ବ୍ୟବସାୟିକ ପେଣ୍ଠସ୍ଥଳୀରେ ପରିବର୍ତ୍ତନ ହେବ ତ୍ରିକୋମାଲି ବନ୍ଦର . ଶ୍ରୀଲଙ୍କା ସରକାର ଲୋଡିଲେ ବିଶ୍ୱ ସମୁଦାୟର ସାହାର୍ଯ୍ୟ

ଶ୍ରୀଲଙ୍କା ସରକାର ତ୍ରିକୋମାଲି ବନ୍ଦରକୁ ଇଣ୍ଡଷ୍ଟ୍ରିଆଲ ହବ ବା ବ୍ୟବସାୟିକ ପେଣ୍ଠସ୍ଥଳୀରେ ପରିଣତ କରିବା ପାଇଁ ଘୋଷଣା କରିସାରିଛି । ଏଥିପାଇଁ ଶୀଘ୍ର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ନେଇ ସୂଚନା ମିଳିଛି । ଆର୍ଥିକସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏହି ବନ୍ଦରର ବ୍ୟବସାୟିକ ହବ ପାଇଁ ୨ହଜାର ହେକ୍ଟର ଜମି ଲିଜରେ ଦେବାପାଇଁ ନିଷ୍ପତ୍ତି ନେଇଛି। ରାଜନୈତିକ ଦୃଷ୍ଟିକୋଣରୁ ଏହି ବନ୍ଦର ଅନେକ ଗରୁତ୍ୱ ରଖୁଛି, ତେଣୁ ପୁଣିଥରେ ଏହି ବନ୍ଦରରେ ବିକାଶ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଭାରତ ମହାସାଗରରେ ଏହି ବନ୍ଦର ଶ୍ରୀଲଙ୍କାର ବିକାଶରେ ନୂଆ ରାସ୍ତା ତିଆରି କରିପାରିବ । ଶ୍ରୀଲଙ୍କା ପୋର୍ଟ ଅଥରିଟିର ଅଧ୍ୟକ୍ଷ ପ୍ରଶାନ୍ତା ଜୟମନା କହିଛନ୍ତି, ଆମେ ତ୍ରିକୋମାଲି ବନ୍ଦରକୁ ଇଣ୍ଡଷ୍ଟ୍ରିଆଲ ହବରେ ପରିଣତ କରିବାକୁ ଚାହୁଁଛୁ । ଏହାର ଅର୍ଥ ଆମେ କେବଳ ଜଣଙ୍କୁ ନୁହେଁ ସାରା ବିଶ୍ବର ଶିଳ୍ପପତିଙ୍କୁ ଆହ୍ବାନ ଦେଉଛୁ ଯେ ସେମାନେ ଆସି ବନ୍ଦରକୁ ବ୍ୟବହାର କରନ୍ତୁ। ଆମ ପାଖରେ ବିପୂଳ ଜମି ରଖିଛି ଯାହାକି ପ୍ରାୟ ୨୪୦୦ ହେକ୍ଟର ତେଣୁ ଏହାକୁ ବ୍ୟବସାୟ ପାଇଁ ବ୍ୟବହାର କରାଯାଇପାରିବ ।
ସେ ଆହୁରି ମଧ୍ୟ କହିଛନ୍ତି, ଆମେ ବିଭିନ୍ନ ସିପିଙ୍ଗ କମ୍ପାନୀ, କର୍ମଚାରୀ ସଂଘ ସହ କଥାହୋଇଛି । ଯେଉମାନେ କଲମ୍ବୋ ବନ୍ଦରରେ କାମକରୁଛନ୍ତି ସେମାନେ କେଉଁଭଳି ଏହାକୁ ପରିବର୍ତ୍ତନ କରାଯାଇପାରିବ ସେନେଇ ମତ ଦେବେ। ବର୍ତ୍ତମାନ ଦେଶରେ ବୈଦେଶିକ ମୁଦ୍ରାର ଅଭାବ ଯୋଗୁ ଘୋର ଆର୍ଥିକ ସଙ୍କଟ ଦେଖାଦେଇଛି। ବର୍ତ୍ତମାନ ତ୍ରିକୋମାଲି ବନ୍ଦରକୁ ବ୍ୟବସାୟିକ ହବରେ ପରିଣତ କରିବା ପରେ ସେଠାରେ ଥିବା ଭୂମିରୁ ଅର୍ଥ ଆସିବ। ଏହା ହେବା ଦ୍ୱାରା ବୈଦେଶିକ ମୁଦ୍ରା ମଧ୍ୟ ଆସିବ , କେବଳ ଯେ ଏହା ନୁହେଁ ବୈଦେଶିକ ନିବେଶ ଏବଂ ସ୍ଥାନୀୟ ନିବେଶ ଆସିବା ପରେ ସଙ୍କଟ ମଧ୍ୟ ଦୂର ହୋଇପାରିବ । ଗୋଟିଏ ଅର୍ଥନୈତିକ ଜୋନରେ ଏହା ପରିଣତ ହେବ .
ସେ ଆହୁରି ମଧ୍ୟ କହିଛନ୍ତି, ସେହିପରି ବନ୍ଦରର ବିକାଶ ହେବା ସହ କାର୍ଗୋ ଟ୍ରାଫିକର ବ୍ୟବସ୍ଥା ସହ ସିମେଣ୍ଟ, କୋଇଲା ଏବଂ ବ୍ୟବସାୟିକ ସମାଗ୍ରିକୁ ମଧ୍ୟ ଏଠାରେ ନେବା ଆଣିବା ହୋଇପାରିବ । ପୂର୍ବରୁ ଆମେ ଏପ୍ରିଲ ମାସରେ ଏଭଳି କରିବା ପାଇଁ ଯୋଜନା କରିଥିଲୁ କିନ୍ତୁ ବିଭିନ୍ନ କାରଣରୁ ଏହା ହୋଇପାରିନଥିଲା । ଆମେ ଚାହୁଁଛୁ ସ୍ଥାନୀୟ ବ୍ୟବସାୟିକ ପ୍ରତିଷ୍ଠାନ ମାନେ ଆସି ଏହି ବନ୍ଦରରେ ବ୍ୟବସାୟ ଆରମ୍ଭ କରନ୍ତୁ। ଗତ ଜାନୁୟାରୀ ମାସରେ ମଧ୍ୟ ଏହିଭଳି ପ୍ରତିକ୍ରିୟା ରଖିଥିଲେ ଜୟମନା। ତେବେ ସେତେବେଳେ ସମ୍ଭବ ହୋଇପାରିନଥିଲା କାରଣ ଭାରତ ତ୍ରିକୋମାଲି ବନ୍ଦରେ ନିବେଶ ପାଇଁ ପ୍ରସ୍ତୁତ ହୋଇସାରିଥିଲା।
ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଲଙ୍କା ଇଣ୍ଡିଆନ ଅଏଲ କମ୍ପାନୀ ଯାହା ଭାରତର ଇଣ୍ଡିଆନ ଅଏଲର ଅନ୍ୟତମ କମ୍ପାନୀ ସେଠାରେ ସାଇଲନ ପେଟ୍ରୋଲିୟମ କର୍ପୋରେସନ ସହ ଚୁକ୍ତି ସ୍ୱାକ୍ଷର କରିଥିଲା । ଏହି ଚୁକ୍ତିରେ ତ୍ରିକୋମାଲିରେ ତୈଳ ଗଚ୍ଛିତ ରଖିବା ପାଇଁ ଟାଙ୍କର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ହୋଇଥିଲା । ଏହି ତୈଳ ଗଚ୍ଛିତ ରଖିବା ଟାଙ୍କର ସେଠାରେ ଥିବା ହାର୍ବର ଏବଂ ଜେଟ୍ଟୀକୁ ବ୍ୟବହାର