ଭୁବନେଶ୍ୱର ଆର.ବି.ଆଇ ରେ ବଦଳା ଯାଉଥିବା ଟଙ୍କା ୨୦୦୦ ନୋଟ୍ ବିଜେପି ଓ ବିଜେଡ଼ିର କି ? କଂଗ୍ରେସ

ଭୁବନେଶ୍ୱର, ତା. ୦୨.୧୧ : ଆଜି ପ୍ରଦେଶ କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ସମ୍ୱୋଧିତ୍ କରି ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ଶ୍ରୀ ରଜନୀ ମହାନ୍ତି କହିଥିଲେ ଯେ, ରାଜ୍ୟ ରାଜଧାନୀର ଛାତି ଉପରେ ଆର.ବି.ଆଇ. କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟ ସାମ୍ନାରେ ୬୦୦ ରୁ ୭୦୦ ଅତ୍ୟନ୍ତ ଗରୀବ ଶ୍ରେଣୀର ଲୋକ ଧାଡ଼ିରେ ପୁଳା ପୁଳା ୨୦୦୦ ଟଙ୍କିଆ ନୋଟ୍ ଧରି ଆର.ବି.ଆଇ ରେ ବଦଳାଇବା ପାଇଁ ଛିଡ଼ା ହୋଇଛନ୍ତି । ସବୁଠାରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଭଳି ଲମ୍ବା ଲାଇନ୍ ଅକ୍ଟୋବର ୧୪ ତାରିଖ ଠାରୁ ଆଜିକୁ ୧୮ ଦିନ ଧରି ଲାଗି ରହିଥିଲେ ମଧ୍ୟ ଭୁବନେଶ୍ୱର ମହାନଗର କମିଶନରେଟର ପୁଲିସ୍ ଅଧିକାରୀ, ୟୁୂଓଡବ୍ଲରୁ ବରିଷ୍ଠ ଅଧିକାରୀ ଏବଂ କେନ୍ଦ୍ର ସରକାରଙ୍କର ପ୍ରବର୍ତନ ନିର୍ଦ୍ଦେଶାଳୟ (ଇ.ଡ଼ି) ସମସ୍ତେ ଦୀର୍ଘଦିନ ଧରି ଚୁପ୍ ହୋଇ ବସିବା ଏବଂ ଗଣମାଧ୍ୟମ ଏହି ଘଟଣାକୁ ବାରମ୍ବାର ଦେଖାଇଲା ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନ ନେଇ ବସି ରହିବା ଅତ୍ୟନ୍ତ ଚିନ୍ତାଜନକ । ପ୍ରକାଶଥାଉକି, ୨୦୧୬ ମସିହା ନଭେମ୍ବର ମାସ ୮ ତାରିଖ ରାତି ୮ ଟାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କଲେ ଯେ ଆଜି ଠାରୁ ଦେଶର ପ୍ରଚଳିତ ୫ ଶହ ଓ ହଜାର ଟଙ୍କା ନୋଟ୍‌କୁ ଅଚଳ ଘୋଷଣା କରାଗଲା । ଏହି ବିମୁଦ୍ରୀକରଣ ଘୋଷଣା ଯୋଗୁଁ ଦେଶର ଅଣସଂଗଠିତ ଅର୍ଥନୀତି, ଅଣୁ, କ୍ଷୁଦ୍ର, ମଧ୍ୟମ ଧରଣ ଶିଳ୍ପ ଓ ଶ୍ରମଜୀବି ଏପରିକି ଭାରତ ବର୍ଷର ଅର୍ଥନୀତି ବହୁମାତ୍ରାରେ ପ୍ରଭାବିତ ହେଲା । ବିମୁଦ୍ରୀକରଣ ଘୋଷଣା କରିବାର ମୁଖ୍ୟକାରଣ ଗୁଡ଼ିକ ଥିଲା କଳାଧନକୁ ବିଲୁପ୍ତ କରିବା, ଦେଶର ନଗରବିହନ କାରବାରକୁ ବୃଦ୍ଧି କରିବା ଏବଂ ଆତଙ୍କବାଦ ଓ ବିଦ୍ରୋହକୁ ଦମନ କରିବା । କିନ୍ତୁ ପ୍ରକୃତରେ ବିମୁଦ୍ରିକରଣ ଯୋଗୁଁ କୌଣସି ଗୋଟିଏ କାରଣ ସମାଧାନ ପରିବର୍ତେ ଦେଶର ଅର୍ଥନୀତି ତଳିତଳାନ୍ତ ହେଲା । ଲକ୍ଷ ଲକ୍ଷ ଲୋକ ନିଜର ରୋଜଗାର ହରାଇଲେ । ଅଣସଂଗଠିତ କ୍ଷେତ୍ର ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଧରଣ ଶିଳ୍ପ ସଂପୂର୍ଣ୍ଣ ଧ୍ୱସ୍ତବିଧୋସ୍ତ ହେଲା । ସବୁଠାରୁ ଆଶ୍ଚର୍ଯ୍ୟକଥା ହଜାର ଟଙ୍କିଆ ନୋଟକୁ ବନ୍ଦ କରିବାକୁ ଯାଇ କେନ୍ଦ୍ର ସରକାର ୨୦୦୦ ଟଙ୍କା ନୋଟ୍ ପ୍ରଚଳନ କଲା । ୨୦୧୬ ମସିହା ରୁ ୨୦୧୯ ମସିହା ମଇ ମାସ ମଧ୍ୟରେ ସମୁଦାୟ ୩ ଲକ୍ଷ ୫୬ ହଜାର ମୂଲ୍ୟର ୨୦୦୦ ଟଙ୍କିଆ ନୋଟ ପ୍ରଚଳନ କରାଯାଇଥିଲା । ପୁନଃର୍ବାର ୨୦୨୩ ମସିହା ମଇ ମାସରେ କେନ୍ଦ୍ର ସରକାର ୨୦୦୦ ଟଙ୍କା ନୋଟ୍ ପ୍ରଚଳନକୁ ବନ୍ଦ କରିବା ପାଇଁ ଆଉ ଏକ ବିମୁଦ୍ରକରଣ ଘୋଷଣା କଲେ । ସରକାର ମଇ ମାସ ପାଖରୁ ଅକ୍ଟୋବର ମାସ ୭ ତାରିଖ ପର୍ଯ୍ୟନ୍ତ ଜନସାଧାଣମାନଙ୍କୁ ବିଭିନ୍ନ ବ୍ୟାଙ୍କରେ ଏହି ଟଙ୍କାକୁ ବଦଳାଇବା ପାଇଁ ସମୟ ଦେଲେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟ କଥା ଦୀର୍ଘ ଏତେଦିନ ସମୟ ପରେ ଭୁବନେଶ୍ୱରରେ କେଉଁ ବ୍ୟବସାୟୀମାନଙ୍କ ଠାରେ ଏତେ କୋଟି କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ ଠୁଳ ହୋଇ ରହିଥିଲା ତାହାକୁ ସେ ୭ ମାସ ମଧ୍ୟରେ ବଦଳାଇ ପାରିଲେ ନାହିଁ କାହିଁକି? ଆର.ବି.ଆଇ.ର ତଥ୍ୟ ଅନୁସାରେ ପ୍ରଚଳିତ ଦୁଇ ହଜାର ଟଙ୍କିଆ ନୋଟ୍ ମଧ୍ୟରୁ ୯୭ ପ୍ରତିଶତ ନୋଟ୍ ବ୍ୟାଙ୍କକୁ ଫେରିଆସିଛି । ଯେଉଁ ୩ ପ୍ରତିଶତ ୨ ହଜାର ଟଙ୍କିଆ ନୋଟ୍ ବଜାରରେ ଗଚ୍ଛିତ ହୋଇ ରହିଛି ତାହାର ମୂଲ୍ୟ ୧୦ ହଜାର କୋଟି ଟଙ୍କା । କେନ୍ଦ୍ର ସରକାର ୭ ମାସ ପରେ ପୁଣି ସାରା ଭାରତ ବର୍ଷରେ ୧୯ ଟି ଆର.ବି.