କଫ ସିରପ ନେଲା ଜୀବନ

କଫ ସିରପ ନେଲା ଜୀବନ । ସିରପ ପିଇଲେ ଯାଉଛି ଜୀବନ । ଉଜବେକିସ୍ତାନରେ କଫ ସିରପ ପିଇ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ୧୮ ଶିଶୁ ପ୍ରାଣ ହରାଇଛନ୍ତି । ଏବଂ ସବୁଠାରୁ ବଡ଼ କଥା ହେଉଛି ଯେ, ଶିଶୁଙ୍କ ମୃତ୍ୟୁ ପାଇଁ ଭାରତୀୟ କମ୍ପାନୀକୁ ଦୋଷ ଦେଇଛନ୍ତି ଉଜବେକିସ୍ତାନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ବୟାନ ଜାରି କରି ମନ୍ତ୍ରାଳୟ କହିଛି ନୋଏଡା ସ୍ଥିତ ମେରିୟନ ବାୟୋଟେକ ପ୍ରାଇଭେଟ ଲିମିଟେଡ ଦ୍ୱାରା ପ୍ରସ୍ତୁତ ଥଣ୍ଡା ସିରପ ଡକ ୱାନ ମାକ୍ସ ପିଇ ଶିଶୁ ମାନଙ୍କର ଜୀବନ ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି, ମୃତ ଶିଶୁ ହସ୍ପିଟାଲରେ ଭର୍ତି ହେବା ପୂର୍ବରୁ ଡକ ୱାନ ମାକ୍ସ ସିରପକୁ ୨ରୁ ୭ ଦିନ ଯାଏଁ ସେବନ କରିଥିଲେ । ମୋଟ ୨୧ଜଣ ଶିଶୁ ଥଣ୍ଡା ଯୋଗୁଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ କରୁଥିଲେ । ଯେଉଁଥିପାଇଁ ସେମାନଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । ତେବେ ଏହି ଶିଶୁମାନଙ୍କ ମଧ୍ୟରୁ ୧୮ଜଣଙ୍କର ମୃତ୍ୟୁ ହୋଇଛି । ଉଜବେକିସ୍ତାନ ଦାବି କରିଛି, ସିରପର ନମୁନା ଯାଂଚ କରିବାରୁ ମିଳିଛି, ଏଥିରେ ଏଲିଥିନ ଗ୍ଲାଇକୋଲ ରହିଛି, ଯାହା ବିଷାକ୍ତ ପଦାର୍ଥ ଭାବରେ ଗଣାଯାଏ । ତେଣୁ ଏହାର ସେବନ କଲେ ବାନ୍ତି, ଅଚେତ ହେବା, ହୃଦଘାତ ଓ କିଡ୍ନୀ ଫେଲ ଭଳି ସମସ୍ୟା ଦେଖା ଦେବାର ସମ୍ଭାବନା ରହିଛି । ଏହା ଛଡା ଆଂଟି କୋଲ୍ଡ ଭାବେ ବ୍ୟବହୃତ ଭାରତୀୟ କମ୍ପାନୀର ଏହି ଔଷଧରେ ନିଦ୍ଧାରିତ ମାନଙ୍କ ଠାରୁ ଅଧିକ ଡୋଜ ଥିବା ଦାବି କରାଯାଇଛି । ୧୮ ଶିଶୁଙ୍କ ମୃତ୍ୟୁକୁ ଗମ୍ଭୀରତାର ସହ ନେଇଥିବା କହିଛି ଉଜବେକିସ୍ତାନ ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହି ଘଟଣାରେ ୭ଜଣ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଛି । ଏହାଛଡା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଉ ଉଜବେକିସ୍ତାନରେ ତକ ୱାନ ମ୍ୟାକ୍ସ ସିରପ ଓ ଟାବଲେଟ ବିକ୍ରି ଉପରେ କଟକଣା ଜାରି କରାଯାଇଛି । ପୂର୍ବରୁ ଗତ ସେପ୍ଟେମ୍ବର, ଅକ୍ଟୋବର ମାସରେ ଭାରତ ପ୍ରସ୍ତୁତ ସିରପ ପିଇ ୬୬ ଜଣ ଶିଶୁଙ୍କୁ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଥିଲା ଗାମ୍ବିଆ । ଆଉ ଏବେ ଉଜବେକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସମାନ ଅଭିଯୋଗ ଆଣିଛି ।

You May Also Like

More From Author

+ There are no comments

Add yours