ପରିବେଶକୁ ବଞ୍ଚାନ୍ତୁ ପ୍ରକୃତି ସଂରକ୍ଷଣ କରନ୍ତୁ ବାର୍ତ୍ତାକୁ ନେଇ କେନ୍ଦ୍ରାପଡାର ଦୁଇ ଛାତ୍ରଙ୍କ ସାଇକେଲ ଯୋଗେ ଓଡ଼ିଶା ରାଜ୍ୟର ବିଭିନ୍ନ ଜିଲ୍ଲା ପରିଭ୍ରମଣ କରୁଛନ୍ତି। କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଳକର ବରଦା ଗ୍ରାମର ତୁଷାର କାନ୍ତ ପଳେଇ ଓ ମନମୋହନ ମଲ୍ଲିକ ସାଇକେଲ ଯୋଗେ ଗତ ୧୨ ତାରିଖରୁ ଯାତ୍ରା ଆରମ୍ଭ କରି ୧୯ ତାରିଖ ଦିନ ଦେଓମାଳିରେ ପହଞ୍ଚିଥିଲେ।ସେଠାରେ ଦୁଇ ଛାତ୍ର ଗୋଟିଏ ଗୋଟିଏ ଗଛ ଲଗାଇଥିଲେ। ଯାନବାହାନ ସଂଖ୍ୟା ବୃଦ୍ଧି ପାଉଥିବାରୁ ବାୟୁ ପ୍ରଦୂଷଣ ହେଉଛିଏବଂ ଗଛ କଟାଯାଉଛି। ଯଦ୍ବାରା ଜଳବାୟୁ ପରିବର୍ତ୍ତନ ହେଉଛି ।ଏହାକୁ ନିୟନ୍ତ୍ରଣ କରିବାକୁ ପ୍ରତ୍ୟେକ ବ୍ୟକ୍ତି ଗୋଟିଏ ଗଛ ଲଗାଇ ଏହାର ଯତ୍ନ ନେବାକୁ ଦୁଇ ଛାତ୍ର ଯାତ୍ରା ସମୟରେ ଲୋକମାନଙ୍କୁ ସଚେତନ କରୁଥିବା କହିଛନ୍ତି। ଏ ପର୍ଯ୍ୟନ୍ତ ଓଡିଶା ରାଜ୍ୟର ୧୫ ଟି ଜିଲ୍ଲା ସେମାନେ ସାଇକେଲ ଯୋଗେ ପରିଭ୍ରମଣ କରି ସାରିଥିବା ମନମୋହନ ମଲ୍ଲିକ କହିଛନ୍ତି। ଭୋର ସମୟରୁ ଯାତ୍ରା ଆରମ୍ଭ କରି ସନ୍ଧ୍ୟା ହେଲେ ବିଶ୍ରାମ ନିଅନ୍ତି ।ସାଥିରେ ଧରିଥିବା ଟେଣ୍ଟ ଲଗାଇ ବିଶ୍ରାମ କରୁଥିବା ଦୁଇ ସାଇକେଲ ଆରୋହୀ କହିଛନ୍ତି।ଏପରିକି ଗ୍ରାମବାସୀ ମାନେ ମଧ୍ୟ ସହଯୋଗ କରୁଥିବା ସେମାନେ କହିଛନ୍ତି। କୋରାପୁଟରୁ ସେମାନେ ଜୟପୁର ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି।ଦୁଇ ଜଣ ଛାତ୍ର ଏବେ ପାଠ ପଢୁଛନ୍ତି।ଏହା ପୂର୍ବରୁ ସେମାନେ ସାଇକେଲ ଯୋଗେ ପୁରୀ ଯାତ୍ରା କରିଥିଲେ।ସେଠାରୁ ଲୋକମାନଙ୍କ ଠାରୁ ପ୍ରେରଣା ପାଇବା ପରେ ରାଜ୍ୟର ସମସ୍ତ ଜିଲ୍ଲାକୁ ସାଇକେଲ ଯୋଗେ ଯାତ୍ରା କରି ଲୋକମାନଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଯାତ୍ରା ଆରମ୍ଭ କରିଥିଲେ ବୋଲି ଆଇଟିଆଇ ପ୍ରଥମ ବର୍ଷ ଛାତ୍ର ମନମୋହନ ମଲ୍ଲିକ କହିଛନ୍ତି।ଏହି ଯାତ୍ରା ଦ୍ବାରା ସେମାନେ ଅନେକ କିଛି ଶିଖିଥିବା ବେଳେ ଲୋକମାନଙ୍କୁ ମଧ୍ୟ ଶିଖାଉଥିବା ସେ କହିଛନ୍ତି।