Wed. Oct 14th, 2026
ଆଜି ଭାଦ୍ରବ ମାସ କୃଷ୍ଣ ପକ୍ଷ ଦଶମୀ ତିଥିରେ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ବଣଭୋଜି ବେଶ ଅନୁଷ୍ଠିତ ହେବ । ହାତରେ ବାଡି ଆଉ ଶିକାରେ ଲହୁଣୀ ଧରି ବେଶ ହୋଇଥାନ୍ତି କଳା ଗୋରା ଦୁଇ ଠାକୁର । ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ରାୟା ରାମାନନ୍ଦ ଓ ଶ୍ରୀ ଚୈତନ୍ୟଙ୍କ ସମୟରୁ ଏହି ବେଶ ଏବଂ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପ୍ରଚଳିତ ହୋଇ ଆସୁଥିବା ବିଶ୍ୱାସ କରାଯାଉଛି । ଆଜି ମଧ୍ୟାହ୍ନ ଧୂପ ପରେ ବଣଭୋଜି ବେଶ ସଜ ପାଇଁ ଶ୍ରୀମନ୍ଦିରରେ ବେଶରେ ବଡଠାକୁର ଏବଂ ଶ୍ରୀଜଗନ୍ନାଥଙ୍କୁ ଦୁଇଟି ଅଜ୍ଞାମାଳ ଲାଗି ହୋଇଥାଏ । ମଧ୍ୟାହ୍ନ ଧୂପ ବଢ଼ିବା ପରେ ବଡଠାକୁର ଏବଂ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳକୁ ଦକ୍ଷିଣ ଘରକୁ ବିଜେ କରାଯାଇଥାଏ ।ସଂଧ୍ୟା ସୁଦ୍ଧା ଏହି ଧୂପ ସରି ଦକ୍ଷିଣ ଘରେ ରାମ ଓ କୃଷ୍ଣଙ୍କୁ ଏହି ଦୁଇଟି ଆଜ୍ଞାମାଳ ଲାଗି ହୋଇଥାଏ । ରାମକୃଷ୍ଣ ଏହି ଆଜ୍ଞାମାଳ ପାଇବା ପରେ ବଟଦ୍ଵାର ପାଖରେ ଥିବା ପାଲଙ୍କିରେ ଅଧିଷ୍ଠିତ ହୋଇଥାନ୍ତି । ଏହି ପାଲଙ୍କି ବିଜେ ଠାକୁରଙ୍କୁ ବିମାନ ବଡୁ ସେବକମାନେ ଘଣ୍ଟଛତା, କାହାଳୀ ସହ ପଟୁଆରରେ ନେଇ ଶ୍ରୀମନ୍ଦିର ସିଂହଦ୍ଵାର ପାର୍ଶ୍ୱ ବଡଛତା ମଠ ସମ୍ମୁଖରେ ସଜା ଯାଇଥିବା କାଠ ସିଂହାସନରେ ବିଜେ କରାଇଥାନ୍ତି । ଏହିଠାରେ ଶ୍ରୀଜୀଉଙ୍କ କୋଳିବିକା ନୀତି ହୋଇଥାଏ ।

         କୋଳିବିକା ନୀତି ସରିବା ପରେ ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ବଣଭୋଜି ବେଶରେ ଭୂଷିତ କରିଥାନ୍ତି । ଏହି ବେଶର ବିଭିନ୍ନ ସ୍ବର୍ଣ୍ଣ ଅଳଙ୍କାର ଲାଗି ହୋଇଥାଏ । ଶ୍ରୀବିଗ୍ରହଙ୍କୁ ସୋଲ, ବେତ, କନା, ଜରିରେ ନିର୍ମିତ ସ୍ୱର୍ଣ କିଆ ଶ୍ରୀମସ୍ତକ ଚୂଳରେ ଖୋସା ଯାଇଥାଏ । ଏହି ବେଶରେ ରତ୍ନସିଂହାସନ ଉପରେ ଦୁଇଟି ଲେଖାଏଁ ଗାଈ ବାଛୁରୀ (କାଷ୍ଠ ନିର୍ମିତ) ଦଣ୍ଡାୟମାନ ରହିଥାନ୍ତି। ଏହି ବେଶ ପୁଷ୍ପାଳକ, ଭଣ୍ଡାର ମେକାପ ଓ ଖୁଣ୍ଟିଆ ଆଦି ସେବକଙ୍କ ଦ୍ଵାରା ସମ୍ପନ୍ନ ହୋଇଥାଏ ।ବଡ଼ ଠାକୁର ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀହସ୍ତର ଗୋଟିଏ ପାଖରେ ଚାରି ଫୁଟ ଲମ୍ବାର କନା ଓ ଜରିରେ ନିର୍ମିତ ଶିକା ତଳ ଭାଗରେ ଥିବା ରୂପା ପିଙ୍ଗଣରେ ‘ସର ଏବଂ ଅନ୍ୟ ହସ୍ତରେ ଏକ ବାଡ଼ି ଧରିଥାନ୍ତି । ଶ୍ରୀମନ୍ଦିର ମହାଭୋଇ (ଗଉଡ଼) ସେବକମାନେ ପରମ୍ପରା ମୁତାବକ ଏହି ସର ଯୋଗାଇଥାନ୍ତି । ବେଶରେ ଠାକୁରମାନେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଖୁଆପେଡାର ମାଳି ଧାରଣ କରିବା ଶ୍ରୀମନ୍ଦିରର ଏକ ନିଆରା ପରମ୍ପରା ରହିଛି । ପାଟ ଯୋଶୀ ମହାପାତ୍ର ଘରୁ ଏହି ଖୁଆ ପେଡା ଯୋଗାଇ ଦିଆଯାଇଥାଏ ।

