Thu. Oct 15th, 2026

ରୁଷ୍‌ରୁ ରିହାତି ଦାମ୍‌ରେ ତେଲ ଓ ଗ୍ୟାସ୍‌ କିଣି ଅନ୍ୟ ଗ୍ରାହକମାନଙ୍କୁ ଅଣଦେଖା କରିବାର ଫଳ କେତେ ଭୟଙ୍କର ହୋଇପାରେ ତାହାର ଝଲକ ଦେଖିବାକୁ ମିଳିଛି। ଭାରତର ଆମଦାନି ବରାଦକୁ ରୁଷ୍‌ ବାତିଲ କରିବା ପରେ ଏବେ ବାଧ୍ୟ ହୋଇ ଦୁଇ ଗୁଣା ଅଧିକ ଦାମ୍‌ରେ ଲିକ୍ବିଫାଏଡ୍‌ ନାଚୁରାଲ୍ ଗ୍ୟାସ୍‌ (ଏଲ୍‌ଏନ୍‌ଜି) କିଣୁଛି ଭାରତ।

ଏହି ଗ୍ୟାସ୍‌ ଉପରେ ବହୁ ଶିଳ୍ପସଂସ୍ଥା ନିର୍ଭରଶୀଳ ଥିବାରୁ ଚଢ଼ା ଦାମ୍‌ରେ ତାହାକୁ ଆମଦାନି କରିବା ବ୍ୟତୀତ ଭାରତ ପାଖରେ ଅନ୍ୟ ବିକଳ୍ପ ହିଁ ନାହିଁ। ଏଲ୍‌ଏନ୍‌ଜି ହେଉଛି ଏକ ପ୍ରାକୃତିକ ଗ୍ୟାସ ଯାହାକୁ ଭାରତର ବହୁ ଶିଳ୍ପ ସଂସ୍ଥା ବ୍ୟବହାର କରୁଛନ୍ତି। ରୋଷେଇ ପାଇଁ ପାଇପ୍‌ ଜରିଆରେ ତାହା ଯୋଗାଇ ଦିଆଯାଉଛି। ଏହା ବ୍ୟତୀତ ବିଦ୍ୟୁତ ଶକ୍ତି, ସାର, ପେଣ୍ଟ୍ ଓ ଔଷଧ ଉତ୍ପାଦନ ଲାଗି ମଧ୍ୟ ଏଲ୍‌ଏନ୍‌ଜିକୁ ବ୍ୟବହାର କରାଯାଉଛି।

କିଛି କମର୍ସିଆଲ୍ ଗାଡ଼ିରେ ଇନ୍ଧନ ଭାବେ ମଧ୍ୟ ତାହା ବ୍ୟବହାର ହେଉଛି। ଭାରତ ଏହାର ୫୫% ଗ୍ୟାସ୍ ଆବଶ୍ୟକତାକୁ ଆମଦାନି ଜରିଆରେ ପୂରଣ କରୁଛି। ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପରେ ଏହି ଗ୍ୟାସ୍‌ର ଅଭାବ ଦେଖାଦେଇଥିଲା। ମାତ୍ର ପୁରୁଣା ବନ୍ଧୁ ‌ହୋଇଥିବାରୁ ରିହାତି ଦରରେ ଭାରତକୁ ରୁଷ୍ ଗ୍ୟାସ୍‌ ଯୋଗାଉଥିଲା। କିଛି ମାସ ପର୍ଯ୍ୟନ୍ତ ଏହି ଧାରା ଜାରି ରହିଥିଲା। ମାତ୍ର କିଛି ମାସ ପୂର୍ବେ ରୁଷ୍‌ର ସଂସ୍ଥା ‘ଗାଜ୍‌ପ୍ରମ୍‌ ପିଜେଏସ୍‌ସି’ ଭାରତର ବରାଦକୁ ବାତିଲ କରିବା ପରେ ସରକାରୀ ଗ୍ୟାସ୍‌ କଂପାନି ଗେଲ୍‌ ଏବେ ଚଢ଼ା ଦାମ୍‌ରେ ଏଲ୍‌ଏନ୍‌ଜି କିଣୁଛନ୍ତି। ଅକ୍ଟୋବର ଓ ନଭେମ୍ବର ମାସ ପାଇଁ କଂପାନି ଯେଉଁ ବରାଦ ଦେଇଛି ସେଥିପାଇଁ ଗତବର୍ଷ ତୁଳନାରେ ଦୁଇ ଗୁଣା ଅଧିକ ଡଲାର ଗଣିଛି। ଏଲ୍‌ଏନ୍‌ଜିର ପ୍ରତି ନିୟୁତ ବ୍ରିଟିଶ ଥର୍ମାଲ୍ ୟୁନିଟ୍ ପାଇଁ ଗେଲ୍ ୪୦ ଡଲାର ଗଣିଛି।