କରି ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଉଭୟ କମ୍ପାନୀ ଏହାର ନାମ ରଖିଥିଲେ ଟ୍ରାନକୋ ପେଟ୍ରୋଲିୟମ ଟର୍ମିନାଲ ଲିମିଟେଡ ଯେଉଥିରେ ୮୫ଟି ଟାଙ୍କର ପାଇଁ ନିଷ୍ପତ୍ତି ହେଇଥିଲା । ତେବେ ତ୍ରିକୋମାଲି ବନ୍ଦରରେ ପୂର୍ବରୁ ମଧ୍ୟ ଅନେକ ଟର୍ମିନାଲ ରହିଛି । ଲଙ୍କା ଆଇଓସି ଫ୍ୟାସିଲିଟିର ଟର୍ମିନାଲ ଛଡା ଟୋକିଏ ସିମେଣ୍ଟ ଫ୍ୟାସିଲିଟିର ଟର୍ମିନାଲ ରହିଛି । ଏହାଛଡା ମଇଦା କାରଖାନାର ଗୋଟିଏ ଟର୍ମିନାଲ ଏବଂ ଚା ପାଇଁ ଗୋଟିଏ ଟର୍ମିନାଲ ରହିଛି । ସେହିଭଳି ବଲ୍କ କାର୍ଗୋ, ଜିପସମ ଏବଂ ସିମେଣ୍ଟ ପାଇଁ ମଧ୍ୟ ଗୋଟିଏ ଜେଟି ରହିଛି ।
ଭାରତ ଛଡା ତ୍ରିକୋମାଲି ବନ୍ଦରରେ ଉନ୍ନତିକରଣ ପାଇଁ ଅନେକ ଦେଶ ଆଗ୍ରହୀ ଅଛନ୍ତି। ଜାପାନ, ଆମେରିକା ମଧ୍ୟ ଏଥିପାଇଁ ଆଗ୍ରହ ପ୍ରକାଶ କରିସାରିଛନ୍ତି । ତ୍ରିକୋମାଲି ବନ୍ଦର ଏସିଆ ମହାଦେଶର ସବୁଠାରୁ ପ୍ରାକୃତିକ ବନ୍ଦର ହୋଇଥିବାରୁ ସମସ୍ତେ ଏଥିପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ଜାପାନ ୨୦୨୦ରେ ବନ୍ଦରର ଉନ୍ନତି ପାଇଁ ପରୀକ୍ଷା ନିରୀକ୍ଷା କରି ତଥ୍ୟ ହାସଲ କରିସାରିଛି। ତେବେ କଲୋମ୍ବ ଏବଂ ହମ୍ବଟୋଟା ବନ୍ଦର ପାଇଁ ତ୍ରିକୋମାଲି ପୋର୍ଟ ଅନେକ ଗୁରୁତ୍ବ ରଖୁଥିବାରୁ ସମସ୍ତେ ଏହା ଉପରେ ନଜର ରଖିଛନ୍ତି।
ତ୍ରିକୋମାଲି ବନ୍ଦର ଶ୍ରୀଲଙ୍କାର ପୂର୍ବରେ ଥିବାବେଳେ ଏହି ବନ୍ଦରରେ ପ୍ରାକୃତିକ ଭାବେ ଗଭୀର ଦଳ ରହିଛି । ଏଣୁ ଆଗାମୀଦିନରେ ଏହା ଦେଶ ପାଇଁ ଅନେକ ସମ୍ଭାବନା ରଖୁଛି । ଏହାର ବିକାଶ ହେବାପରେ ଶ୍ରୀଲଙ୍କାର ସ୍ଥିତିରେ ମଧ୍ୟ ପରିବର୍ତ୍ତନ ନେଇ ଆଶା ରହିଛି ।

You May Also Like

More From Author

+ There are no comments

Add yours