁବିଧା ତଥା ଯାତ୍ରୀ ସୁରକ୍ଷା ବାବଦରେ ମଧ୍ୟ ବଜେଟରେ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ରହିଛି।

ରାଜ୍ୟରେ ରେଳ ଭିତ୍ତିଭୂମିର ବିକାଶ ଲାଗି ବଜେଟରେ ପର୍ଯ୍ୟାପ୍ତ ବ୍ୟବସ୍ଥା ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। ଆଗାମୀ ବଜେଟରେ ୩୦୦ରୁ ୪୦୦ ନୂଆ ବନ୍ଦେ ଭାରତ ଟ୍ରେନର ଚଳାଚଳ ତଥା ଷ୍ଟେସନଗୁଡ଼ିକର ପୁନର୍ବିକାଶ ନେଇ ଘୋଷଣା କରାଯିବା ସମ୍ଭାବନା ରହିଛି। ବର୍ତ୍ତମାନ ରାଜ୍ୟମାନଙ୍କ ପ୍ରସ୍ତାବ ଉପରେ କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ବିଚାରବିମର୍ଶ ଜାରି ରହିଛି। ବଜେଟକୁ ଚୂଡ଼ାନ୍ତ ରୂପ ଦେବା ପୂର୍ବରୁ ଅନେକ ପର୍ଯ୍ୟାୟ ଆଲୋଚନା ହେବ। ଆସନ୍ତା ମାସ ପହିଲାରେ ସାଧାରଣ ବଜେଟ ଉପସ୍ଥାପନ ହେବ।

You May Also Like

More From Author

+ There are no comments

Add yours