କୋରାପୁଟ,(ଦିଲିପ ମହାନ୍ତି ) : ଜଳବାୟୁ ପରିବର୍ତ୍ତନ ପାଇଁ କୋରାପୁଟ ଅଂଚଳରେ ଗୋଲମରିଚ ଉତ୍ପାଦନ ଉପରେ କଳାବାଦଲ ଘେରିଯାଇଛି । ଠିକ୍ ସମୟରେ ଫୁଲ ଧରିଥିଲେ ବି ଫଳ ଦେଲାନି। ଆଉ ସବୁଠୁ ବଡ କଥା ହେଲା ଅମଳ ସମୟର ଦୁଇ ମାସ ପୂର୍ବରୁ ଅମଳ ହେବା ସହ ଫଳ ପରିପକ୍ବ ହୋଇଗଲା। ଆଉ ଯେଉଁଠି ଏକର ପ୍ରତି ଦୁଇଶହ କେଜି ଅମଳ ହେବା କଥା ସେଠାରେ ମାତ୍ର ୫୦ କେଜି ଅମଳ ହୋଉଛି ଗୋଲମରିଚ। ଏପରିକି ବର୍ଷକ ଯାକ ଯେଉଁ ଅମଳକୁ ଅପେକ୍ଷା କରିଥିଲେ ତାହା କିଞ୍ଚିତ ହୋଇଥିବାରୁ ମୁଣ୍ଡରେ ହାତଦେଇ ବସିଛନ୍ତି ଚାଷୀ। ବର୍ଷକ ଯାକର ଖର୍ଚ୍ଚ ସହ ବଜାରରେ ଅଭାବୀ ବିକ୍ରି ଚିନ୍ତା ବଢାଇଛି। ସାଧାରଣତଃ କୋରାପୁଟ ଜିଲ୍ଲାରେ ଗୋଲମରିଚର ଅମଳ ଏପ୍ରିଲ ଶେଷ ସପ୍ତାହରୁ ଆରମ୍ଭ ହୋଇ ମେ ଶେଷ ସପ୍ତାହ ଯାଏ ଚାଲିଥାଏ। ତେବେ ମେ ଶେଷ ସପ୍ତାହରୁ ଜୁନ ଶେଷ ସପ୍ତାହ ଆଡକୁ ଗଛରେ ଫୁଲ ଆସିଥାଏ। ଚଳିତ ଋତୁରେ ଭଲ ଫୁଲ ହୋଇଥିଲାବେଳେ ଫଳ ମଧ୍ୟ ଆସିଥିଲା। ଫଳ ପାକଳ ହେବା ସମୟରେ ଲଘୁଚାପ ଜନିତ ବର୍ଷା ହେତୁ ସବୁ ଫଳ ନଷ୍ଟ ହୋଇଗଲା। ଆଉ ଯେଉଁ ଫଳ ରହିଥିଲା ତାହା ବହୁ ପୂର୍ବରୁ ପରିପକ୍ବ ହୋଇଥିଲା।
ତେବେ ଚଳିତ ଋତୁରେ କୋରାପୁଟ ଜିଲ୍ଲାର କୋରାପୁଟ, ଲମତାପୁଟ, ଦଶମନ୍ତପୁର, ନନ୍ଦପୁର, ପଟାଙ୍ଗୀ ବ୍ଲକରେ ସରକାରୀ ଓ ବେସରକାରୀ ଚାଷୀ ୨୫୦ ଏକର ଜମିରେ ଗୋଲମରିଚ ଚାଷ କରିଥିଲେ। ସରକାରୀ ଭାବେ ଭାବେ ୧୦୨ ଏକର ଜମିରେ ଚଳିତବର୍ଷ ଗୋଲମରିଚ ଚାଷ କରାଯାଇଥିଲା। ଏହାସହ ଲମତାପୁଟ, ନନ୍ଦପୁର ଓ ପଟାଙ୍ଗୀରେ ରହିଥିବା ଘରୋଇ ଚାଷୀ ନିଜ ଉଦ୍ୟମରେ ୧୩୮ ଏକର ଜମି ଓ ମସଲା ବୋର୍ଡର୧୦ ଏକର ଜମିରେ ଗୋଲମରିଚ ଚାଷ କରିଥିଲେ। ୨୦୨୩-୨୪ ଆର୍ଥିକ ବର୍ଷରେ ଏକର ପ୍ରତି ୫୦ କେଜିରୁ ୮୦ କେଜି ଅମଳ ହୋଇଛି। ଚଳିତବର୍ଷ ବର୍ଷ ମାର୍ଚ୍ଚ ଦ୍ବିତୀୟ ସପ୍ତାହ ସୁଦ୍ଧା ଅମଳ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଥିବାବେଳେ ଅମଳ ଦେଖି ମୁଣ୍ଡରେ ହାତ ଦେଇ ବସି ରହିଛନ୍ତି ଚାଷୀ। ଗତବର୍ଷ କୋରାପୁଟ ଜିଲ୍ଲାରେ ପ୍ରାୟ ୨୫୦ ଏକର ଜମିରେ ଚାଷ କରାଯାଇଥିଲା। ଗତବର୍ଷ ଏକରକୁ ୨୫୦ରୁ ୩୦୦କେଜି ଅମଳ ହୋଉଥିଲା ବେଳେ ଚଳିତବର୍ଷ ତାହା ୪୦ରୁ ୫୦ କେଜି ହୋଇଛି। ଚଳିତବର୍ଷ ଏହି ଜଳବାୟୁ ପରିବର୍ତ୍ତନ ହେବା ଘଟଣା ଚିନ୍ତା ବଢାଇଛି।
