Wed. Oct 14th, 2026

ମହିଳାଙ୍କୁ ଦୁର୍ବ୍ୟବହାର କରୁଛନ୍ତି ରାଜ୍ୟର ମନ୍ତ୍ରୀ, ବିଧାୟକ । ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନରେ କୁଶପୁତ୍ତଳିକା ଦାହ କଲା ବିଜେପି ।
ରାଜଧାନୀରେ ବିଜେପିର ପ୍ରତିବାଦ । ମାଷ୍ଟର କ୍ୟାଣ୍ଟିନ ଛକରେ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଛି ଦଳ । ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ଯେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଆଳରେ ମହିଳାଙ୍କୁ ଅସମ୍ମାନିତ କରାଯାଇଛି । ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ମହିଳା ମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବିଧାୟକ ଦିବ୍ୟଶଙ୍କର ମିଶ୍ର, ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଦଳର ସାଧାରଣ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ମହିଳା ଦୁଷ୍କର୍ମ, ହତ୍ୟା, ଶିଶୁ ଅପହରଣ, ଅର୍ଚ୍ଚନା ନାଗ ଭଳି ଘଟଣାରେ ରାଜ୍ୟର ମନ୍ତ୍ରୀ ବିଧାୟକ ମାନେ ସମ୍ପୃକ୍ତ ରହିଛନ୍ତି ।


ସେ ଆହୁରି ମଧ୍ୟ କହିଛନ୍ତି ରାଜ୍ୟ ସରକାର ମହିଳାଙ୍କୁ ସମ୍ମାନ ଦେଉଥିବା କଥା କହି ଡିଣ୍ଡିମ ପିଟୁଛନ୍ତି । ବାସ୍ତବରେ ଶାସକ ବିଜେଡି ମହିଳାଙ୍କୁ ଅସମ୍ମାନିତ କରି ତାଙ୍କର ନେତା, ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଛନ୍ତି । ଏବେ ପଦ୍ମପୁର ଉପନିର୍ବାଚନରେ ଦାଗି ନେତାଙ୍କୁ ଷ୍ଟାର ପ୍ରଚାରକ କରିଛି ଶାସକ ଦଳ । ଶାନ୍ତ ପଦ୍ମପୁରରେ ମହିଳାଙ୍କୁ ଦୁର୍ବ୍ୟବହାର କରିଛି ବିଜୁ ଜନତା ଦଳ । ୨୩ବର୍ଷ ବିଜେଡି ଶାସନରେ ମହିଳା ସର୍ବଦା ବିପଦରେ । ରାଜ୍ୟରେ ଦିନକୁ ୭ଦୁଷ୍କର୍ମ ଘଟଣା ଘଟୁଥିବାବେଳେ ଗତ ୧୪୧ମାସରେ ୨୮ହଜାରରୁ ଊର୍ଦ୍ଧ୍ୱ ଦୁଷ୍କର୍ମ ଘଟଣା ଘଟିଛି । ସେହିପରି ପ୍ରତିଦିନ ୩ଜଣ ଲେଖାଏଁ କୋମଳମତୀ ଶିଶୁ ଯୌନ ରାକ୍ଷସଙ୍କ ଦ୍ୱାରା ଶିକାର ହେଉଛନ୍ତି । ୨୦୧୦ ଜାନୁୟାରୀରୁ ୨୦୨୨ ସେପ୍ଟେମ୍ବର ଶେଷ ସୁଦ୍ଧା ୧୪ହଜାର ୨୯୬ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ବିଜେଡି ମନ୍ତ୍ରୀ ମହିଳାଙ୍କ ପ୍ରତି ଅବିଚାର କରିଥିଲେ ବି ରାଜ୍ୟ କାହିଁକି ଚୁପ୍ ବସିଛନ୍ତି ଏହାର ଉତ୍ତର ଦିଅନ୍ତୁ ବୋଲି ଲେଖାଶ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *