ଓଜନ କମାଇବାରୁ ମିଳିଲା ପୁରସ୍କାର

କଥାରେ ଅଛି ଚାକିରୀ କରିବ ପୁଲିସି, ମାଛ ଖାଇବ ଇଲିସି । ଅନେକ ସମୟରେ ପୋଲିସ ବାବୁଙ୍କ ଚେହେରା ଓ ତାଙ୍କ ଶରୀରର ଗଠନକୁ ନେଇ ଅନେକ ଭିଡିଓ ଭାଇରାଲ ହେବାର ଆମେ ଦେଖିଥାଉ । ତେବେ ଏନେଇ ଅନେକ ପ୍ରଶ୍ନ ମଧ୍ୟ ସାମନାକୁ ଆସେ । ଯେପରିକି ଆଇନଶୃଙ୍କଳା ପରିସ୍ଥିତି ଉପୁଜିଲେ କେମିତି ସମ୍ଭାଳିବେ ଫିଟ୍ ନଥିବା ପୋଲିସ । ଏବେ କିନ୍ତୁ ଓଜନ ହ୍ରାସ କରି ଚର୍ଚ୍ଚାକୁ ଆସିଛନ୍ତି ପୋଲିସ ବାବୁ । ୮ ମାସ ଭିତରେ ୪୬ କେଜି କମାଇ ଚର୍ଚ୍ଚାରେ ଅଛନ୍ତି ପୋଲିସ ଏହି ଅଫିସର । ଏଥିପାଇଁ ତାଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି । ମେଟ୍ରୋ ପୋଲିସର ଡେପୁଟି କମିଶନର ଜିତେନ୍ଦ୍ର ମଣି । ପେଷାରେ ଜଣେ ପୋଲିସ ଅଫିସର କିନ୍ତୁ ମୋଟାପଣ ପାଇଁ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖିନ ହେଲେ । ଡାଇବେଟିସ, ବ୍ଲଡ୍ ପ୍ରେସର ଓ କୋଲେଷ୍ଟୋରଲ ବଢିଯିବାରୁ ସେ ଗୁରୁତର ହୋଇପଡିଥିଲେ । ଏଥିରେ ଅତିଷ୍ଠ ହୋଇ ଶେଷରେ ନିଜ ଜୀବନ ଶୈଳୀକୁ ପରିବର୍ତନ କରିବାକୁ ନିଷ୍ପତି ନେଇଥିଲେ ଜିତେନ୍ଦ୍ର ମଣି । ସେ ଦୈନିକ ୧୫ ହଜାର ଷ୍ଟେପ ଚାଲିବା ସହ ସନ୍ତୁଳିତ ଖାଦ୍ୟ ଖାଇଥିଲେ । ଅଧିକ ତନ୍ତୁଜାତୀୟ ଖାଦ୍ୟ ତଥା ଫାଇବର ଫୁଡ ଉପରେ ଗୁରୁତ୍ୱ ଦେଇଥିଲେ । ରୁଟି, ସୁପ୍ ଓ ସାଲାଡ୍ ଉପରେ ବେଶି ଫୋକସ ଦେଇଥିବା ସେ କହିଛନ୍ତି । ଡାଏଟ୍ରେ ରହିବା ପରେ ମାତ୍ର ୮ ମାସରେ ତାଙ୍କର ଶରୀରରେ ପରିବର୍ତନ ଆସିଥିଲା । ତାଙ୍କର ଅଂଟାର ମୋଟାପଣ ୧୨ ଇଂଚ ହ୍ରାସ ପାଇଥିଲା । ଏହା ସହ ଶରୀରରେ କୋଲେଷ୍ଟୋରଲ ପରିମାଣ ମଧ୍ୟ କମିଥିଲା । ଶରୀରର ମୋଟାପଣକୁ କମାଇବା ପାଇଁ ପ୍ରତି ମାସରେ ୪.୫ ଲକ୍ଷ ଷ୍ଟେପ୍ ଚାଲିବା ପାଇଁ ଲକ୍ଷ୍ୟ ରଖିଥିଲେ । ଗତ ୮ମାସରେ ୩୨ ଲକ୍ଷରୁ ଅଧିକ ଷ୍ଟେପ ଚାଲିଥିବା କହିଛନ୍ତି ଡିସିପି ଜିତେନ୍ଦ୍ର ମଣି । ଏହାଦ୍ୱାରା ତାଙ୍କ ଶରୀରର ଓଜନ ୧୩୦ କେଜିରୁ ୮୪ କେଜିକୁ କମିଛି । ସେ ନିଜେ ଫିଟ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ତାଙ୍କର ଏହି ଚେଷ୍ଟା ଓ ଫିଟ୍ ସ୍ୱାସ୍ଥ୍ୟ ପାଇଁ ଆୟୋଜିତ ଏକ ଉତ୍ସବରେ ପୋଲିସ କମିଶନର ସଂଜୟ ଅରୋରା ତାଙ୍କୁ ମାନପତ୍ର ପ୍ରଦାନ କରିଛନ୍ତି ।

You May Also Like

More From Author

+ There are no comments

Add yours