
ଓଡିଶାରେ ପହଚିଂଲା ବିଜୁବାବୁଙ୍କ ଅତିପ୍ରିୟ ଡାକୋଟା ବିମାନ । ୩ଟି କଣ୍ଟେନରରେ ଲଦା ହୋଇ ଆସିଛି ଏହି ଡାକୋଟା । କୋଲକତା ବିମାନ ବନ୍ଦରରୁ ଭୁବନେଶ୍ୱର ଅଣାଯିବା ପ୍ରକ୍ରିୟା ଗତକାଲିଠାରୁ ଆରମ୍ଭ ହୋଇଥିଲା । ସ୍ଥାନେ ସ୍ଥାନେ ଏହି ବିମାନ ଦେଖିବାକୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।ଏରୋସ୍ପେସ୍ ରିସର୍ଚ୍ଚ ଡେଭଲପମେଟଂର ୧୦ ଜଣିଆ ଟିମ୍ ୧୨ ଦିନ ଧରି ଡାକୋଟାର ବିଭିନ୍ନ ଯନ୍ତ୍ରାଂଶ ଖୋଲିବା କାର୍ଯ୍ୟରେ ନିୟୋଜିତ ଥିଲେ । ପରେ ଏହାର ବିଭିନ୍ନ ଅଂଶକୁ ପ୍ୟାକିଙ୍ଗ ମଧ୍ୟ କରିଥିଲେ । ଗତ କାଲି ରାତିରେ କୋଲକତା ବିମାନ ବନ୍ଦରରୁ ଦୁଇଟି ଲରିରେ ଏସବୁ ବାକ୍ସକୁ ଲୋଡିଂ କରି ଅଣାଯାଇଛି । ବଡ ଲରି ଯୋଗୁ ଟ୍ରାଫିକ ସମସ୍ୟା ନହେବା ପାଇଁ କୋଲକତାରୁ ସ୍ୱତନ୍ତ୍ର ପାଟ୍ରୋଲିଂ ଭ୍ୟାନ୍ ଜରିଆରେ ଏହାକୁ ଭୁବନେଶ୍ୱର ବିମାନ ବନ୍ଦରକୁ ଅଣାଯିବ । ବିମାନର ବିଭିନ୍ନ ଅଂଶକୁ ଖୋଲା ଯାଇ ଓଡିଶା ଅଣାଯାଇଛି । ବିମାନଟିକୁ ସୁରକ୍ଷା ସହିତ ସୀମାପାର କରିବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଛି । ଓଡିଶା ସୀମାରେ ପହଚିଂବା ପରେ ଡାକୋଟାକୁ ବାଲେଶ୍ୱର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ୱର ଅଣାଯିବ । ଏ ନେଇ ଜିଲ୍ଲା ପ୍ରଶାସନ ଗୁଡିକ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜଳେଶ୍ୱର ଲଖ୍ମଣନାଥ ଟୋଲ୍ଗେଟ୍ ନିକଟରେ ଡାକୋଟୋ ବିମାନ ପହଚିଂବା ପରେ ଏବେ ଏହା ଭୁବନେଶ୍ୱର ଅଭିମୁଖେ ଆସୁଛି । ସୁବାଷ ବୋଷ ଅନ୍ତର୍ଜାତୀୟ ବିମାନବନ୍ହରରୁ ଜାତୀୟ ରାଜପଥ ଦେଇ ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ୩ଟି କଣ୍ଟେନରରେ ଭୁବନେଶ୍ୱର ଆସୁଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସମୃଦ୍ଧ ସହ ଜଡିତ ଏହି ଡାକୋଟା ବିମାନ । ଏହି ଡାକୋଟା ବିମାନକୁ ପଶ୍ଚିମବଙ୍ଗରୁ ଓଡିଶା ଫେରାଇ ଆଣିବାକୁ ଦୀର୍ଘ ଦିନ ହେବ ପ୍ରୟାସ କରାଯାଉଥିଲା । ଶେଷରେ ଏହି ପ୍ରୟାସ ର ଅନ୍ତ ଘଟିଲା । ବିଜୁ ବାବୁଙ୍କ ଅତି ପ୍ରିୟ ଡାକୋଟା ବିମାନ ଭୁବନେଶ୍ୱର ଆସିବା ପରେ ଏହାକୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରଖାଯିବ । ୧୯୪୭ ମସିହାରେ ପାକିସ୍ତାନୀ ଶତ୍ରୁ ବଳୟ ଭିତରେ ପଶି ଶ୍ରୀନଗରରେ ଭାରତୀୟ ସେନାଙ୍କୁ ଏୟାଲିଫ୍ଟ କରିବା ହେଉ କି ସେନା ପାଇଁ ଗୋଳାବାରୁଦ ଓ ଔଷଧ ପରିବହନ, ଅଥବା ଇଣ୍ଡୋନେସିଆର ପ୍ରଧାନମନ୍ତ୍ରୀଙ୍କୁ ଡଚ୍ଙ୍କ କବଳରୁ ଉଦ୍ଧାର, ଏ ସମସ୍ତ ଦୁଃସାହସିକ ଅଭିଯାନରେ ଦୁର୍ଦ୍ଦଶ ପାଇଲଟ୍ ବିଜୁ ପଟ୍ଟନାୟକଙ୍କ ସାଥୀ ଥିଲା ଡାକୋଟା ବିମାନ। ସେହି ବିମାନ କୋଲକାତାର ନେତାଜୀ ବିମାନ ବନ୍ଦରରେ ଡମ୍ପିଂୟାର୍ଡରେ ଖତ ଖାଉଥିବା ବେଳେ ତାହାକୁ ଓଡ଼ିଶା ଫେରାଇ ଆଣିବାକୁ ଦୀର୍ଘ ଦିନ ହେବ ଉଦ୍ୟମ ଆରମ୍ଭ ହୋଇଥିଲା। ୧୯୯୭ରେ ବିଜୁ ବାବୁଙ୍କ ଦେହାନ୍ତ ପରେ ଡାକୋଟା ଓଡ଼ିଶା ଫେରିବା ପରେ ଅଶା ନଥିଲା । ଏହାକୁ ଫେରାଇ ଆଣିବା ନିମନ୍ତେ ରାଜ୍ୟ ସରକାର ପ୍ରାୟ ୨ ବର୍ଷ ପୂର୍ବେ ଏକ କମିଟି ଗଠନ କରିଥିଲେ। ଦୀର୍ଘ ବର୍ଷର ଉଦ୍ୟମ ପରେ ଆଜି ଏହା ଓଡ଼ିଶା ସୀମାରେ ପ୍ରବେଶ କରିଥିବାରୁ ରାଜ୍ୟବାସୀ ବେଶ୍ ଉତ୍ସାହିତ ଅଛନ୍ତି।ଡାକୋଟା ବିମାନ ଦାୟିତ୍ୱରେ ଥିବା ଜଣେ ଅଧିକାରୀ କହିଛନ୍ତି, କୋଲକତା ପୁଲିସ୍, ଓଡ଼ିଶା ପୁଲିସ୍, ଆରଟିଓ ପ୍ରମୁଖ ମିଳିତ ସହଯୋଗରେ ଡାକୋଟାକୁ ଓଡ଼ିଶା ଫେରାଇ ଅଣାଯାଉଛି।