Wed. Oct 14th, 2026

ନିଜ ୪ ବର୍ଷର ପୁଅକୁ ମାରି ବ୍ୟାଗରେ ଭର୍ତ୍ତି କରି ଯାତ୍ରା କଲା ମାଆ । ବେଙ୍ଗାଲୁରୁର ଏକ AI କମ୍ପାନୀର CEOଙ୍କ ଏପରି କାଣ୍ଡ ସମସ୍ତଙ୍କୁ ଚକିତ କରିଛି । ପୁଅକୁ ଗୋଆରେ ହତ୍ୟା କରି ସେଠାରୁ ବେଙ୍ଗାଲୁରୁ ଆଣୁଥିଲେ ମହିଳା । ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ।

ସୁଚନା ଅନୁସାରେ, ମହିଳାଙ୍କ ବୟସ ୩୯ ବର୍ଷ । ସେ ବେଙ୍ଗାଲୁରୁରେ ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଷ୍ଟାର୍ଟ ଅପ୍ କମ୍ପାନୀର ସିଇଓ ଅଛନ୍ତି । ସେ ଗୋଆର ଏକ ଆପାର୍ଟମେଣ୍ଟରେ ରହୁଥିଲେ । ଛାଡପତ୍ର ଦେଇଥିବା ପୂର୍ବତନ ସ୍ବାମୀ ସହ ପୁଅକୁ ଭେଟ କରାଇବାକୁ ଚାହୁଁନଥିଲେ ମହିଳା । ସେଥିଲାଗି ମହିଳା ଜଣକ ପୁଅକୁ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

କେମିତି ଘଟିଥିଲା ଏ ହତ୍ୟାକାଣ୍ଡ?

ସୂଚନା ଅନୁସାରେ, ଗୋଆରେ ଏକ ହୋଟେଲରେ ରହିଥିଲେ ମହିଳା ଜଣଙ୍କ। ହୋଟେଲରୁ ଚେକ୍ ଆଉଟ୍ କରି ବାହାରିବା ପରେ ସେହି ହୋଟେଲର କର୍ମଚାରୀ ରୁମକୁ ଯାଞ୍ଚ କରିବାକୁ ଯାଇଥିଲେ। ସେତେବେଳେ ହୋଟେଲ ରୁମରେ ସେ ରକ୍ତର ଛିଟା ଦେଖିଥିଲେ। ଏହାପରେ ତୁରନ୍ତ ହୋଟେଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଥିଲେ। ହୋଟେଲ କର୍ତ୍ତୃପକ୍ଷ ତୁରନ୍ତ ଗୋଆର ସ୍ଥାନୀୟ ପୋଲିସକୁ ସମ୍ପର୍କ କରିବା ପରେ ଗୋଆ ପୋଲିସ ଆସି ତଦନ୍ତ ଆରମ୍ଭ କରିଥିଲା । ସିସିଟିଭି ଯାଞ୍ଚରୁ ସମ୍ପୃକ୍ତ ମହିଳା ଜଣକ ପୁଅ ବିନା ହୋଟେଲରୁ ବାହାରୁଥିବା ଦେଖିବାକୁ ମିଳିଥିଲା । ସୂଚନା ହୋଟେଲରୁ ବାହାରି ଏକ ଟାକ୍ସି ଯୋଗେ ବେଙ୍ଗାଳୁରୁ ଯାଇଥିଲେ । ଏହାପରେ ଗୋଆ ପୋଲିସ ହୋଟେଲ କର୍ତ୍ତୃପକ୍ଷଙ୍କ ସମ୍ପର୍କ କରି ଟାକ୍ସି ଡ୍ରାଇଭର ନମ୍ବରକୁ ଯୋଗାଯୋଗ କରିଥିଲା। ଫୋନରେ ସମ୍ପର୍କ ହେବା ସମୟରେ ସେ କର୍ଣ୍ଣାଟକର ଚିତ୍ରଦୁର୍ଗ ଅଂଚଳରେ ଥିଲେ । ପୋଲିସ ତୁରନ୍ତ ଡ୍ରାଇଭରକୁ ସ୍ଥାନୀୟ ଥାନାକୁ ଗାଡି ନେଇଯିବାକୁ କହିଥିଲା। ଏହାପରେ ସ୍ଥାନୀୟ ଏମଙ୍ଗଳା ଥାନାର ଅଧିକାରୀଙ୍କୁ କାରରେ ଥିବା ମହିଳାଙ୍କ ବ୍ୟାଗ୍ ଯାଞ୍ଚ କରିବାକୁ କହିଥିଲେ। ଯାଞ୍ଚବେଳେ ବ୍ୟାଗରୁ ୪ ବର୍ଷ ପୁଅର ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିଲା । ମାମଲାର ଛାନବିନ ପାଇଁ ଗୋଆ ପୋଲିସ ଚିତ୍ରଦୁର୍ଗ ଅଭିମୁଖେ ଯାତ୍ରା କରି ମହିଳାଙ୍କୁ ଟ୍ରାଜିଂଟ ରିମାଣ୍ଡରେ ଗୋଆ ଆଣି ଅଧିକ ତଦନ୍ତ କରିବ ।

Leave a Reply

Your email address will not be published. Required fields are marked *