ଓଏଏସ୍ ରୁ ବାଦ ପଡିଲା ଓଡିଆ ଭାଷା

ଓଡିଆରେ ଆସିବନି ଓଏଏସ୍ ପରୀକ୍ଷାର ପ୍ରଶ୍ନ । ଆଶାୟୀ ପୂର୍ବପରି ଇଂରାଜୀ ପ୍ରଶ୍ନ ପଢି ଓଡିଆରେ ଉତର ଲେଖିପାରିବେ । ଗତ ଡିସେମ୍ବର ୩୦ ରେ ୬୮୩ ଫର୍ଦ୍ଦ ଲାଗି ପ୍ରକାଶିତ ଓଡିଶା ଲୋକସେବା ଆୟୋଗ, ଓପିଏସସି ଏହା ଉଲ୍ଲେଖ ରହିଛି । ଯାହାକୁ ନେଇ ଓଡିଆ ଭାଷାପ୍ରେମୀ  ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟ କ୍ୟାବିନେଟର ନିଷ୍ପତି ଅନୁସାରେ, ବିଭିନ୍ନ ଚୟନ ପ୍ରକ୍ରିୟାରେ ପରୀକ୍ଷା ଲାଗି ଉଭୟ ଓଡିଆ ଓ ଇଂରାଜୀ ଭାଷାରେ ପ୍ରଶ୍ନପତ୍ର ପ୍ରସ୍ତୁତି କରିବା ବ୍ୟବସ୍ଥା ହୋଇଛି । କିନ୍ତୁ ଗେଜେଟ ନୋଟିଫିକେସନ୍ରେ ଏହି ନିୟମଟି ଆଦୌ ନାହିଁ । ତେବେ କ୍ୟାବିନେଟ ନିଷ୍ପତି ପରେ ବି ଗେଜେଟ ନୋଟିଫିକେସନ୍ରେ କିପରି ଏହା ସ୍ଥାନିତ ହେଲାନି? ଏଭଳି ସାମ୍ବିଧାନିକ ସଙ୍କଟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭାଷା ପ୍ରେମୀ । ଏହାଦ୍ୱାରା ଛାତ୍ରଛାତ୍ରୀ ପ୍ରଭାବିତ ହେବେ ବୋଲି ମତ ପ୍ରକାଶ ପାଇଛି । ସେପଟେ ବହୁବାର ଭାଷାବିତ୍ଙ୍କ ଦାବି ଓ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଏଏସ୍ ପରୀକ୍ଷାରେ ଓଡିଆରେ ଉତର ଲେଖିବା ପାଇଁ ୨୦୧୩ରୁ ବ୍ୟବସ୍ଥା ହୋଇଛି । ୧୯୮୦ ମସିହାରୁ ସବୁ ରାଜ୍ୟରେ ଆଂଚଳିକ ଭାଷାରେ ରାଜ୍ୟ ପ୍ରଶାସନିକ ସେବା ପରୀକ୍ଷା ଅନୁଷ୍ଠିତ ହେଉଛି । ତେବେ ଅନ୍ୟ ରାଜ୍ୟ ଭଳି ଓଡିଶାରେ ଓଡିଆ ଭାଷାରେ କାହିଁକି ପ୍ରଶ୍ନ ଆସୁ ନାହିଁ ବୋଲି ପ୍ରଶ୍ନ ଉଠିଛି । ଓଡିଆରେ ପ୍ରଶ୍ନପତ୍ର ଆସିଲେ ଉପାନ୍ତ ତଥା ଆଦିବାସୀ ଅଧୁଷିତ ଅଂଚଳର ଛାତ୍ରଛାତ୍ରୀ ବିଶେଷ ଭାବେ ଉପକୃତ ହେବେ । ଜେଇଇ, ନିଟ୍ ଓ ରେଲୱେ ପରୀକ୍ଷାରେ ଓଡିଆରେ ପ୍ରଶ୍ନପତ୍ର ଆସୁଛି । ତେବେ କ୍ୟାବିନେଟ୍ ନିଷ୍ପତି ସତ୍ୱେ ଓଡିଆ ଭାଷାରେ ପ୍ରଶ୍ନ ନ ଆସିବା ଆଶାୟୀଙ୍କୁ ନିରାଶ କରିଛି । ଓଡିଆ ଭାଷାରେ ଉତର ଦେଇପାରିବେ, କିନ୍ତୁ ଓଡିଆ ଭାଷାରେ ପ୍ରଶ୍ନପତ୍ର କାହିଁକି ଆସିବନି? ଏପ୍ରଶ୍ନକୁ ନେଇ ଭାଷାବିତମାନେ କଡା ସମାଲୋଚନା କରିଥିବାବେଳେ ଓପିଏସ୍ସି ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ଓଡିଆ ଭାଷା ମାଧ୍ୟମରେ ପରୀକ୍ଷା ପଦ୍ଧତି ନିୟମାବଳୀ ୨୦୨୨ ଅନ୍ତର୍ଗତ ଦ୍ୱିତୀୟ ନିୟମରେ ବିଭିନ୍ନ ସରକାରୀ ଚାକିରି ପାଇଁ ଚୟନ ପ୍ରକ୍ରିୟାର ପରୀକ୍ଷା ପ୍ରଶ୍ନପତ୍ର ଓଡିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ କରିବାକୁ ବ୍ୟବସ୍ଥା କରାଯାଇଥିଲା । ମାତ୍ର ଘୋଷଣାର ଦୁଇ ମାସ ପରେ ରାଜ୍ୟ କ୍ୟାବିନେଟର ନିଷ୍ପତିକୁ ମାନି ଓପିଏଏସ୍ ପୁଣିଥରେ ଓଡିଆ ଭାଷାକୁ ହତାଦର କରିଛି । ସେହିପରି ରାଜ୍ୟର ପ୍ରଶାସନିକ ସ୍ତରରେ ଓଡିଆ ଜାଣିବା ବାଧ୍ୟତାମୂଳକ ଥିଲାବେଳେ କାହା ସ୍ୱାର୍ଥରେ ଇଂରାଜୀ ଭାଷାକୁ ବାଧତାମୂଳକ କରାଯାଇଛି ବୋଲି ପ୍ରଶ୍ନ ଉଠିଛି ।

You May Also Like

More From Author

+ There are no comments

Add yours