ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପରେ ଚର୍ଚ୍ଚାରେ ଥିବା ଲାକ୍ଷାଦ୍ଵୀପରେ ତାଜ୍ ବ୍ରାଣ୍ଡର ଦୁଇଟି ରିସର୍ଟ ନିର୍ମାଣ କରିବାକୁ ଘୋଷଣା କରିଛି ଟାଟା ସମୂହର ଇଣ୍ଡିଆନ ହୋଟେଲ କମ୍ପାନୀ(ଆଇଏଚସିଏଲ)। କେନ୍ଦ୍ର ଶାସିତ ଅଞ୍ଚଳର ସୁହେଲୀ ଏବଂ କଦମତ ଦ୍ବୀପରେ ଏହି ଦୁଇ ରିସର୍ଟ ନିର୍ମାଣ ହେବ। ପରିବେଶକୁ ଗୁରୁତ୍ୱ ଦେଇ ୨୦୨୬ ସୁଦ୍ଧା ଏହାର ନିର୍ମାଣ ସରିବ ବୋଲି କୁହାଯାଇଛି।
ଆଇଏଚସିଏଲ ହେଉଛି ଭାରତୀୟ ହସ୍ପିଟାଲିଟି କ୍ଷେତ୍ରର ସର୍ବବୃହତ କମ୍ପାନୀ। ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ କ୍ଷେତ୍ରରେ ଆଇଏଚସିଏଲ’ର ଉପସ୍ଥିତି ରହିଛି। ସେହିପରି ଲାକ୍ଷାଦ୍ଵୀପରେ ମଧ୍ୟ କମ୍ପାନୀ ଆଗନ୍ତୁକ ମାନଙ୍କୁ ଭିନ୍ନ ଚର୍ଚ୍ଚା ପରଷିଦେବାକୁ ଯୋଜନା କରୁଛି।
ବର୍ତମାନ ସମୟରେ ଟାଟାର ଏହି ଘୋଷଣା ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ଵୀପ ଗସ୍ତ କରି ବିଦେଶ ଯାଉଥିବା ଭାରତୀୟ ମାନଙ୍କୁ ଲାକ୍ଷାଦ୍ଵୀପ ଆସିବାକୁ ଅପିଲ କରିଥିଲେ। ଏହାପରେ ମାଳଦ୍ଵୀପ ସହିତ ଭାରତର ମୁହାଁମୁହିଁ ସ୍ଥିତି ଉପୁଜିଛି। ଏଭଳି ସମୟରେ ଟାଟାର ଏହି ଘୋଷଣା ଭାରତର କୂଟନୈତିକ ସ୍ଥିତିକୁ ମଧ୍ୟ ମଜବୁତ କରୁଛି।
ତାଜ ସୁହେଲିରେ ୬୦ ଟି ବେଳାଭୂମି ଭିଲ୍ଲା ଏବଂ ୫୦ ଟି ୱାଟର ଭିଲ୍ଲା ସମେତ ୧୧୦ ଟି ରୁମ୍ କରିବାକୁ ଥିବାବେଳେ ତାଜ କଦମାଟ ୭୫ ଟି ବେଳାଭୂମି ଭିଲ୍ଲା ଏବଂ ୩୫ ଟି ୱାଟର ଭିଲ୍ଲାକୁ ନେଇ ୧୧୦ ଟି ରୁମ୍ କରିବ।
