Wed. Oct 14th, 2026

ହିତାଧିକାରୀଙ୍କୁ ମିଳିଲା ବିଏସ୍କେୱାଇ ନବୀନ କାର୍ଡ । ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଖୋର୍ଦ୍ଧା ଓ ସମ୍ବଲପୁରର ହିତାଧିକାରୀଙ୍କୁ ଏହି କାର୍ଡ ବଂଟନ କରାଯାଇଛି । ରାଜ୍ୟର ପ୍ରତି ବ୍ଲକସ୍ତରରେ ୧୦୦ଟି ଲେଖାଏଁ କାର୍ଡ ବାଂଟିବାର ବ୍ୟବସ୍ଥା ହୋଇଛି । ଏହି କାର୍ଡ ପାଇଁ ବର୍ତମାନ ସୁଦ୍ଧା ୪ ଲକ୍ଷ ୮୧ ହଜାର ୪୮୧ ହିତାଧିକାରୀ ଆବେଦନ କରିଛନ୍ତି।ସେମାନଙ୍କ ଯାଂଚ ପ୍ରକ୍ରିୟା ଜାରି ରହିଛି । ଡିଆରଡିଏ ଅଧିକାରୀ ଚୟନ ହୋଇଥିବା ହିତାଧିକାରୀଙ୍କ ପରିଚୟପତ୍ର ଯାଂଚ କରିବା ପରେ କାର୍ଡ ବଂଟନ କରାଯାଉଛି । ଏହି କାର୍ଡ ଦ୍ୱାରା ତାଲିକାଭୁକ୍ତ ହୋଇଥିବା ଘରୋଇ ଚିକିତ୍ସାଳୟରେ ପରିବାରର ସବୁ ସଦସ୍ୟଙ୍କ ପାଇଁ ବର୍ଷକୁ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ବର୍ଷକୁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ସହାୟତା ରହିଛି । ପର୍ଯ୍ୟାୟକ୍ରମେ ଏହା ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଥିବା ଗାଁ ଗହଳିର ଲୋକଙ୍କୁ ଏହି ପର୍ଯ୍ୟାୟରେ ଜଟିଳ ରୋଗ ପାଇଁ ଘରୋଇ ହସ୍ପିଟାଲଗୁଡ଼ିକରେ କ୍ୟାସଲେସ୍ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ । ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କ ବ୍ୟତୀତ ଗାଁରେ ବିଏସକେୱାଇରୁ ବଞ୍ଚିତ ସବୁ ପରିବାର ବିଏସକେୱାଇ ନବୀନ କାର୍ଡ ପାଇବେ । ସେମାନେ ଉଭୟ ରାଜ୍ୟ ଭିତରେ ଓ ବାହାରେ ସବୁ ପଞ୍ଜିକୃତ ଘରୋଇ ହସ୍ପିଟାଲରେ ନିର୍ଦ୍ଧାରିତ ଜଟିଳ ରୋଗଗୁଡିକର ମାଗଣା ଚିକିତ୍ସା ସୁବିଧା ପାଇବେ । ଆଜିଠୁ ଏହି କାର୍ଡ ବଣ୍ଟନ ଆରମ୍ଭ ହୋଇଥିବା ବେଳେ ମେ’ ପହିଲାରୁ ହିତାଧିକାରୀମାନେ ଏହାର ସୁବିଧା ପାଇବେ । ରାଜ୍ୟ ସରକାରଙ୍କ 5T ଉପକ୍ରମରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସାଢେ ୪ କୋଟି ଓଡିଶାବାସୀ ହେଉଛନ୍ତି ମୋ ପରିବାର । ଆପଣମାନଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ରହିଛି ଓ ରହିଥିବି । ଆପଣମାନଙ୍କ ଖୁସି ମୋ ଖୁସି । ସୁସ୍ଥ ସମାଜ ଏକ ସମୃଦ୍ଧ ରାଷ୍ଟ୍ରର ଆଧାର ଏବଂ ସ୍ୱାସ୍ଥ୍ୟ ସହିତ ଏହାର ଗଭୀର ସଂପର୍କ ରହିଛି ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ମୋ ପରିବାରର ଲୋକମାନେ କିପରି ଭଲରେ ରହିବେ ସେଥିପାଇଁ ମୁଁ ସବୁବେଳେ କାମ କରି ଚାଲିଛି ଓ କରି ଚାଲିବି ।
ସୂଚନାଯୋଗ୍ୟ ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ପରିବାର ଯାହାକି ରାଜ୍ୟ ଜନସଂଖ୍ୟାର ୮୦ ଭାଗ ହେବେ, କ୍ୟାସଲେସ ଚିକିତ୍ସା ସୁବିଧା ପାଉଛନ୍ତି । ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଥିବାବେଳେ ପରିବାରର ଅନ୍ୟ ସଦସ୍ୟ ମାନଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା କରାଯାଇଛି । ଏହି ଯୋଜନାରେ ମାସକୁ ୧ ଲକ୍ଷ ୩୦ ହଜାର ହିତାଧିକାରୀ ୮୧୬ ଟି ପଞ୍ଜିକୃତ ବେସରକାରୀ ହସ୍‌ପିଟାଲରେ ଚିକିତ୍ସା ସୁବିଧା ପାଉଛନ୍ତି । ଏଥିପାଇଁ ରାଜ୍ୟ ସରକାର ନିଜ ପାଣ୍ଠିରୁ ୨୭୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ।

Leave a Reply

Your email address will not be published. Required fields are marked *