
ଚିଲିକା : ଭୁବନେଶ୍ୱର ଓଡ଼ିଶା ପୁସ୍ତକ ମହୋତ୍ସବ ‘ଅକ୍ଷର’ ପରିସରରେ ଆଦିତ୍ୟ ଭାରତ ପ୍ରକାଶନୀ ସଂସ୍ଥା ଦ୍ଵାରା ଯୁବ କଥାକାର ଅଜିତ୍ ନାୟକଙ୍କ ଉପନ୍ୟାସ ‘ ଅନୁତପ୍ତ ପ୍ରେମିକା’ର ଲୋକାର୍ପଣ ହୋଇଯାଇଛି। ପୁସ୍ତକର ଲୋକାର୍ପଣ ଅବସରରେ ବିଶିଷ୍ଟ କଥାକାର ସନରାଜିନି ସାହୁ ଓ ଗୋଲାପ ମଞ୍ଜରୀ କର, ତରୁଣ ପିଢିର କଥାକାର ମଦନ ମହାପାତ୍ର ଏବଂ ପ୍ରକାଶକ ତଥା କଥାକାର ଦେବାଶିଷ ସାମନ୍ତରାୟ ମଞ୍ଚରେ ଉପସ୍ଥିତ ଥିଲେ। ଅଣପାରମ୍ପରିକ ଢଙ୍ଗରେ ଆଦିତ୍ୟ ଭାରତ ଷ୍ଟଲରେ ଉନ୍ମାଚିତ୍ ଏହି ପୁସ୍ତକର ଲେଖନଶୈଳୀ, ଅଙ୍ଗସଜ୍ଜା ଓ କ୍ଷୁଦ୍ର କଲେବରକୁ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ । ସନରାଜିନୀ ସାହୁ କହିଥିଲେ ଯେ, ଅଜିତ୍ ଙ୍କ ବୟସର ଯୁବ ଲେଖକ ମାନେ ସର୍ବଦା ନୂଆ କଥା କହିଥାନ୍ତି। ପାରମ୍ପରିକ କଥନଶୈଳୀରୁ ବାହାରକୁ ଯାଇ
ସେମାନେ ନିଜ ପାଇ ଏକ ନୂତନ ଶୈଳୀର ନିର୍ମାଣ କରନ୍ତି। ଆମ ସାହିତ୍ୟରେ ଉପନ୍ୟାସର ସଂଖ୍ୟା ଧିରେ ଧିରେ କମିଯାଉଥିବା ବେଳେ ଅଜିତ୍ ଙ୍କ ପରି ଯୁବ କଥାକାର ସେ ଅଭାବକୁ ପୂରଣ କରିପାରିବେ। ଉପନ୍ୟାସ ଓ ଗଳ୍ପରେ ଶବ୍ଦ ପ୍ରୟୋଗର ପରିବର୍ତ୍ତନକୁ ନୂତନ ପିଢ଼ିର କଥାକାର ମାନେ ଆଗକୁ ନେବେ। ଗୋଲାପ ମଞ୍ଜରୀ କର ଆଦିତ୍ୟଙ୍କୁ ପ୍ରଶଂସା କରି କହିଥିଲେ ଅଜିତ୍ ନିଶ୍ଚୟ ଜଣେ ସଚା ପ୍ରେମିକ ହୋଇଥିବେ। ପ୍ରେମ ବିନା ଜୀବନର ମାନେ କିଛି ହୁଏନାହିଁ ଓ ପ୍ରେମକୁ ଛାଡ ସାହିତ୍ୟ ଅଧୁରା ରହିଯାଏ। ଅନୂତପ୍ତ ପ୍ରେମିକା ମାଧ୍ୟମରେ କଥାକାର ପ୍ରେମର ଏକ ବଳିଷ୍ଠ ଦିଗକୁ ପାଠକଙ୍କ ନିକଟରେ ତୋଳି ଧରିଛନ୍ତି। ସେଥିପାଇଁ ଅଜିତ୍ ନିଶ୍ଚୟ ପ୍ରଶଂସା ର ପାତ୍ର।