Wed. Oct 14th, 2026


ପୁରୀ : ପ୍ରତିଟି ପରିବାର ସଦସ୍ୟ ମାନଙ୍କ ମଧ୍ୟରେ ସ୍ନେହ, ଶାନ୍ତି ଓ ବୁଝାମଣା ରହିବା ସହ ପରିବାରରେ ମହିଳାଟିଏ ଯେପରି ସମ୍ମାନ ପାଇପାରିବ ସେଥିପାଇଁ ମହିଳା କମିଶନ ସର୍ବଦା ଚେଷ୍ଟିତ ବୋଲି କହିଛନ୍ତି ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ଡଃ ମିନତୀ ବେହେରା। ଆଜି ପୂର୍ବାହ୍ନରେ ସଂସ୍କୃତି ଭବନ ଠାରେ ରାଜ୍ୟ ମହିଳା ଆୟୋଗଙ୍କ ଆୟୋଜନରେ ଓ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସହଯୋଗ ରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଅଧ୍ୟକ୍ଷ କହିଥିଲେ, ଉଭୟ ମହିଳା ଓ ପୁରୁଷ ସମାଜ ମୁଦ୍ରା ର ଦୁଇଟି ପାର୍ଶ୍ଵ । ପ୍ରାଚୀନ ଭାରତରେ ନାରୀ ଏକ ମହନୀୟ ସ୍ଥାନର ଅଧିକାରୀ ଥିଲା । ସମ୍ବିଧାନରେ ଉଭୟ ମହିଳା ଓ ପୁରୁଷଙ୍କୁ ସମାନ ଅଧିକାର ଦେଇଥିଲେ ମଧ୍ୟ ନାରୀ କେତେ ସ୍ଥାନରେ ଅବହେଳା ର ଶିକାର ହେଉଛି । ପ୍ରତି ଜିଲ୍ଲାରେ ମହିଳା ମାନଙ୍କ ପାଇଁ ସୁରକ୍ଷା ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି ।ଏହା ସହ ମହିଳା କମିଶନ ରାଜ୍ୟ, ଜିଲ୍ଲା, ବ୍ଲକ ସ୍ତରରେ ସଚେତନତା ଶିବିର ମାଧ୍ୟମରେ ମହିଳା ମାନଙ୍କ ପାଇଁ ଆଇନ ରେ ଥିବା ଅଧିକାର, ଦାୟିତ୍ୱ, କର୍ତ୍ତବ୍ୟ ଓ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଉଛି ବୋଲି ସେ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପାରିବାରିକ ସଂହତି ଓ ସଦଭାବନା ବଜାୟ ରଖି ମହିଳା ମାନଙ୍କୁ ପରିବାର ଓ ସମାଜ ରେ ଉପଯୁକ୍ତ ସମ୍ମାନ ପ୍ରଦାନ ରେ ଆୟୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ଜିଲ୍ଲା ସ୍ତରରେ ମଧ୍ୟ ଅନୁରୂପ ସହଯୋଗ ଯୋଗାଇ ଦିଆଯାଉଛି ବୋଲି କହିଥିଲେ। ଅତିରିକ୍ତ ଏସ ପି ବିଷ୍ଣୁ ଚରଣ ପତି ଜିଲ୍ଲାର ଥାନା ମାନଙ୍କରେ ମହିଳା ଓ ଶିଶୁ ଡେସ୍କ ମାଧ୍ୟମରେ ସହଯୋଗ ଯୋଗାଇ ଦିଆଯାଉଛି ବୋଲି କହିବା ସହ ଏହି ଭଳି ଶିବିର ଜିଲ୍ଲା ସ୍ତରରେ ଆୟୋଜନ ଦ୍ଵାରା ଅଧିକ ସଚେତନତା ରେ ସହାୟକ ହେଉଛି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆୟୋଗର ସଦସ୍ୟ ସଚିବ ବିଥିକା ସ୍ୱାଇଁ, ସଦସ୍ୟ ସ୍ୱାଗତିକା ମହାନ୍ତି, ବିଜୟା ବରୁହା, ପରାମର୍ଶ ଦାତା ଡ଼ଃ ଏନ୍ ଟୁନା ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ସମସ୍ତ ଙ୍କୁ ସ୍ୱାଗତ, ଅତିଥି ପରିଚୟ ଓ ଶିବିରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ହୋତା ଧନ୍ୟବାଦ ଦେଇଥିଲେ। ସମାଜ କଲ୍ୟାଣ ବିଭାଗ ର ଅନ୍ୟାନ୍ୟ କର୍ମଚାରୀ ମାନେ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବିଭାଗ ଓ ସ୍ୱେଚ୍ଛାସେବୀ ସଂଗଠନ ର ମହିଳା ଅଧିକାରୀ କର୍ମଚାରୀ ମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ। ।

Leave a Reply

Your email address will not be published. Required fields are marked *