ଆଇ. ମାଧ୍ୟମରେ ୨ ହଜାର ଟଙ୍କା ନୋଟ୍‌କୁ ବଦଳାଇବା ପାଇଁ ପୁନଃର୍ବାର ସୁଯୋଗ ଦେଇଛନ୍ତି । ବିମୁଦ୍ରିକରଣ ସମୟରେ ଗୋଟିଏ ଦିନ ବି ଜନସାଧାରଣଙ୍କୁ ଦିଆଯାଇନଥିଲା । କିନ୍ତୁ ୭ ମାସ ପରେ ଏ ଟଙ୍କାକୁ ବଦଳାଇ ନ ପାରିବା ଏବଂ ଅକ୍ଟୋବର ୧୪ ପାଖରୁ ଜରି ଗୋଟାଳୀ, ଗରୀବ ଖଟିକିଆ ମଜୁରିଆଙ୍କୁ ୨୦୦ ରୁ ୩୦୦ ଟଙ୍କା ଦେଇ ପ୍ରତିଦିନ ୩ ରୁ ୪ କୋଟି ଟଙ୍କା ଆର.ବି.ଆଇ.ରେ କିଏ ସେ ପ୍ରଭାବଶାଳୀ ବ୍ୟକ୍ତିମାନେ ବଦଳାଉଛନ୍ତି । ଧାଡ଼ିରେ ଛିଡ଼ା ହୋଇଥିବା ଲୋକମାନେ ଏ ଟଙ୍କା ତାଙ୍କର ନୁହଁ ବୋଲି କହି ସାରିଲା ପରେ କାହିଁକି କାହା ସ୍ୱାର୍ଥ ସାଧନ ଉଦ୍ଦେଶ୍ୟରେ ଏ ଟଙ୍କା ବଦଳାଇବାରେ ସୁଯୋଗ ଦିଆଯାଉଛି ବୋଲି ପ୍ରଦେଶ କଂଗ୍ରେସ ପ୍ରଶ୍ନ କରୁଛି? ଏହା କ’ଣ ବିଜେପି ଓ ବିଜେଡ଼ି ଦଳର ବରିଷ୍ଠ ନେତୃବର୍ଗଙ୍କ ଟଙ୍କା କି ? ଯେଉଁଥିପାଇଁ ରାଜ୍ୟର ପୁଲିସ୍ ବିଭାଗ ଅଧିକାରୀମାନେ ଚୁପ୍‌, ୟୁଓଡବ୍ଲୁ ଚୁପ୍ ଓ ଇଡ଼ି ମଧ୍ୟ ଚୁପ୍ । ଏବେ କଳାଧନ କିଏ ମହଜୁଦ୍ କରି ରଖିଥିଲା । ରାଜ୍ୟବାସୀଙ୍କୁ ଏ କଥା ଆଉ ଅଛପା ନାହିଁ । ନିର୍ବାଚନ ପୂର୍ବରୁ ସାରା ଭାରତ ବର୍ଷରେ ଏ ଟଙ୍କାକୁ ବଦଳାଇବା ପାଇଁ ଯେଉଁ ଅଭିନବ ଉପାୟ ଚାଲିଛି, ଏଥିରୁ ସ୍ପଷ୍ଟଭାବେ ବୁଝାପଡ଼ୁଛି ବିଜେପି ଦଳର ନେତୃବୃନ୍ଦଙ୍କ ସଂପୃକ୍ତି ବିନା ଏହା ସମ୍ଭବ ହେବ ନାହିଁ । କଂଗ୍ରେସ ଦଳର ଦାବୀ ଯେଉଁ ଲୋକମାନେ ଲାଇନ୍‌ରେ ଛିଡ଼ା ହୋଇଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ଏବଂ ଯେଉଁ ବ୍ୟକ୍ତି ବା ନେତୃବର୍ଗ ଏ ପରଦା ପଛରେ ଏ କଳାଧନକୁ ଧଳାଧନ କରିବା ପାଇଁ ଏ କାର୍ଯ୍ୟ କରୁଛନ୍ତି ତାଙ୍କୁ ଆଇନର ପରିଧି ଭିତରକୁ ଅଣାଯାଉ । ଇଡ଼ି କେବଳ ବିରୋଧିଦଳର ନେତୃବର୍ଗଙ୍କ ପାଇଁ ଅଛି କି ? ନା ସମସ୍ତ ଅର୍ଥନୈତିକ ଅପରାଧିମାନଙ୍କୁ ଧରିବା ପାଇଁ? ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଶ୍ରୀମତୀ ରଶ୍ମି ମହାପାତ୍ର ଏବଂ ଶ୍ରୀ କୃଷ୍ଣଚନ୍ଦ୍ର ପତି ଉପସ୍ଥିତ ଥିଲେ।

You May Also Like

More From Author

+ There are no comments

Add yours