ଶୁଭ ଦୀପାବଳୀ ଉପଲକ୍ଷେ ଯଶୋଦା ମା ଫାଉଣ୍ଡେସନର ପ୍ରତିଷ୍ଠାତା ନିବେଦିତା ଲେଙ୍କାଙ୍କ ଅଧ୍ୟକ୍ଷତାରେ ନିଳାଦ୍ରୀ ବିହାର ସ୍ଥିତ ଲକ୍ଷ୍ମୀ ମଣ୍ଡପରେ ବର୍ଣ୍ଣବୋଧ ପାଠଶାଳାର ୧୨୦ ପିଲାଙ୍କୁ ଏକ ସୁନ୍ଦର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ାର ରାଜ୍ୟ ସଭାପତି ତଥା ବିଶିଷ୍ଟ ସମାଜସେବୀ ଡଃ ପ୍ରକାଶ ଶ୍ରୀଚନ୍ଦନ ଯୋଗ ଦେଇ ପିଲାମାନେ ସୁନାଗରିକ ତଥା ଉତ୍ତମ ବିଦ୍ୟାର୍ଥୀ ହେବା ପାଇଁ ପରାମର୍ଶ ଦେଇଥିଲେ। ମୁଖ୍ୟ ବ୍ୟକ୍ତା ଭାବରେ ବିଶିଷ୍ଟ ସାହିତ୍ୟିକ, କଥାକାର, ଶିକ୍ଷାବିତ ତଥା ସମାଜସେବୀ ଶ୍ରୀ ଗଣେଶ ସାମନ୍ତ ନୈତିକ, ଆଦର୍ଶ, ମୂଲ୍ୟବୋଧ ଓ ଆଧ୍ୟାତ୍ମିକ ଶିକ୍ଷା ଶିଶୁକୁ ମହାମାନବରେ ପରିଣତ କରିପାରେ ବୋଲି ମତ ରଖିଥିଲେ। ଶ୍ରୀରାମଚନ୍ଦ୍ରଙ୍କ ନୀତି, ଆଦର୍ଶ,ତ୍ୟାଗ,ବଳିଦାନ କଥା କହିବା ସହ ବାପାମାଆଙ୍କୁ ସମ୍ମାନ,ସେବା ଓ ଭକ୍ତି କଲେ ସଫଳତାର ଶୀର୍ଷରେ ପହଞ୍ଚି ହେବ ବୋଲି ତାଙ୍କ ଅଭିଭାଷଣରେ କହିଥିଲେ। ସମ୍ମାନୀତ ଅତିଥି ଭାବରେ ବର୍ଜ୍ୟବସ୍ତୁରେ ଘରକରଣା ସାମଗ୍ରୀ ତିଆରି କରି ଗଣମାଧ୍ୟମର ଚର୍ଚ୍ଚାରେ କେନ୍ଦ୍ରବିନ୍ଦୁ ପାଲଟିଥିବା ଶ୍ରୀମତୀ ରଶ୍ମିତା ସାହୁ ପିଲାମାନଙ୍କୁ ପାଠ ପଢିବା ସହ ବଳକା ସମୟରେ କିଛି ସୃଜନାତ୍ମକ ଓ ସକରାତ୍ମକ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଯୁବ ସମାଜସେବୀ ତଥା ସାହିତ୍ୟିକ ପ୍ରତ୍ୟୁଷ ଭଞ୍ଜ କାର୍ଯ୍ୟ କ୍ରମ ପରିଚାଳନା କରିଥିଲେ ଓ ନିବେଦିତା ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ପାଞ୍ଚଟି ବସ୍ତିର ଗୁରୁମା,ଅନୁ ଜେନା,ମୀରୋଜ ମହାରଣା, ଜଗନ୍ନାଥ ବାରିକ ପ୍ରମୁଖ ସହଯୋଗ କରିଥିଲେ। ଅତିଥି ମାନଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହ ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ କରାଯାଇଥିଲା।


