ପରଲୋକରେ ମୋଦୀଙ୍କ ମାଆ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ଙ୍କର ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ହୀରାବେନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।୨ ଦିନ ପୂର୍ବେ ହୀରାବେନ ଅହମ୍ମଦାବାଦର ୟୁଏନ୍ ମେହଟା ହସ୍ପିଟାଲରେ ଭର୍ତି ହୋଇଥିଲେ । ଶ୍ୱାସକ୍ରିୟାରେ ସମସ୍ୟା ପାଇଁ ମେଡିକାଲରେ ଚିକିତ୍ସିତ ହେଉଥିଲେ ।ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିନ ତାଙ୍କ ଅସୁସ୍ଥ ମା’ଙ୍କୁ ଅହମଦାବାଦ ହସ୍ପିଟାଲରେ ଭେଟି ସ୍ୱାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ହୀରାବେନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ହସ୍ପିଟାଲ ପକ୍ଷରୁ ବୁଲେଟିନ ଜାରି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତି ୩ ଟା ୩୦ ମିନିଟରେ ହୀରା ବେନଙ୍କ ଦେହାନ୍ତ ହୋଇଛି । ମାଙ୍କ ଦେହାନ୍ତ ନେଇ ପ୍ରଧାନମନ୍ତ୍ରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଏକ କୋହଭରା ଟ୍ୱିଟରେ ମୋଦୀ ଲେଖିଛନ୍ତି ଭଗବାନଙ୍କ ପାଦରେ ଏକ ଗୌରବମୟ ଶତାଦ୍ଦୀର ଅନ୍ତ ହୋଇଛି । ମା’ଜଣେ ନିସ୍ୱାର୍ଥପର କର୍ମଯୋଗୀ ଥିଲେ ବୋଲି ମୋଦି ଲେଖିଛନ୍ତି । ପଂଚଭୂତରେ ଲୀନ ହୋଇଛି ମା’ ହୀରାବେନଙ୍କ ପାର୍ଥିବ ଶରୀର । ଭାଇ ପଙ୍କଜ ମୋଦୀଙ୍କ ବାସ ଭବନରୁ ହୀରାବେନଙ୍କ ପାର୍ଥିବ ଶରୀରକୁ ଗାନ୍ଧୀନଗର ସେକ୍ଟର-୬ ଶ୍ମଶାନକୁ ନିଆଯିବା ପରେ ସେଠାରେ ମନ୍ତ୍ରପାଠ ସହ ସମସ୍ତ ରୀତିନିତି ଶେଷ ପରେ ଭାଇ ପଙ୍କଜ ମୋଦୀ ଓ ପ୍ରଧାନମନ୍ତ୍ରୀ ମୋଦୀ ମୁଖାଗ୍ନି ଦେଇଥିଲେ । ଶତାୟୁ ମାଆ ଙ୍କୁ ମେଲାଣୀ ଦେବାବେଳେ ଭାବବିହ୍ୱଳ ହୋଇପଡିଥିଲେ ମୋଦୀ ଓ ଭାଇ ପଙ୍କଜ । ଯାହା ତାଙ୍କ ଶେଷ ଦର୍ଶନ ଓ କୋକେଇକୁ କାନ୍ଧଦେଇ ନେଉ ଥିବାବେଳେ ସ୍ପଷ୍ଟ ବାରି ହୋଇପଡୁଥିଲା । ପୁଅ ରାଜା ହେଉ କି କଙ୍କର ମାଆ ଓ ସନ୍ତାନର ସମ୍ପର୍କ ଭିନ୍ନ ଓ ସ୍ୱତନ୍ତ୍ର । ଉଭୟ ମାଟିରେ ମିଶିବା ଯାଏଁ ଉଭୟଙ୍କୁ ଭୁଲିପାରିବା ଅସମ୍ଭବ । ଯାହା ମୋଦୀ ଓ ହୀରାବେନଙ୍କ ସମ୍ପର୍କ ପ୍ରମାଣ କରିଛି । ପିଲାବେଳୁ ମା’ ଦେଇଥିବା ଅମୂଲ୍ୟ ଶିକ୍ଷାକୁ ଆଧାର କରି ଜୀବନର ବାଟ ଚାଲୁଥିଲେ ଓ ଏବେବି ଚାଲୁଛନ୍ତି ମୋଦୀ । ଯଦିଓ ମୋଦୀଙ୍କ ମା ହୀରାବେନଙ୍କ ଜୀବନ ସଂଘର୍ଷମୟ ଥିଲା କିନ୍ତୁ ଜୀବନର ପ୍ରତ୍ୟେକ ମୁହୁର୍ତରେ ନିଜକୁ ସେ ଶୃଙ୍କଳିତ କରି ରଖିଥିଲେ । ମା’ଙ୍କ ସହ ମୋଦିଙ୍କ ଏକ ଖାସ୍ ସମ୍ପର୍କ ଥିଲା । ମାଙ୍କ ୧୦୦ ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଏକ ବ୍ଲଗ ଲେଖିଥିଲେ । ଯେଉଁଥିରେ ସେ ତାଙ୍କ ମାଙ୍କ ବଳିଦାନ, ସଂଘର୍ଷମୟ କାହାଣୀ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଜୀବନରେ ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ହୀରାବେନ ଗତି କରିଥିଲେ । ଘରର ଆର୍ଥିକ ଓ ପାରିବାରିକ ସ୍ଥିତି ଖରାପ ଯୋଗୁଁ ଯଦିଓ ହୀରାବେନଙ୍କୁ ପାଠପଢିବା ପାଇଁ ସୁଯୋଗ ମିଳିନଥିଲା, ହେଲେ ସେ ନିଜ ପିଲାଙ୍କୁ ଉପଯୁକ୍ତ ଶିକ୍ଷାଦାନ ଲାଗି ଅନ୍ୟଘରେ କାମ କରିବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । ହୀରାବେନ କେବଳ ଘରର ସମସ୍ତ କାର୍ଯ୍ୟ କରୁନଥିଲେ ବରଂ ଘରର ଅନ୍ୟାନ୍ୟ ଖର୍ଚ୍ଚ ପୂରଣ ପାଇଁ ବାହାରେ ମଧ୍ୟ କାମ କରୁଥିଲେ । କିଛି ଲୋକଙ୍କ ଘରକୁ ଯାଇ ସେ ବାସନକୁସନ ମାଜି ଘରର ଖର୍ଚ୍ଚ ଉଠାଉଥିଲେ । ପିଲାଙ୍କର ଫି ଦେବା ପାଇଁ ସେ କେବେ କାହାଠୁ ୧ ଟଙ୍କା ବି ଉଧାର ନେଇ ନଥିଲେ । ହୀରାବେନ ସବୁବେଳେ ଚାହୁଁଥିଲେ ତାଙ୍କର ସମସ୍ତ ପିଲା ପାଠପଢି ଉଚ୍ଚ ଶିକ୍ଷିତ ହୁଅନ୍ତୁ ।

You May Also Like

More From Author

+ There are no comments

Add yours