Thu. Oct 15th, 2026

ବୌଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ଠାରେ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ । ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ପାଇଁ ପରମ୍ପରା ଅନୁସାରେ ବୌଦ୍ଧର ଅଧିଷ୍ଠାତ୍ରୀ ଦେବୀ ମା’ ଭୈରବୀଙ୍କ ନବାନ୍ନ ଲଗ୍ନ ଧାର୍ଯ୍ୟ କରାଯାଇଛି । ସେପ୍ଟେମ୍ବର ମାସ ୨୦ ତାରିଖ ବୁଧବାର ଦିନ ଭାଦ୍ରବ ଶୁକ୍ଳ ପକ୍ଷ ପଂଚମୀ ସକାଳ ୮ ଟା ୦୩ ମିନିଟ ରୁ ୮ ଟା ୧୭ ମିନିଟ ମଧ୍ୟେ ଅଧିଷ୍ଠାତ୍ରୀ ଦେବୀ ମା ଭୈରବୀଙ୍କ ଠାରେ ନବାନ୍ନ ଭୋଗ ଲାଗିବ । ପଣ୍ଡିତ ମାନଙ୍କ ମଧ୍ୟରେ ଆଲୋଚନା କରାଯାଇ ଲଗ୍ନ ଧାର୍ଯ୍ୟ ସଂପର୍କିତ ମତାମତ ନିଆଯିବା ପରେ ସର୍ବସମ୍ମତି କ୍ରମେ ଲଗ୍ନ ଧାର୍ଯ୍ୟ କରାଯାଇଥିବା ନେଇ ପଣ୍ଡିତ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଥିଲେ । ମାଁ ଭୈରବୀଙ୍କ ପୀଠରେ ପ୍ରଥମେ ନବାନ୍ନ ଲାଗି ହେବା ପରେ ଅନ୍ୟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ ହେବ, ତାପରେ ଲୋକେ ନିଜ ନିଜ ଇଷ୍ଟ ଦେବାଦେବୀଙ୍କ ଠାରେ ନବାନ୍ନ ଅର୍ପଣ କରି ନିଜେ ନବାନ୍ନ ଗ୍ରହଣ କରିବେ ବୋଲି ମୁଖ୍ୟ ପୂଜକ ଗୌରୀ ଶଙ୍କର ବଡମାଳୀ ପ୍ରକାଶ କରିଛନ୍ତି । ପରମ୍ପରା ପ୍ରକାରେ ମା’ ଭୈରବୀଙ୍କ ନିକଟରେ ନବାନ୍ନ ଲାଗି କରାଯିବା ପରେ ମା ଭୈରବୀଙ୍କ ପୀଠରେ ଭକ୍ତମାନଙ୍କୁ ନବାନ୍ନ ଭୋଗ ବିତରଣ କରାଯିବ । ଏହି ଅବସରରେ ବ୍ରାହ୍ମଣ ସମାଜର ସଭାପତି ଗୁରୁପ୍ରସାଦ ଦାସ, ସଂପାଦକ ଦେବାଶିଷ ପୁରୋହିତ, ପଣ୍ଡିତ ପ୍ରଦ୍ୟୁମ୍ନ କୁମାର ମିଶ୍ର, ସିଦ୍ଦେଶ୍ୱର ଯୋଶୀ , ପୂଜକ ହରିହର ବଡମାଳି, ତରଣୀ ବଡମାଳି, ବିଜୟ ମିଶ୍ର, ଶମ୍ଭୁ ପ୍ରସାଦ ମହାକୁଳ, ସଂପଦ ଅଗ୍ରୱାଲା, ସଞ୍ଜୟ ଶଙ୍କର ପୁରୋହିତ, ଅମର ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *