Wed. Oct 14th, 2026

ନୀଳାଦ୍ରି ନାଥ ମହାପ୍ରଭୁ କାଳିଆ ସାଆନ୍ତଙ୍କ ରଥଯାତ୍ରା। ବାର ମାସରେ ତେର ପରବ ଭିତରେ ନବ ଦିନାତ୍ମକ ଯାତ୍ରା ହେଉଛି ଘୋଷ ଯାତ୍ରା। ଯାହାକୁ ରଥଯାତ୍ରା ବୋଲି ସାଧାରଣରେ କୁହାଯାଏ। ଆଉ ଏହି ରଥଯାତ୍ରାର ଶୁଭାରମ୍ଭ ହୋଇଥାଏ ଅକ୍ଷୟ ତୃତୀୟା ଠାରୁ। ବିଶେଷ କରି ଅକ୍ଷୟ ତୃତୀୟା ଦିନ ମହାପ୍ରଭୁଙ୍କ ଠାରୁ ଆଜ୍ଞାମାଳ ଆସିବା ପରେ ତିନି ରଥର କାମ ପାଇଁ ଅନୁକୂଳ କରାଯାଇଥାଏ। ପରେ ମହାରଣା ସେବାୟତ ମାନେ ରଥ କାମରେ ନିୟୋଜିତ ହୋଇ ଲାଗିପଡନ୍ତି ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟରେ। ତେବେ ସବୁଠୁ ବଡ଼ କଥା ହେଉଛି ରଥ ନିର୍ମାଣରେ ବ୍ୟବହାର କରାଯାଉଥିବା କାଠ। ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ନିଶ୍ଚିତ କେଉଁ କେଉଁ କାଠ ବ୍ୟବହାର କରାଯାଏ। କେତେ କାଠ ବ୍ୟବହାର ହୋଇଥାଏ ଏମିତି ଅନେକ କିଛି। ତେବେ ପ୍ରଥମ କଥା ହେଉଛି ରାଜାରାଜୁଡ଼ା ସମୟରେ ରଥ ନିର୍ମାଣ ପୂର୍ବରୁ ରଥପାଇଁ ବ୍ୟବହୃତ କାଠ ସବୁ ନୟାଗଡ଼, ରଣପୁର ଓ ଦଶପଲ୍ଲା ଜଙ୍ଗଲରୁ ରାଜାମାନେ ସଂଗ୍ରହ କରି ମହାନଦୀରେ ଭେଳା କରି ପଠାଇଦେଉଥିଲେ। ଏହି କାଠ ସବୁ ନରାଜ ଦେଇ ଭାର୍ଗବୀ ନଦୀରେ ମାଳତୀପାଟପୁରରେ ପହଞ୍ଚୁଥିଲା। ଏବଂ ପରେ ଶଗଡ଼ ଗାଡ଼ିରେ କାଠ ପୁରୀ ଯାଇ ରଥ ଖଳା ରେ ପହଞ୍ଚାଯାଉଥିଲା । ଏବେ ରାଜତନ୍ତ୍ର ଲୋପ ପାଇବା ପରେ ଓଡ଼ିଶା ସରକାରଙ୍କ ଦ୍ଵାରା ନୟାଗଡ଼ ଜିଲ୍ଲାରୁ ଆସୁଥିବା ଫାଶୀ, ଅଶନ, ଧଉରା ଆଦି କାଠକୁ ଡି ଏଫ୍ ଓଙ୍କ ମାଧ୍ୟମରେ ପଠାଯାଉଛି। କାଠ ପଠାଯିବା ପୂର୍ବରୁ ଗଛ ନିକଟରେ ବିଧି ଅନୁଯାୟୀ ପୂଜା ହୋମ କରାଯାଇଥାଏ। ଏହା ପରେ ସରକାରୀ ଖର୍ଚ୍ଚରେ ଟ୍ରକ ରେ କାଠ ସବୁ ପୁରୀ ଯାଏ। ଯିବା ସମୟରେ ଟ୍ରକ ଟିରେ ଫୁଲମାଳ ଓ ନାଲିକନା ବନ୍ଧାଯାଇ ଘଣ୍ଟା ବାଦନ କରାଯାଏ। ଏବଂ ଏହାପରେ ପୁରୀ ଅଭିମୁଖେ ବାହାରିଥାଏ ଏହି କାଠ। ଖାଲି ନୟାଗଡ଼ ନୁହେଁ ରଥ ପାଇଁ ବ୍ୟବହୃତ ସବୁପ୍ରକାର କାଠ ପୁରୀ, କଟକ, ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ ଓ ବୌଦ୍ଧ ଜିଲ୍ଲାରେ ହୋଇଥିବା ଜଗନ୍ନାଥ ବନ ପ୍ରକଳ୍ପ ଜରିଆରେ ମଧ୍ୟ ଆସିଥାଏ। ଏବଂ ଏହି ତିନୋଟି ରଥର ନିର୍ମାଣ ପାଇଁ ୧୨ପ୍ରକାର ଗଛର କାଠ କୁ ବ୍ୟବହାର କରାଯାଏ।

Leave a Reply

Your email address will not be published. Required fields are marked *