‘ଅପରେସନ୍ ଅଜୟ’ରେ ଇସ୍ରାଏଲରୁ ଫେରିଲେ ୨୧୨ ଭାରତୀୟ

ଇସ୍ରାଏଲରୁ ଫେରିଲେ ଭାରତୀୟ । ଅପରେସନ ଅଜୟରେ ପ୍ରଥମ ପର୍ଯ୍ୟାୟରେ ୨୧୨ ଜଣ ଭାରତୀୟଙ୍କୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଛି । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ସ୍ବାଗତ କରାଯାଇଛି । ଗତକାଲି ରାତିରେ ଭାରତୀୟଙ୍କୁ ନେଇ ତେଲ ଅବିବରୁ ସ୍ବତନ୍ତ୍ର ବିମାନ ବାହାରିଥିଲା । ବୁଧବାର ଠାରୁ ଅପରେସନ୍ ଅଜୟ ଆରମ୍ଭ ହୋଇଥିବାବେଳେ ଆଜି ପ୍ରଥମ ବ୍ୟାଚ ଭାରତରେ ପହଞ୍ଚିଛନ୍ତି । ଅପରେସନ ଅଜୟରେ ସ୍ପେଶାଲ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଉଛି । ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ସହାୟତା ଲାଗି ୨୪ ଘଣ୍ଟା ହେଲ୍ପ ଲାଇନ୍ ନମ୍ବର ଓ ଇମେଲ୍ ଆଇଡି ଜାରି କରିଛି । ସେପଟେ ପରସ୍ପରର ବିଧ୍ବଂସୀ ମିସାଇଲ ମାଡ଼ରେ ଛାରଖାର ହେଉଛି ଉସ୍ରାଏଲ ଓ ଗାଜା । ରାସ୍ତାରେ ବୋହୁଛି ରକ୍ତର ନଦୀ । ମୃତ୍ୟୁ ମୁହଁରେ ଥିବା ମଣିଷର ଆର୍ତ୍ତ ଚିତ୍କାରରେ କମ୍ପି ଉଠୁଛି ପରିବେଶ । ଲହୁ ଲୁହ ପୋଛି ନିଜ ଭାଗ୍ୟକୁ ନିନ୍ଦୁଛନ୍ତି ଉଭୟ ଦେଶବାସୀ । ଏଭଳି ଦୁଃଖଦ ସମୟରେ ଯୁଦ୍ଧଭୂଇଁରୁ ଆସୁଛି ବିଭୀଷିକାର ଭୟଙ୍କର ଚିତ୍ର । ଏବେ ଗାଜା ଷ୍ଟ୍ରିପରେ ଖାଲି ନାହିଁ ଶବ ସଂରକ୍ଷଣ ଗୃହର କୋଠରୀ । ଆକ୍ରମଣକୁ ଆହୁରି ତୀବ୍ର କରିଛି ଇସ୍ରାଏଲ । ଗାଜା ଅଞ୍ଚଳକୁ ଇସ୍ରାଏଲ ପାଣି, ବିଜୁଳି, ଜାଳେଣି ଯୋଗାଣ ବନ୍ଦ କରିଦେଇଛି । ଇସ୍ରାଏଲ ବାୟୁସେନାର ୬ ହଜାର ବୋମା ଆକ୍ରମଣରେ ଗାଜା ଅଞ୍ଚଳ ଧ୍ବଂସ ସ୍ତୁପରେ ପରିଣତ ହୋଇଛି । ହମାସ ଆତଙ୍କବାଦୀ ମାନେ ମଧ୍ୟ ରକେଟ ଆକ୍ରମଣ ଜାରି ରଖିଛନ୍ତି । ହମାସ ମୂଳପୋଛ ପର୍ଯ୍ୟନ୍ତ ଆକ୍ରମଣ ଚାଲିବ ବୋଲି ଇସ୍ରାଏଲ କହିଛି । ହମାସ ପଣବନ୍ଦୀ କରିଥିବା ଇସ୍ରାଏଲୀ ନାଗରିକକୁ ନଛାଡ଼ିବା ପର୍ଯ୍ୟନ୍ତ ଗାଜାକୁ କୌଣସି ମାନବିକ ସହାୟତା ଯୋଗାଇ ଦିଆଯିବ ନାହିଁ ବୋଲି ଚେତାଇ ଦେଇଛି ଇସ୍ରାଏଲ ।

You May Also Like

More From Author

+ There are no comments

Add yours