Wed. Oct 14th, 2026

ଚୀନ ସମେତ ଅନ୍ୟ କେତେକ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ଏବେ ଭାରତର ଚିନ୍ତା ବଢ଼ାଇଛି। ତେବେ ଭାରତରେ ସମ୍ଭାବ୍ୟ କରୋନା ସ୍ଥିତିକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି ଯେ, ଆସନ୍ତା ୨୦୨୩ ଜାନୁଆରୀ ୧ ରୁ ଚୀନ, ହଂକଂ, ଜାପାନ, ଦକ୍ଷିଣକୋରିଆ, ସିଂଗାପୁର ଓ ଥାଇଲାଣ୍ଡରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଆରଟିପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯିବ। ଏହାସହ ସେଠାରୁ ଯାତ୍ରା କରିବା ପୂର୍ବରୁ ସେମାନଙ୍କର କୋଭିଡ ରିପୋର୍ଟ ବିମାନ ସୁବିଧା ପୋର୍ଟାଲରେ ଅପଲୋଡ କରିବା ବାଧ୍ୟତାମୂଳକ ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀଙ୍କ ମୁତାବକ ଏହି ୬ଟି ଦେଶରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀଙ୍କ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ଜମା କରିବା ବାଧ୍ୟତାମୂଳକ । କେନ୍ଦ୍ର ସରକାର ଏଭଳି ନିୟମ ସେତେବେଳେ ଆଣିଛନ୍ତି ଯେତେବେଳେ ବୈଜ୍ଞାନିକମାନେ ମତ ରଖିଛନ୍ତି ଯେ, ଆଗାମୀ ୪୦ ଦିନ ଦେଶପାଇଁ ମହତ୍ୱପୂର୍ଣ୍ଣ । ସେପଟେ ଜାନୁଆରୀ ଠାରୁ କୋଭିଡ ସଂକ୍ରମଣ ଆହୁରି ବଢିବ ବୋଲି ସେମାନେ ଆକଳନ କରିଛନ୍ତି ।

ଅନ୍ୟପଟେ କେନ୍ଦ୍ର ସରକାର ଏହା ପୂର୍ବରୁ ବିଦେଶରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ବିମାନବନ୍ଦରରେ ରେଣ୍ଡମ ସାମ୍ପେଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ବୁଧବାର ଦିନ ଜଣେ ଅଧିକାରୀ କହିଥିଲେ ଏଥିରେ ୬ ହଜାର ଲୋକଙ୍କର ପରୀକ୍ଷା କରାଯାଇଥିବା ବେଳେ ୩୯ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଚୀନ ଓ ଦକ୍ଷିଣକୋରିଆ ସମେତ କିଛି ଦେଶରେ କୋଭିଡ ସଂକ୍ରମଣ ଦ୍ରୁତଗତିରେ ବଢିବାରେ ଲାଗିଛି । ଏହା ମଧ୍ୟରେ ଭାରତ ସରକାର ଦେଶବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି । ଏହାସହ ପ୍ରତି ରାଜ୍ୟସରକାର ସ୍ଥିତି ଉପରେ ନଜର ରଖି ପ୍ରସ୍ତୁତ ରହିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି

Leave a Reply

Your email address will not be published. Required fields are marked *