ପେରୁରେ ଭୟଙ୍କର ହେଉଛି ଆନ୍ଦୋଳନ । ପ୍ରଦର୍ଶନକାରୀ ରାଜପଥ ଉପରେ ବିକ୍ଷୋଭ ଜାରି ରଖିଛନ୍ତି । ସେନା ଓ ପ୍ରଦର୍ଶନକାରୀଙ୍କ ମଧ୍ୟରେ ସଂଘର୍ଷରେ ପ୍ରାୟ ୧୬ଜଣଙ୍କ ମୃତ୍ୟୁ ହୋଇଛି । ରାଷ୍ଟ୍ରପତି ପେଡ୍ରୋ କୈଷ୍ଟିଲଙ୍କୁ ପଦରୁ ହଟାଇ ଗିରଫ କରିବା ପରେ ଆନ୍ଦୋଳନ ଭୟଙ୍କର ହେଉଛି । ପେରୁ ଲୋକପାଳ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ଏହି ବିରୋଧ ପ୍ରଦର୍ଶନରେ ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୨୦ କୁହାଯାଉଥିବା ବେଳେ ସରକାରୀ ଭାବେ ୧୬ଜଣଙ୍କ ମୃତ୍ୟୁ ହୋଇଛି । ଏହି ସଂଘର୍ଷରେ ପ୍ରାୟ ୫୨ଜଣ ଗମ୍ଭୀର ଭାବେ ଆହତ ହୋଇଛନ୍ତି । ଶୁକ୍ରବାର ଦିନ ବିକ୍ଷୋଭ ଆହୁରି ଉଗ୍ର ହୋଇଛି । ପ୍ରଦର୍ଶନକାରୀ ମାନେ ଅଭିଯୋଗ ପ୍ରକୋଷ୍ଠ କାର୍ଯ୍ୟାଳୟ, ବିମାନବନ୍ଦର ଓ ଅନ୍ୟ ସ୍ଥାନ ମାନଙ୍କରେ ନିଆଁ ଲଗାଇ ଦେଇ ଥିଲେ । ବିକ୍ଷୋଭକୁ ନିୟନ୍ତ୍ରଣ କରିବାକୁ ପ୍ରଦର୍ଶନକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ସେନା । ଏଥିରେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହୋଇଛି ।
ସ୍ଥାନୀୟ ରିପୋର୍ଟ ଅନୁଯାୟୀ, ବିକ୍ଷୋଭକାରୀମାନେ ବିମାନ ବନ୍ଦର ରନୱେ ଟ୍ରାକ ଉପରେ ପ୍ରଦର୍ଶନ କରିଥିଲେ । ଏହାକୁ ନିୟନ୍ତ୍ରଣ କରିବାକୁ ପେରୁ ସେନା ଲହୁ ବୁହା ଗ୍ୟାସ୍ ଏବଂ ବ୍ଲାଙ୍କ ଫାୟାରିଂ କରିଥିଲା । ଆନ୍ଦୋଳନ ପାଇଁ ଦେଶର ୫ଟି ବିମାନବନ୍ଦରକୁ ବନ୍ଦ କରିଦିଆଯାଇଛି । ପେରୁ ପ୍ରତିରକ୍ଷା ମନ୍ତ୍ରୀ ବୟାନ ଜାରି କହିଛନ୍ତି, ପ୍ରଦର୍ଶନକାରୀମାନେ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜପଥରୁ କବଜା କରିନେଇଛନ୍ତି । ଆନ୍ଦୋଳନ ଉଗ୍ର ହେଉଥିବାରୁ ଦେଶରେ ଜରୁରୀକାଳୀନ ସ୍ଥିତି ଘୋଷଣା କରିଦିଆଯାଇଛି । କିଛି ସ୍ଥାନରେ କର୍ଫ୍ୟୁ ଜାରି କରାଯାଇଛି । ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ସହିତ ସେନାକୁ ନିୟୋଜିତ କରାଯାଇଛି । ପେରୁର ରାଜନୀତି ଇତିହାସକୁ ନଜର ପକାଇଲେ ଏଭଳି ସଂକଟ ୨୦୨୦ ରେ ଦେଖିବାକୁ ମିଳି ଥିଲା । ପାଂଚ ଦିନ ମଧ୍ୟରେ ତିନି ଥର ରାଷ୍ଟ୍ରପତିଙ୍କୁ ପରିବର୍ତନ କରାଯାଇଥିଲା ।
+ There are no comments
Add yours