Wed. Oct 14th, 2026

ଓଡ଼ିଆ ଫିଲ୍ମ  ‘ଦମନ’ର ହିନ୍ଦୀ ଟ୍ରେଲର ରିଲିଜ୍ ହୋଇଯାଇଛି। ନିଆରା କାହାଣୀକୁ ନେଇ ସାରା ଓଡ଼ିଶାରେ ଚହଳ ପକାଇଥିବା ଏହି ଓଡ଼ିଆ ଫିଲ୍ମକୁ ଏବେ ସାରା ଦେଶ ଦେଖିବ। ପୂର୍ବରୁ ଓଡ଼ିଆ ଭାଷାରେ ରିଲିଜ ହୋଇ ଲୋକପ୍ରିୟ ହୋଇଥିବା ‘ଦମନ’ ଏବେ ହିନ୍ଦୀ ଭାଷାରେ ଆସିବ। ‘ଦମନ’ର ଅଫିସିଆଲ୍ ଟ୍ରେଲରକୁ ନିଜ ୟୁଟ୍ୟୁବ୍ ପେଜରେ ସେୟାର କରିଛି ‘ପାନୋରାମା ଷ୍ଟୁଡିଓଜ୍’। ଏହି ଫିଲ୍ମଟି ଆସନ୍ତା ମାସ ୩ ତାରିଖରେ ରିଲିଜ୍ ହେବ ବୋଲି ପାନୋରାମା ଷ୍ଟୁଡିଓଜ୍ ପକ୍ଷରୁ ସୂଚନା ଦିଆଯାଇଛି। ୨୦୧୫ ମସିହାରେ ଏକ ସରକାରୀ ମେଡିକାଲ କଲେଜରୁ ନିଜର ଏମବିଏଏସ ପୂରା କରି ଯୁବ ଡାକ୍ତର ସିଦ୍ଧାର୍ଥ ମହାନ୍ତି ଆଦିବାସୀମାନଙ୍କ ଅଞ୍ଚଳ ମାଲକାନଗିରିରେ ନିଯୁକ୍ତ ହେଉଛନ୍ତି। ଡାକ୍ତର ସିଦ୍ଧାର୍ଥ ନିଯୁକ୍ତ ହେଇଥିବା ‘ଜାନବାଇ ପିଏଚ୍ସି’ ଅଧୀନରେ ୧୫୧ଟି ଗାଁ ଯାଉଥିବା ବେଳେ ପୂରା ଅଞ୍ଚଳ ରହିଛି ନକ୍ସଲ୍ ଙ୍କ କବ୍ଜାରେ। କେବଳ ସେତିକି ନୁହେଁ, ସେହି ଅଞ୍ଚଳ ଅନେକ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛି। ପ୍ରଥମେ ଡାକ୍ତର ସିଦ୍ଧାର୍ଥ ସେ ସ୍ଥାନ ଛାଡ଼ି ପଳେଇ ଆସିବାକୁ ଚିନ୍ତା କରି ପରେ ସେ ଅଞ୍ଚଳରେ ବ୍ୟାପିଥିବା ମେଲେରିଆର ନିରାକରଣ ପାଇଁ ପ୍ରତିଜ୍ଞାବଦ୍ଧ ହୁଅନ୍ତି। ଅଣଶିକ୍ଷିତ ଲୋକଙ୍କ ଅନ୍ଧବିଶ୍ବାସ ଓ ରୋଗ ସହ ଲଢ଼ି ଲଢ଼ି ଶେଷରେ ସେ ମେଲେରିଆ ପରି ଏକ ରୋଗକୁ ନିୟନ୍ତ୍ରଣକୁ ଆଣନ୍ତି। ଏହା ଏକ ସତ କାହାଣୀ ହୋଇଥିବା ବେଳେ ଚଳଚ୍ଚିତ୍ରଟି ଏହାର ଆଧାରରେ ନିର୍ମିତ ହୋଇଛି। ଓଡ଼ିଶା ସରକାରଙ୍କ ମ୍ୟାଲେରିଆ ନିରାକରଣ କାର୍ୟ୍ୟକ୍ରମ ଉପରେ ପର୍ୟ୍ୟବସିତ ଏହି ଚଳଚ୍ଚିତ୍ରଟି ସମସ୍ତଙ୍କ ମନ କିଣିଥିଲା। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଥିବା ଅଭିନେତା ବାବୁସାନ ମହାନ୍ତିଙ୍କ ଅଭିନୟକୁ ମଧ୍ୟ ଦର୍ଶକ ଖୁବ ପସନ୍ଦ କରିଥିଲେ। ଲୋକପ୍ରିୟତା ବଢ଼ିବା ପରେ ଚଳଚ୍ଚିତ୍ର ‘ଦମନ’କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରମୁକ୍ତ ଘୋଷଣା କରିଥିଲେ। ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଉଦାସୀନ ହୋଇ ଉଠିଥିବା ଦର୍ଶକଙ୍କୁ ପୁଣି ଥରେ ଫିଲ୍ମ ହଲକୁ ଟାଣି ଆଣିଥିଲା ‘ଦମନ୍’। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ବିଶାଲ ମୌର୍ୟ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଦେଇଥିବା ବେଳେ ପ୍ରଯୋଜନାରେ ଅଛନ୍ତି କୁମାର ମଙ୍ଗତ ପାଠକ, ଅଭିଷେକ ପାଠକ ଓ ଦୀପେନ୍ଦ୍ର ସାମଲ।

Leave a Reply

Your email address will not be published. Required fields are marked *