
ବହୁ ପ୍ରତିକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ଜାନୁଆରୀ ୧୭ରେ ଲୋକାର୍ପିତ ହେବ। ଏଥି ପାଇଁ ଗାଁ ଗାଁରେ ଜଗନ୍ନାଥ ରଥ ବୁଲିବା ସହ ଗୁଆ ଚାଉଳ ସଂଗ୍ରହ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ଚତୁପାର୍ଶ୍ଵରେ ଥିବା ବିଭିନ୍ନ ମଠ ମନ୍ଦିରର ପୁନରୁଦ୍ଧାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପୂର୍ବରୁ ମଠ ମନ୍ଦିରର ପୁନଃରୁଦ୍ଧାର କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ବଦଳିବାରେ ଲାଗିଛି ଶ୍ରୀମନ୍ଦିର ଚତୁପାର୍ଶ୍ବରେ ଥୂବା ବିଭିନ୍ନ ମଠ ମନ୍ଦିରର ରୂପରେଖ। ଉତ୍କଳୀୟ କାରୁକାର୍ଯ୍ୟରେ ଝଲସୁଛି ଶ୍ରୀମନ୍ଦିର ଚତୁପାର୍ଶ୍ଵରେ ଥିବା ବିଭିନ୍ନ ପୁରାତନ ମଠ । ଖାଣ୍ଡେଲାଇଟ୍ ପଥରରେ ଅତି ସୁନ୍ଦର ଭାବେ କାରୁକାର୍ଯ୍ୟ କରାଯାଇ ମଠ ଗୁଡ଼ିକର ପୁନରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ କରାଯାଉଛି । ଓଡ଼ିଶା ସେତୁ ନିର୍ମାଣ ନିଗମ ଏବଂ ଟାଟା ପ୍ରୋଜେକ୍ଟ ଟିମ୍ ଏହି ମଠ ମନ୍ଦିର ଗୁଡ଼ିକର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଜୋରସୋରରେ ଆଗେଇ ନେଉଛନ୍ତି। ଶ୍ରୀମନ୍ଦିର ଚାରିଦ୍ଵାରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଚାରିଦ୍ଵାରରେ ଭକ୍ତଙ୍କ ସୁବିଧା ପାଇଁ ପରିକ୍ରମା ମାର୍ଗ, ଟଏଲେଟ୍, ପାନୀୟ ଜଳ, ଫାଷ୍ଟଏଡ୍ ସେଣ୍ଟର ଏବଂ ସୁନ୍ଦର ସୁନ୍ଦର ଫୁଲ ଗଛ ଲଗାଯାଇ ପରିବେଶକୁ ବେଶ୍ ଆକର୍ଷଣୀୟ କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଭକ୍ତଙ୍କ ଉଦ୍ଦେଶ୍ୟରେ ସରକାରଙ୍କ ଏକ ବଡ଼ ଭେଟି ହେବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଯୋଗ ଦେବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରେ ଥୂବା ବିଭିନ୍ନ ଦେବ ପୀଠକୁ ନିମନ୍ତ୍ରଣ ମଧ୍ୟ ହୋଇ ସାରିଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଏକ ବିରାଟ ଐତିହାସିକ କାର୍ଯ୍ୟକ୍ରମ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରସୋରରେ ଆଗେଇ ଚାଲିଥିବା ବେଳେ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି । ଲୋକାର୍ପଣ ଉତ୍ସବରେ ହେବାକୁ ଥିବା ଯଜ୍ଞ ପାଇଁ ନୀତି ନିର୍ଘଂଟ ଶେଷ ହୋଇଛି । ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ହୋଇଥିବା ପରିଚାଳନା ବୈଠକରେ ଏଥିପାଇଁ ଦିନ ଓ ସମୟ ଧାର୍ଯ୍ୟ କରାଯାଇଛି । ଆସନ୍ତା ୧୨ ତାରିଖ ସଂଧ୍ୟାରେ ଶ୍ରୀନଅରରେ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଦ୍ୱାରା ଗୁଆ ଟେକା ଯାଇ ଯଜ୍ଞ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ । ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶ କ୍ରମେ ଗଜପତି ଦିବ୍ୟସିଂହ ଦେବଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ । ଆସନ୍ତା ଜାନୁଆରୀ ୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐଶାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ । ୧୭ ତାରିଖରେ ପୂର୍ଣ୍ଣାହୁତି ହେବ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ ।