ନୂଆବର୍ଷ ପାଇଁ ନୂଆ ନିୟମ

ଆଉ ମାତ୍ର ଦିନ କେଇଟାର ଅପେକ୍ଷା ବିଦାୟ ନେବ ବର୍ଷ ୨୦୨୨ । ଆସିବ ନବବର୍ଷ ୨୦୨୩ । ନୂଆବର୍ଷକୁ ସ୍ୱାଗତ ପାଇଁ ସଭିଏଁ ଉତ୍ସାହିତ ଥିବାବେଳେ ଏବେଠୁ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଜିରୋ ନାଇଟ୍ ସେଲିବ୍ରେସନ ଲାଗି ଟ୍ୱିନସିଟିରେ ଚାଲିଛି ବ୍ୟାପକ ଆୟୋଜନ । କେଉଁଠି ଓଲିଉଡ ନାଇଟ ତ ପୁଣି କେଉଁଠି ବଲିଉଡ଼ କଳାକାରଙ୍କ ସହ ରସିଆନ ଡ଼୍ୟାନ୍ସରଙ୍କ ଡ୍ୟାନ୍ସରେ ଝୁମିବେ ଦର୍ଶକ । ଜିରୋ ନାଇଟ୍ ସେଲିବ୍ରେସନ ପାଇଁ କାଉଂଟଡ଼ାଉନ୍ । ସଜେଇ ହେଲାଣି ବିଭିନ୍ନ ହୋଟେଲ ଓ କ୍ଲବ୍ । ଚିକମିକ୍ ଲାଇଟ୍ ସାଙ୍ଗକୁ ରଙ୍ଗ ବେରଙ୍ଗର ବେଲୁନରେ ଚାଲିଛି ସଜବାଜ । ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷକୁ ସ୍ୱାଗତ ପାଇଁ କଟକର ବିଭିନ୍ନ କ୍ଲବ ଏବଂ ହୋଟେଲରେ ଚାଲିଛି ଜୋରଦାର ଆୟୋଜନ । ଚଳିତ ବର୍ଷ ଓସିଏ କ୍ଲବରେ ଓଡିଆ ଷ୍ଟାର ତଥା ବଲିଉଡ୍ ସିଙ୍ଗର ଋତୁରାଜ ମହାନ୍ତି, ରକିଂ ଆଣ୍ଡ ପପିଂ ଷ୍ଟାର ହରିହରଙ୍କ ସହ ରସିଆନ ବେଲି ଡ଼୍ୟାନ୍ସ ମୁଖ୍ୟ ଆକର୍ଷଣ ରହିବ । ସେହିପରି ୟୁନିୟନ କ୍ଲବରେ ଓଲିଉଡ କଳାକାରଙ୍କୁ ପ୍ରାଧାନ୍ୟ ଦିଆଯାଇଛି । ଓଲିଉଡ ନାଇଟ ସହ ଫ୍ୟାଶନ ଶୋ ଏବଂ କୋଲକାତାର ଡ୍ୟାନ୍ସ ଗ୍ରୁପର ନୃତ୍ୟ ପରିବେଷଣ କାର୍ଯ୍ୟକ୍ରମ ରହିଛି । କଟକ କ୍ଲବରେ ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ମୁମ୍ବାଇର ଡ୍ୟାନ୍ସ ଗ୍ରୁପ୍ ଆସୁଛନ୍ତି । ଏଥିସହ ଅନେକ ବଲିଉଡ ଓ ଓଲିଉଡ କଳାକାରଙ୍କ କାର୍ଯ୍ୟକ୍ରମ ରହିଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ବିଭିନ୍ନ ହୋଟେଲରେ ମଧ୍ୟ ଫୁଡକୋର୍ଟର ବ୍ୟବସ୍ଥା ହେୁଉଛି । ଷ୍ଟାଟର ସହ ଭେଜ୍, ନନଭେଜ୍, ଚାଇନିଜ, କଂଟିନେଂଟାଲ, ଫୁଡ ସହ ଅନଲିମିଟେଡ ଡ୍ରିଙ୍ଗସର୍ ବ୍ୟବସ୍ଥା କରାଯାଇଛି । କୋଭିଡ କଟକଣା କୋହଳ ହେବାପରେ ଗତ ଦୁଇବର୍ଷର ବ୍ୟବଧାନରେ ଧୁମଧାମରେ ଜିରୋ ନାଇଟ୍ ସେଲିବ୍ରେସନ ହେବାକୁ ଯାଉଛି । ଖୁବ୍ ମଜାମସ୍ତିର ସହ ନୂଆ ବର୍ଷକୁ ସ୍ୱାଗତ କରିବା ଲାଗି ଲୋକେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଅନ୍ୟପଟେ ଜିରୋ ନାଇଟ୍ ଓ ନୂଆବର୍ଷକୁ ଶାନ୍ତି ଶୃଙ୍ଖଳାର ସହ ପାଳନ ଲାଗି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । କଟକରେ ପୋଲିସ ପେଟ୍ରୋଲିଂ ବଢାଯିବା ସହ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ଡିସିପି କହିଛନ୍ତିି । ନୂଆବର୍ଷରେ ଚେକିଂକୁ କଡାକଡି କରାଯାଇଛି । ଏଥର ନୂଆବର୍ଷରେ ମଦ ପିଇ ଗାଡି ଚଳାଇଲେ , ପୋଲିସ ହାତରେ ଧରାପଡିବା ଥୟ । ଗୋଟିଏ କି ଦୁଇଟି ନୁହେଁ, ୨୮ ଟି ସ୍ଥାନରେ ହେବ ଚେକିଂ । ରାତି ୨ଟା ଯାଏଁ ତନ୍ନ ତନ୍ନ କରି ଯାଂଚ କରିବ ପୋଲିସ । ଏଥର ସେଲିବ୍ରେସନ ପାଇଁ କଟକଣା ନଥିବାରୁ ସୁରକ୍ଷା ବଢାଇବ ପୋଲିସ । ୩୧ ତାରିଖ ସଂଧ୍ୟା ୭ ଟାରୁ ରାତି ୨ଟା ପର୍ଯ୍ୟନ୍ତ ହେବ ଚେକିଂ ଆଉ ବ୍ଲକିଂ । ରାଜଧାନୀରୁ ୨୮ଟି ଜାଗାରେ ଚେକ୍ ପୋଷ୍ଟ କରାଯାଇ ଚେକିଂ ହେବ ବୋଲି କହିଛନ୍ତି ଡ଼ିସିପି । ମଦପିଇ ଗାଡି ଚଲାଉଥିବା ବ୍ୟକ୍ତିଙ୍କୁ ଧରିବାକୁ ୧୭ ଜାଗାରେ ରହିବ ଚେକ ପୋଷ୍ଟ । ଅନ୍ୟପଟେ ୧୩ ପ୍ଲାଟୁନ ଫୋର୍ସ ଓ ୩ଟି ଜାଗାରେ ଷ୍ଟ୍ରାଇକିଂ ଫୋର୍ସ ମଧ୍ୟ ନିୟୋଜିତ ହେବେ । ଜିରୋ ନାଇଟ ସେଲିବ୍ରେସନ ହେଉଥିବା ହୋଟେଲରେ ବି ରହିବେ ସ୍ୱତନ୍ତ୍ର ପୋଲିସ ।

You May Also Like

More From Author

+ There are no comments

Add yours