ମଦନ ମହାପାତ୍ର ଅଜିତ୍ ଙ୍କୁ ଆମ କଥା ସାହିତ୍ୟରେ ଏକ ନୂତନ ସମ୍ଭାବନା ରୂପେ ଅଭିହିତ କରିଥଲେ।ଉପନ୍ୟାସଟିରେ ଅଜିତ୍ କାଳ୍ପନିକତାର ଉର୍ଦ୍ଧ୍ବ କୁ ଉଠି ସାଧାରଣ ଜୀବନର ଘଟଣା ପ୍ରବାହକୁ ଚମତ୍କାର ଢଙ୍ଗରେ ପରସି ଦେଇଛନ୍ତି। ପଢିଲେ ଲାଗିବ ଏଇ ତ ଏ ଘଟଣା ସବୁ ମୋ ଚାରି ପାଖରେ ହିଁ ଘଟିଯାଉଛି। ଜଣେ ପାଠକ ବସରେ କିମ୍ବା ଟ୍ରେନରେ ଗଲାବେଳେ ଘଣ୍ଟେ ଦେଢ଼ ଘଣ୍ଟା ମଧ୍ୟରେ ଏ ଉପନ୍ୟାସ ଟିକୁ ପଢ଼ିଦେଇ ପାରିବ। ତେଣୁ ଆମ କଥା ସାହିତ୍ୟ ପ୍ରତି ଏହା ପାଠକଙ୍କ ନିକଟରେ ଆଗ୍ରହ ସୃଷ୍ଟି କରିବା ରେ ସହାୟକ ହେବ। ଉପନ୍ୟାସ ଟିର ଅତି ସୁନ୍ଦର ପ୍ରଚ୍ଛଦ ବିଶିଷ୍ଟ କବି ମୋହିତ ଚକ୍ରବର୍ତ୍ତୀ ଙ୍କର ତତ୍ତ୍ଵାବଧାନରେ ଅଙ୍କିତ ହୋଇଥିବା ବେଳେ ସେ ଏହି ବହି ଟିର ସମୀକ୍ଷା ଲେଖିଛନ୍ତି। ଗୋଟିଏ ପୃଷ୍ଠାର ସମୀକ୍ଷା ରେ ସେ ଅଜିତ୍ ଙ୍କ ଉଜ୍ବଳ ସାହିତ୍ୟିକ ଭବିଷ୍ୟତ କାମନା କରି ଲେଖିଛନ୍ତି ଯେ ଉପନ୍ୟାସ ଟିକୁ ପଢ଼ିବା ଆରମ୍ଭ କଲେ ଶେଷ ନ କରି ରହିପାରିବ ନାହିଁ। ସମସ୍ତ ଅତିଥି ଅଜିତ୍ ଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ। ଏହି ଲୋକାର୍ପଣ ସମାରୋହକୁ ଯୁବ ସାହିତ୍ୟିକ ବିନୟତୋସ ପରିଚାଳନା କରି ଥିଲେ। ଅଣ ପାରମ୍ପରିକ ଢଙ୍ଗରେ ଆୟୋଜିତ ହୋଇଥିବା ଏହି ଆସରରେ ଯୁବ ସାହିତ୍ୟିକ ଓମ୍ ପ୍ରକାଶ ଅତିଥି ମାନଙ୍କୁ ସେମାନଙ୍କର ବକ୍ତବ୍ୟ ମଝିରେ ପ୍ରଶ୍ନ ପଚାରି ଦର୍ଶକଙ୍କୁ ବୌଦ୍ଧିକ ଖୋରାକ ଯୋଗାଉଥିବା ସାଙ୍ଗକୁ କାର୍ଯ୍ୟକ୍ରମକୁ ସାବଲୀଳ କରିଥିଲେ। ପୁସ୍ତକ ମହୋତ୍ସବ ଅକ୍ଷର ପରିସରରେ ଆଦିତ୍ୟ ଭାରତ ଷ୍ଟଲରେ ଅନ୍ୟ ପୁସ୍ତକ ସହିତ ଅଜିତ୍ ଙ୍କ “ଅନୁତପ୍ତ ପ୍ରେମିକା” ପାଠକଙ୍କ ପାଇଁ ଅପେକ୍ଷା କରିଛି ।