
ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୮ ଦିନିଆ ମହିଳା ଆତ୍ମରକ୍ଷା ତାଲିମ ଶିବିର ଶୁଭାରମ୍ଭ ହୋଇଛି । ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆୟୋଜକ କ୍ରୀଡା ଶିକ୍ଷକ ବିଭୁଧେନ୍ଦୁ ମାନସିଂହ ଓ ସହ ଆୟୋଜକ ଶିବ ଶଙ୍କର ପଣ୍ଡାଙ୍କ ତତ୍ତ୍ୱାବଧାନରେ ତାଲିମ ଦିଆଯାଉଛି । କାର୍ଯ୍ୟକ୍ରମକୁ ପ୍ରଶିକ୍ଷିକା କଳ୍ପଶ୍ରୀ ପ୍ରଧାନ ଓ ଅର୍ଚନା ବେହେରା ପରିଚାଳନା କରୁଛନ୍ତି। ଏହି ଶିବିରରେ ପ୍ରାୟ ୧୬୦ ଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ବ୍ୟବସ୍ଥା ହେଉଛି । ଏହି କାର୍ଯ୍ୟକ୍ରମର ଉଦଘାଟନ ଅବସରରେ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ମୁଖ୍ୟ ଅତିଥି ଓ ଗ୍ରାମୀଣ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସଂଗ୍ରାମ କେଶରୀ ସାହୁ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ । ଅତିଥି ମାନେ ନିଜର ଅଭିଭାଷଣରେ ପାଠ ସହ ନିଜର ଆତ୍ମରକ୍ଷା କିଭଳି ଛାତ୍ରୀ ମାନଙ୍କ ପାଇଁ ନିହାତି ଆବଶ୍ୟକ ,ସେ ନେଇ ମତ ରଖିଥିଲେ ।
ଏକ ନିର୍ଦ୍ଦିଷ୍ଟ ବୟସରେ ବିଶେଷତଃ ଛାତ୍ରୀମାନେ ରାସ୍ତାଘାଟରେ ଭିନ୍ନ ଭିନ୍ନ ବିପଦ, ଓ ଅସାମାଜିକ ଯୁବକ ମାନଙ୍କ ଦ୍ୱାରା ରାସ୍ତାରେ କମେଣ୍ଟ ମାରିବା ସହ ନାନାଦି ଅଶାଳୀନ ବ୍ୟବହାରର ଶିକାର ହୁଅନ୍ତି । ତେବେ ଏଥିପାଇଁ ଛାତ୍ରୀ ମାନେ ସାହାସୀ ହେବା ସହ ଆତ୍ମରକ୍ଷା କୌଶଳ ଶିଖିବା ଉଚିତ । ସରକାର ନାରୀ ସଶକ୍ତି କରଣ ପାଇଁ ବିଭିନ୍ନ ଯୋଜନାରେ ପ୍ରତି ସ୍କୁଲ ଓ କଲେଜରେ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ତାଲିମ ଶିବିର ଆୟୋଜନ କରୁଛନ୍ତି । ମହିଳା ଆତ୍ମରକ୍ଷା ତାଲିମ ଶିବିରର ଉଦଘାଟନ ସମାରୋହରେ ଗ୍ରାମୀଣ ଉଚ୍ଚ ବିଦ୍ୟିାଳୟର ଅଧ୍ୟକ୍ଷା ଶ୍ରୀମତି ରଶ୍ମିତା ମହାନ୍ତି, ଅଧ୍ୟାପକ ଇଂରାଜି ବିଭାଗ ପ୍ରଶାନ୍ତ ଦାଶ, ଅଧ୍ୟାପକ ଓଡିଆ ବିଭାଗ ଶ୍ରୀ ସର୍ବେଶ୍ୱର ଷଡଙ୍ଗି, ଅଧ୍ୟାପକ ମହାପାତ୍ର, ପ୍ରମୁଖ ତାଲିମ ଶିବିରକୁ ସୁପରିଚାଳନା କରୁଛନ୍ତି ।