ଶବ୍ଦ ଓଡିଶା ବ୍ୟୁରୋ: ଯାନିଯାତ୍ରା ଆଳରେ ଖୁଲମଖୁଲା ଚାଲିଛି ଜୁଆ ଖେଳ । ହଜାର ହଜାର ଲୋକଙ୍କ ଭିଡ଼ରେ ଖୋଲା ଖୋଲି ଖେଳିଯାଇଛି ଘୁଡ଼ୁଘୁଡି ପଟି । ୫୦ ମାରିଲେ ୫୦୦ ତ କିଏ ୫ ହଜାର ମାରି ହାରି ଯାଇ ମୁଣ୍ଡରେ ହାତ ଦେଇ ଘରକୁ ଫେରୁଛି । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାଠାରେ ଚାଲିଥିବା ୧୧୭ ବର୍ଷ ପୁରୁଣା ପ୍ରସିଦ୍ଧ ଝୁଳଣ ଯାତ୍ରାରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଏହି ଯାତ୍ରାରେ ପୋଲିସର ନାକ ତଳେ ଚାଲିଛି ଘୁଡଘୁଡି ପଟି ଖେଳ। ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ବେଆଇନ୍ ଜୁଆ ଖେଳ ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ପୋଲିସର ନାକ ତଳେ ହେଉଥିବା ଏହି ଜୁଆ ଖେଳକୁ ପୋଲିସ ଦଲାଲ ସାଜି ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି ।
ଦୀର୍ଘ ୧୧୭ ବର୍ଷ ଧରି ରାଧାକୃଷ୍ଣ ମହାପ୍ରଭୁଙ୍କ ଝୁଲଣ ଯାତ୍ରା ଆୟୋଜିତ ହୋଇ ଆସୁଛି ସୁବଳୟା ଠାରେ । ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତିକୁ ଗାଁର ସାହି ସାହିରେ ବୁଲାଯାଇଥିବାବେଳେ ସନ୍ଧ୍ୟା ସମୟରେ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ହେଲେ ଚଳିତ ବର୍ଷ ଆୟୋଜକମାନେ କିଛି ଟଙ୍କା ଲୋଭରେ ବେଆଇନ୍ ଭାବେ ଜୁଆ ଖେଳ କରୁଥିବା ଅଭିଯୋଗ ହୋଇଛି। ତେବେ ଏହି ବେଆଇନ୍ କାର୍ଯ୍ୟରେ ଦଲାଲ ସାଜିଛି ପୋଲିସ । ନିଜ ପକେଟ୍ ଗରମ କରିବା ପାଇଁ ବେଆଇନ୍ କାର୍ଯ୍ୟକଳାପକୁ ପୋଲିସ ପ୍ରୋତ୍ସାହିତ କରୁଥିବା ଅଭିଯୋଗ ହୋଇଛି । ଏନେଇ ବୀରମହାରାଜପୁର ଏସଡିପିଓ ଘଟଣାକୁ ଜାଣି ନଜାଣିଲା ପରି ପ୍ରତିକ୍ରିୟା ଦେଇଛନ୍ତି ।
