Wed. Oct 14th, 2026

ଶବ୍ଦ ଓଡିଶା ବ୍ୟୁରୋ : ଓଡ଼ିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମା’ ତାରିଣୀ ହେଲପିଂ ହ୍ୟାଣ୍ଡସ ତରଫରୁ ବାସଗୃହ ପ୍ରଦାନ କରାଯାଇଛି | ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ବାଲିତୁଠ ପଞ୍ଚାୟତ ବିଜିପୁର ଗ୍ରାମର ଅସହାୟ ଏବଂ ବାସହୀନ ବିଜୟ ପରିବାରକୁ ବାସଗୃହ ପ୍ରଦାନ କରାଯାଇଛି |

ବିଜୟ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକ । ପରିବାରରେ ସ୍ତ୍ରୀ ଏବଂ ଦୁଇ ଛୋଟ ଝିଅ । ରାଜମିସ୍ତ୍ରୀ କାମ କରି ସେ ପରିବାର ପ୍ରତିପୋଷଣ କରୁଥିଲେ । ବ୍ରେନ୍ ଷ୍ଟ୍ରୋକରେ ଆଘାତ ହୋଇ ଏବେ ୮ ମାସରୁ ଅଧିକ ସମୟ ହେବ ଶଯ୍ୟାଶାୟୀ। ଘର କହିଲେ ଫଟା ଜରି ପାଲର ଘର । ଅତି ଦୟନୀୟ ଜୀବନ ବିତାଉଥିଲେ ପୂରା ପରିବାର |

ବିଭିନ୍ନ ଗଣମାଧ୍ୟମରୁ ଏହି ଦୟନୀୟ ଖବର ପାଇ ମା ତାରିଣୀ ହେଲପିଂ ହ୍ୟାଣ୍ଡସର ସଭାପତି ସମାଜସେବୀ ଇଞ୍ଜିନିୟର ଶଙ୍ଖେଶ୍ଵର ପ୍ରସାଦ ମହାନ୍ତି ଏବଂ ତାଙ୍କ ଟିମ ବିଜୟଙ୍କ ଘରେ ପହଞ୍ଚି ତାଙ୍କୁ ୨ ବଖରା ଘର କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପ୍ରତିଶ୍ରୁତି ରକ୍ଷା କରି ଗତ ସ୍ଵାଧୀନତା ଦିବସରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରି ଆଜି ବିଜୟଙ୍କ ପରିବାରକୁ ଗୃହ ପ୍ରବେଶ କରାଇଛନ୍ତି ।

ବିଜୟଙ୍କ ପରିବାର ଫଟା ଜରି ପାଲ ଘରୁ ସ୍ଵାଧୀନ ହୋଇ ପକା ଘରକୁ ପ୍ରବେଶ କରି ବହୁତ ଆନନ୍ଦିତ। ସଙ୍ଗଠନର ସଭାପତି ଏହି ମହାନ କାର୍ଯ୍ୟ ଲାଗି ସହାୟତା ପ୍ରଦାନ କରିଥିବା ସମସ୍ତ ଦାତାମାନଙ୍କୁ ଏବଂ ଏହି କାର୍ଯ୍ୟକୁ ସୂଚାରୁ ରୁପେ ସମ୍ପାଦନ କରିଥିବା ସମସ୍ତ ସଦସ୍ୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ମା ତାରିଣୀ ହେଲପିଂ ହ୍ୟାଣ୍ଡସର ବଦାନ୍ୟତା ପାଇଁ ବିଜୟ, ତାଙ୍କ ପତ୍ନୀ ଏବଂ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ଅନୁଷ୍ଠାନର ଏହି କାର୍ଯ୍ୟକୁ ଏରସମା ବ୍ଲକରେ ପ୍ରଶଂସା କରାଯାଇଛି |

Leave a Reply

Your email address will not be published. Required fields are marked *