ଗୋଲମରିଚ ଏକ ବ୍ୟବସାୟିକ ମସଲା ଜାତୀୟ ଚାଷ। ଯେଉଁଠି ୧୦ରୁ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ଅନୁଭୂତ ହେଉଥିବ ସେଠି ଏହି ଗୋଲମରିଚ ଚାଷ କରାଯାଇ ପାରିବ। ଏହି ଗଛ ୮ରୁ ୧୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢ଼ିପାରେ ଓ ୨୫ରୁ ୩୦ ବର୍ଷ ପର୍ଯ୍ୟନ୍ତ ଭଲ ଫଳ ଦେଇଥାଏ। ଏମିତିକି ଏହି ଗଛ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରେ।
ଏନେଇ ସେଭେନ ହିଲସ କଫି ବଗିଚା ର ଗୋଲମରିଚ ଚାଷୀ ସୁସାନ୍ତା ପଣ୍ଡା କହିଛନ୍ତି ଯେ ଚଳିତ ଋତୁରେ ଗୋଲମରିଚ ଗଛରେ ଭଲ ଫୁଲ ଧରିଥିଲା। ଫୁଲରୁ ଫଳମଧ୍ୟ ଭଲ ହୋଇଥିଲା, ହେଲେ ଅମଳ ହେଲାନାହିଁ। ଅମଳ ବେଳକୁ ତାହା ବହୁତକମ୍ ହୋଇଛି। ନଭେମ୍ବରରୁ ଡିସେମ୍ବର ମାସରେ ହାଠାତ ବର୍ଷା ହୋଇଥିଲା। ଏହାପରେ ହଠାତ ପରିପକ୍ବ ହୋଇଥିଲା, ଯେଉଁ ଫଳ ଗଛରେ ରହିବା କଥା ତାହା ଗଛରୁ ତଳକୁ ଝଡିବା ଆରମ୍ଭ କରିଥିଲା।ସେଥିରେ ବିଜ ନ ଥିବାରୁ ସବୁ ନଷ୍ଟ ହୋଇଛି। ଯେଉଁଠି ଏକରକୁ ୨୫୦ରୁ ୩୦୦କେଜି ଅମଳ ହୋଉଥିଲା ଚଳିତବର୍ଷ ତାହା ୫୦ରୁ ୮୦ କେଜିକୁ ହ୍ରାସ ପାଇଛି ବୋଲି ସେ କହିଛନ୍ତି।
କୋରାପୁଟ ଅଂଚଳରେ କଫି ଚାଷ କରାଯାଉଥିବା ସ୍ଥାନରେ ଚାଷୀ କଫି , ଗୋଲମରିଚ ଓ ସିଲଭର ଓକ ଗଛ ଲଗାଇ ସବୁଜିମା ଭରି ଦେଉଥିବା ବେଳେ ପାରିପାର୍ଶ୍ବିକ ଅଂଚଳ ଲଣ୍ଡା ପାହାଡ ତଥା ବୃକ୍ଷ ବିହୀନ ଅଂଚଳ ଭାବେ ପରିଣତ ହୋଇଥିବା ଯୋଗୁଁ ଏହି ଅଞ୍ଚଳରେ ବୃଷ୍ଟିପାତ ରେ ଅନିୟମିତତା ଦେଖାଯାଉଥିବା ବ୍ରାଉନ ଭେଲି କଫି ବଗିଚାର ଗୋଲମରିଚ ଚାଷୀ ସୁଜୟ ପ୍ରଧାନ କ୍ଷୋଭ ପ୍ରକାଶ କରିଛନ୍ତି ।
କୋରାପୁଟ ଜିଲ୍ଲାରେ କଫି ଚାଷ ରେ ନଷ୍ଟ ହେଲେ ଗୋଲମରିଚ ଚାଷ ର ଆଦାୟ ରୁ ଭରଣା କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ଜଳବାୟୁର ପରିବର୍ତନ ଯୋଗୁଁ ଉଭୟ ଚାଷ ପ୍ରଭାବିତ ହୋଇଥିବା ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।