ସିଙ୍ଗାପୁରରେ ଥିବା ଗାଜପ୍ରମ୍‌ର ମାର୍କେଟିଂ ଡିଭିଜନ ସହିତ ଆଲୋଚନା କରି ୨୦ ବ‌ର୍ଷ ପର୍ଯ୍ୟନ୍ତ ରିହାତି ଦରରେ ଗ୍ୟାସ୍‌ କିଣିବାକୁ ଗେଲ୍ ଚୁକ୍ତି ହାସଲ କରିଥିଲା। ତାହା ଥିଲା ଗାଜପ୍ରମ୍‌ର ଜର୍ମାନିରେ ଥିବା ସଂସ୍ଥା ‘ଗାଜପ୍ରମ୍ ଜର୍ମାନିରା ଜିଏମ୍‌ବିଏଚ୍‌’ର ଏକ ଅଂଶ। ୟୁକ୍ରେନ୍ ଉପରେ ରୁଷ୍ ଆକ୍ରମଣ କରିବା ପରେ ଚଳିତ ବର୍ଷ ଏପ୍ରିଲ୍‌ରେ ଜର୍ମାନି ସେହି ସଂସ୍ଥାକୁ ଜବତ କରି ନିଜ ଅକ୍ତିଆରକୁ ଆଣିଥିଲା ଓ ତାହାର ନାମ ବଦଳାଇ ‘ସିକ୍ୟୁରିଂ ଏନର୍ଜି ଫର ୟୁରୋପ ଜିଏମ୍‌ବିଏଚ୍‌’ ରଖାଯାଇଛି। ଏହି ସଂସ୍ଥା ଆଉ ରୁଷ୍‌ରୁ ତେଲ ମଗାଇପାରୁନାହିଁ। ସେଥିପାଇଁ ଚୁକ୍ତି ଅନୁସାରେ ଭାରତକୁ ଏଲ୍‌ଏନ୍‌ଜି ଦେଇପାରୁନି। ଗ୍ୟାସ୍ ଦେଇପାରୁନଥିବା ଯୋଗୁଁ ଚୁକ୍ତି ଅନୁସାରେ ସେହି ସଂସ୍ଥା ଗେଲ୍‌କୁ ଜରିମାନା ଗଣୁଛି। ଗତ ମେ’ରୁ ସେହି ସଂସ୍ଥାରୁ ଏଲ୍‌ଏନ୍‌ଜି ଆମଦାନି ବନ୍ଦ ହୋଇଛି। ଅନ୍ୟମାନଙ୍କୁ ବିକିବା ବଦଳରେ ନିଜ ଦେଶର ଶୀତ ଋତୁ ଆବଶ୍ୟକତା ପୂରଣ କରିବା ଲାଗି ଜର୍ମାନି ଗ୍ୟାସ୍‌ ଗଚ୍ଛିତ ରଖିବାକୁ ନିଷ୍ପତ୍ତି ନେବା ପରେ ଏହି ସମସ୍ୟା ଆରମ୍ଭ ହୋଇଥିଲା। ତାହାର ସମାଧାନ ଲାଗି ସରକାରୀ ସ୍ତରରେ ଦ୍ବିପାକ୍ଷିକ ଆଲୋଚନା ଜାରି ରହିଛି। କୂଟନୈତିକ ସ୍ତରରେ ମାମଲାର ସମାଧାନ ପାଇଁ ଉଦ୍ୟମ କରାଯାଉଛି। ଚୁକ୍ତି ଉଲ୍ଲଂଘନ ପାଇଁ ଜରିମାନା ରାଶି ନେବାକୁ ଭାରତ ଚାହୁନାହିଁ। ଯେକୌଣସି ଉପାୟରେ ଗ୍ୟାସ ପାଇବାକୁ ଏହା ଉଦ୍ୟମ କରୁଛି।

Leave a Reply

Your email address will not be published. Required fields are marked *