      ପୂରାଣ ଏବଂ ପରମ୍ପରା ମୁତାବକ ଶ୍ରୀକୃଷ୍ଣ ବଳରାମଙ୍କ ବାଲ୍ୟଲୀଳାରେ ଗାଈ ବାଛୁରୀ ନେଇ ବନଭୋଜିକୁ ଯିବା ଘଟଣା ଆଧାରରେ ଶ୍ରୀମନ୍ଦିରରେ ଏହି ବଣଭୋଜି ବେଶ ପାଳନ ହେଉଥିବାର ଲୋକ ବିଶ୍ୱାସ ରହିଛି । ଏହି ବେଶରେ ବିଶେଷ କରି ଶ୍ରୀଜୀଉମାନେ ବଣଭୋଜି ଉଦେଶ୍ୟରେ ଗମନ କରୁଥିବାର ଦୃଶ୍ୟ ଏଥିରେ ପ୍ରକଟିତ ହୋଇଥାଏ । ଏହି ଦିନ ପୁରୀ ସାହି ପରମ୍ପରାରେ ମଧ୍ୟ ବାଲିସାହି ଯାଗା ଆଖଡାର ବକାସୁର ବାହାରି ନଗର ପରିକ୍ରମା କରି ଶ୍ରୀମନ୍ଦିରକୁ ପରିଦର୍ଶନ କରିବା ପରେ ସେଠାରେ ବକାସୁର ବଧ ଓ ଅର୍ଘାସୁର ବଧ ନୀତି ହେବାର ପରମ୍ପରା ମଧ୍ୟ ଆଜି ହୋଇଥାଏ ।

     ଶ୍ରୀଜୀଉମାନଙ୍କୁ ବଣଭୋଜି ବେଶରେ ଲାଗି ହେଉଥିବା ସ୍ୱର୍ଣ୍ଣ ଅଳଙ୍କାରମାନ ହେଉଛି : ୧. ସ୍ୱର୍ଣ୍ଣ କିରୀଟି (ସୁଭଦ୍ରା)ଙ୍କୁ, ୨. ୪ଟି ସ୍ୱର୍ଣ୍ଣ ଶ୍ରୀଭୁଜ (ଜଗନ୍ନାଥ ଓ ବଳଭଦ୍ର) ଙ୍କୁ, ୩. ୪ଟି ସ୍ୱର୍ଣ୍ଣ ଶ୍ରୀପୟର ୪ (ଜଗନ୍ନାଥ ଓ ବଳଭଦ୍ର) ଙ୍କୁ, ୪. ସ୍ୱର୍ଣ୍ଣ କର୍ଣ୍ଣକୁଣ୍ଡଳ ୨ଟି (ସୁଭଦ୍ରା) ଙ୍କୁ, ୫. ସ୍ୱର୍ଣ୍ଣ କିଆ, ୬. ୩ଟି ସେବତୀ ମାଳି, ୭. ହରିଡ଼ା କଦମ୍ବ ମାଳି, ୯. ୩ଟି କଦମ୍ବ ମାଳି, ୧୦. ବାଘନଖି ମାଳି, ୧୧. ତାବିଜ ମାଳି, ୧୨. ୪ଟି ଶ୍ରୀମୁଖ ପଦ୍ମ, ୧୩. ୨ଟି ବାହାଡ଼ା ମାଳି, ୧୪. ଅଳକା – ୩ଟି, ୧୫. ତିଳକ- ୨ଟି, ୧୬. ଚନ୍ଦ୍ରିକା – ୨ଟି, ୧୭. ଓଡ଼ିଆଣୀ – ୩ଟି, ୧୮. ଘାଗଡ଼ା ମାଳି – ୩ଟି, ୧୯. ଅଣ୍ଟା ପଟି – ୩ଟି, ୨୦. ଝୋବା, ୨୧. ଆଡକାନି, ୨୨. ତଡ଼ଗି, ୨୩. ଚନ୍ଦ୍ର ସୂର୍ଯ୍ୟ ।

Leave a Reply

Your email address will not be published. Required fields are marked *