ବେଙ୍ଗାଲୁରୁ : ଚନ୍ଦ୍ରପୃଷ୍ଠରେ ପ୍ରଜ୍ଞାନ ରୋଭର ଚାଲିବା ସମ୍ପର୍କରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଘୋଷଣା କରିଥିଲା । ଆଜି ଅର୍ଥାତ ଶନିବାର ଇସ୍ରୋ ପକ୍ଷରୁ ତାହାର ଏକ ଭିଡିଓ ଜାରି କରାଯାଇଛି । ଭିଡିଓରେ ଦେଖାଯାଉଛି ଯେ ପ୍ରଜ୍ଞାନ ରୋଭର ବିକ୍ରମ୍ ଲାଣ୍ଡରରୁ ବାହାରି ଚନ୍ଦ୍ରପୃଷ୍ଠରେ ଧୀରେ ଧୀରେ ଗଡ଼ୁଛି ଓ ଏହା ସହିତ ଚନ୍ଦ୍ରପୃଷଠରେ ତାହାର ଚକ ଚାଲିବାର ଛାପ ମଧ୍ୟ ସୃଷ୍ଟି ହେଉଛି ।
ଏହି ଭିଡିଓ ଜାରି କରିବା ସହ ଇସ୍ରୋ ପକ୍ଷରୁ ଏକ ଟୁଇଟରେ ଲେଖାଯାଇଛି ଯେ ପ୍ରଜ୍ଞାନ ରୋଭର୍ ଚନ୍ଦ୍ରର ଦକ୍ଷିଣ ମେରୁର ରହସ୍ୟ ଜାଣିବାକୁ ଅଗ୍ରସର ହେଉଛି ।
ଶୁକ୍ରବାର ସଂଧ୍ୟାରେ ଇସ୍ରୋ ପକ୍ଷରୁ ଏ ସମ୍ପର୍କରେ ପ୍ରଥମେ ସୂଚନା ଦିଆଯାଇଥିଲା । ଏକ ଟୁଇଟ୍ କରି କୁହାଯାଇଥିଲା ଯେ ରୋଭର ‘ପ୍ରଜ୍ଞାନ’ ଚନ୍ଦ୍ର ପୃଷ୍ଠରେ ସଫଳତାର ଚାଲିବା ସହ ୮ ମିଟର ଦୂରତା ଅତିକ୍ରମ କରିଛି ଏବଂ ଏହାର ସମସ୍ତ ପେଲୋଡ୍ ଠିକ୍ ଭାବରେ କାର୍ଯ୍ୟ କରୁଛି।
ସୂଚନାଯୋଗ୍ୟ ଯେ, ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଗତ ବୁଧବାର (ଅଗଷ୍ଟ ୨୩) ଚନ୍ଦ୍ରର ଦକ୍ଷିଣ ମେରୁ ନିକଟରେ ସୁରକ୍ଷିତ ଭାବେ ଅବତରଣ କରିଥିଲା । ଏହା ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବାରେ ଭାରତ ବିଶ୍ବର ପ୍ରଥମ ଦେଶରେ ପରିଣତ ହୋଇଛି ।
+ There are no comments
Add yours