Wed. Oct 14th, 2026
କବିତା

ନୂଆ ବର୍ଷ

ଏଇ ଏବେ ଗଲା ବେଳେ ଲାଗୁଥିଲା କି
ଏ ବର୍ଷ’ଟା
ଶିଘ୍ର ଚାଲିଗଲା

କଷି ପୌଷ’ର ଫୁଙ୍ଗୁଳା ଆକାଶ ତଳେ
ହାଇ ମାରୁ ମାରୁ ରାତି ଆସିଗଲା,
ନିଦ’କୁ ଡରୁଥିବା କଅଁଳା ଛୁଆର ମାଆଟି
ଘୋଡେ଼ଇଦେଲା ଅନ୍ଧାର ରାତିର କଳା କମ୍ବଳ
ତା ଉପରେ ଧଳା ଚାଦର କୁହୁଡ଼ିର।
ଶୀତୁଆ ସକାଳ ଉଠି ଟିଭିରେ ଦେଖିଲା,
ଗତ ରାତି ବାରଟାରୁ ତାରିଖ ବଦଳିଛି
ଏକ ଜାନୁଆରୀ ଦୁଇ ହଜାର ଚବିଶ।

ଦି’ଫାଳ ପୃଥିବୀରେ ବର୍ଷ ବି ଦି ପ୍ରକାର;
ଆମର ଏଇଠି ଏ ବର୍ଷଟା ଶୀଘ୍ର ଚାଲିଗଲା
ଏ ବର୍ଷଟା ଭୋଗି ନାହିଁ
ନିଠେଇ ବସୁଥିବା ଲକ୍ ଡାଉନ୍
ମୁହଁ ସଞ୍ଜରେ କେହି କହିନି ଯେ
କାଲି ସକାଳକୁ ଅଚଳ ହେଉ ଟଙ୍କା
ଏବର୍ଷ ବଉଳ ଆସିନି ଶୀଘ୍ର
କିନ୍ତୁ ଆଖି ପାଉଥିବା ଯାଏଁ
କ୍ଷେତରେ ପାଚିଲା ଧାନର ସୁନାରଙ୍ଗ।
ଫି ବର୍ଷ ଏମିତି ହୁଏନି
ଯେମିତି ଏଥର ହେଲା।

…..

ଶେଷ ଗୁରୁବାର ପରେ
କ୍ୟାଲେଣ୍ଡର ସବୁ ସଜ ହେଉଥିଲେ
ମୋଡ଼ି ମାଡ଼ି ହେଇ
ପୁରୁଣା କାଗଜଗଦାରେ ଲୁଚିବାକୁ।
ହୁଏତ ମକର ଆଗରୁ ଆସିଯିବ
ନୁଆ ପର୍ବାଣୀ ଓ ଛୁଟିର ତାଲିକା ଧରି
ନୂଆ ବର୍ଷର ନୂଆ ରାଶିଫଳ।

ଏବେ ନିଜର କହିଲେ
ଏଇ ଆକାଶ ଟା ହିଁ..!
ଭୂମି ତ, ଆ’ ତା’ ନାଆଁରେ
କେବେଠାରୁ ରେଜିଷ୍ଟ୍ରି ସରିଛି।
ଖୋଜିଲେ, ଇନ୍ଦ୍ରଧନୁ’ରୁ ତାରା ଯାଏଁ
ସବୁ ଏଇଠି, ଏଇ ଆକାଶରେ।
ଏଠି ବର୍ଷ ବଦଳିଲେ
ତାରିଖ ବଦଳେ ନାହିଁ
ବଦଳେ କିନ୍ତୁ ଜହ୍ନ ତାରା ସୁର୍ଯ୍ୟର ଠିକଣା।

ଆର ଫାଳ ପୃଥିବୀରେ କିନ୍ତୁ
ଏବେ ବି ବର୍ଷ ସରିନାହିଁ
ନୂଆ ବର୍ଷ ଆସିନାହିଁ, ସରିନାହିଁ ଯୁଦ୍ଧ।
ମରୁଥିବେ ଲୋକ, ଭାଙ୍ଗୁଥିବ ଘର
ଅସ୍ତ୍ର ଯୋଗାଣ ଚାଲିଥିବା ଯାଏଁ।
ଆକାଶ ଓ ଭୂମି ମଝିରେ
କେଡ଼େ ଟିକେ ଯେ ପବନ !
ସେତିକି ବି ବର୍ଷସାରା ବିଷାକ୍ତ
ମା ଓ ଛୁଆର ରକ୍ତରେ ରକ୍ତାକ୍ତ।

ନୂଆବର୍ଷକୁ ସ୍ୱର୍ ଦିଅ
ହେ ସମୟର କାରିଗର !!
ସେ କହୁ, ସମଗ୍ର ପୃଥିବୀକୁ
ସମସ୍ତେ ଶୁଣିଲା ପରି
ସେ କହୁ, ବନ୍ଦ କର ଯୁଦ୍ଧ !!
ବନ୍ଦ କର, ଈଶ୍ୱର ନାମରେ ଭଙ୍ଗା ଗଢ଼ା
ଅପେକ୍ଷାରେ ଅଛି ପ୍ରଜାପତିଟିଏ
ପାକଳ କୋକୁନ ଭିତରେ।

—–###—–

ବିଜୟ କୁମାର ଜେନା।

Leave a Reply

Your email address will not be published. Required fields are marked *