Wed. Oct 14th, 2026

ସାଧାରଣତଃ କାର ଚଳାଉଥିବା ଲୋକ ଗାଡ଼ିର ସୁବିଧା ଅସୁବିଧା ପାଇ ଇନସୁରାନ୍ସ କରେଇଥାନ୍ତି। ଯାହା ଦ୍ଵାରା ତାଙ୍କ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେଲେ କିଛି ଆର୍ଥିକ ସାହାଯ୍ୟ ମିଳିଥାଏ। ହେଲେ ଭାରତରେ ଏମିତି କିଛି ବିଚିତ୍ର କାରଣରୁ କାରର ଇନସୁରାନ୍ସ କ୍ଲେମ କରାଯାଏ ଯାହାକୁ ଜାଣିଲେ ଯେ କେହିବି ଚକିତ ହେବ। ଏହା ଯେତିକି ବିଚିତ୍ର ସେତିକି କୌତୁହଳପୂର୍ଣ୍ଣ ମଧ୍ୟ। ଯେମିତି କି କାର ଉପରେ ନଡ଼ିଆ ପଡ଼ିବା, ବୁଲା କୁକୁରମାନେ ଗାଡି ଦଳାଚକଟା କରି ଦାଗ କରିବା, କ୍ରୋଧିତ ମୟୂର ତାର ପ୍ରତିଫଳନ ଦେଖି ଥଣ୍ଟ ମାରିବା ଏଵଂ ଜଂଗଲୀ ହାତୀ କାର ଉପରେ ଚଢିବା। ଏଗୁଡିକ କେତେକ ମୋଟର ଦୁର୍ଘଟଣା ଦାବି ଯାହା ବୀମାକାରୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇପାରେ। ତେବେ ବୀମା କମ୍ପାନୀମାନେ କହିଛନ୍ତି ଯେ ଲୋକଙ୍କ ସାଧାରଣ ଦାବି ହେଉଛି ପଛରୁ ଅନ୍ୟ ଗାଡ଼ି ଧକା ଦେବା। ଏହାପରେ ଧକ୍କା ଓ ହିଟ୍ ଆଣ୍ଡ ରନ୍ ମାମଲା। ତେବେ ଗଛ ଡାଳ ପଡ଼ିବା ମଧ୍ୟ ଏହି ତାଲିକାରେ ଆସୁଛି। ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ବୀମା କ୍ଲେମ କରୁଥିବା ବେଳେ ସେମାନେ ପଶୁ ସହ ଜଡ଼ିତ କିଛି ଦୁର୍ଘଟଣା ମଧ୍ୟ କ୍ଲେମ ପରିସରକୁ ଆସୁଛି। ଲୋକେ ଏମିତି କାରଣ ଦେଖାଉଛନ୍ତି। ତେବେ ଆସାମ, କେରଳ, ତାମିଲନାଡୁ, ପଶ୍ଚିମ ବଙ୍ଗ, କର୍ଣ୍ଣାଟକ ଆଦି ରାଜ୍ୟରୁ ୨୦୨୩ ବର୍ଷ ଶେଷ ସୁଦ୍ଧା ହାତୀ ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ୨୦ ରୁ ଅଧିକ ଇନସୁରାନ୍ସ କ୍ଲେମ ଗୋ ଡିଜିଟ କମ୍ପାନୀ ପାଇଥିବାର କହିଛି। ସେହିଭଳି ଇନ୍ଦର୍ ନଗରର ଆଉ ଗୋଟେ ଘରୋଇ ବୀମା କମ୍ପାନୀ କହିଛି ତାଙ୍କୁ ଏଇ ଗୋଟିଏ ବର୍ଷରେ ବୁଲା କୁକୁର ଦ୍ଵାରା କ୍ଷତି ହୋଇଥିବା ୧୧୦ ଟି ଦାବୀ ଆସିଛି। ବଜାଜ ଆଲିଆନ୍ଜ ଜେନେରାଲ ଇନସୁରାନ୍ସରେ ମଧ୍ୟ ପଶୁ ସମ୍ବନ୍ଧୀୟ ଦାବିଗୁଡ଼ିକ ମିଳିଥିବା ଜଣା ପଡ଼ିଛି। ତେବେ ଏହି କମ୍ପାନୀର ଜଣେ ମୁଖପାତ୍ର କହିଛନ୍ତି ଗତ ବର୍ଷ ମଇଁଷି ଧକା, ଛେଳି ଡେଇଁବା ବା ମାଡ଼ ହେବା ଓ ମାଙ୍କଡ ଲାଗି ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ଲୋକମାନେ ଏକାଧିକ ଇନସୁରାନ୍ସ କ୍ଲେମ କରିଛନ୍ତି। ତେବେ କାର ହେଉ ବା ଅନ୍ୟ କିଛି ଜିନିଷର ଇନସୁରାନ୍ସ ସମୟରେ ଉଭୟ କମ୍ପାନୀ ଓ ଗ୍ରାହକ ଏହାର ସର୍ତାବଳୀ ବିଷୟରେ ସ୍ପଷ୍ଟ ଧାରଣା ରଖିବା ଉଚିତ ।

Leave a Reply

Your email address will not be published. Required fields are marked *