ଜହ୍ନରେ ଲ୍ୟାଣ୍ଡିଂ,ଲାଇଭ ଦେଖିବେ ସ୍କୁଲ ପିଲା

ଉତ୍ତର ପ୍ରଦେଶର ସବୁ ସରକାରୀ ସ୍କୁଲରେ ଆସନ୍ତାକାଲି ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ସିଧା ପ୍ରସାରଣ ଦେଖାଯିବ । ଏଥିପାଇଁ ଆସନ୍ତାକାଲି(ବୁଧବାର) ସନ୍ଧ୍ୟାରେ ରାଜ୍ୟର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍କୁଲ ଖୋଲା ରଖିବାକୁ ନିର୍ଦ୍ଦେଶ ହୋଇଛି ।
ସନ୍ଧ୍ୟା ୫ଟା ୧୫ରୁ ୬ଟା ୧୫ ଯାଏଁ ସବୁ ସ୍କୁଲ ଖୋଲା ରହିବ । ପିଲାମାନେ ସ୍କୁଲରେ ବସି ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ଲାଇଭ ଦେଖିବେ । ଏନେଇ ୟୁପି ସ୍କୁଲ ଶିକ୍ଷା ମହାନିର୍ଦ୍ଦେଶକ କିରନ ଆନନ୍ଦଙ୍କ ପକ୍ଷରୁ ସବୁ ଜିଲ୍ଲାର ବେସିକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଏବଂ ପ୍ରଶିକ୍ଷଣ ସଂସ୍ଥାନ ପ୍ରିନ୍ସିପାଲଙ୍କୁ ଏକ ନିର୍ଦ୍ଦେଶାନାମା ଜାରି ହୋଇଛି ।
ଚନ୍ଦ୍ରଯାନ-୩ ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ ପ୍ରସ୍ତୁତ ହେଉଛି । ଭାରତୀୟ ବିଜ୍ଞାନ, ଇଞ୍ଜିନିୟରିଂ, ଟେକ୍ନୋଲୋଜି ପାଇଁ ଏହା ଖୁବ୍ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ଛାତ୍ରଛାତ୍ରୀ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହେବା ଉଚିତ୍ । ସେଥିପାଇଁ ସବୁ ବିଦ୍ୟାଳୟରେ ପିଲାଙ୍କୁ ଚନ୍ଦ୍ରଯାନ-୩ ଲ୍ୟାଣ୍ଡିଂର ଲାଇଭ ପ୍ରସାରଣ ଦେଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ମହାନିର୍ଦ୍ଦେଶକ ଆନନ୍ଦ କହିଛନ୍ତି ଯେ, ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୨୭ରେ ଚନ୍ଦ୍ରଯାନ ଚନ୍ଦ୍ରରେ ଅବତରଣ ପ୍ରକ୍ରିୟାର ସିଧା ପ୍ରସାରଣ ଇସ୍ରୋ ୱେବସାଇଟ୍‌, ଏହାର ୟୁଟ୍ୟୁବ ଚ୍ୟାନେଲ ଓ ଡିଡି ନ୍ୟାସନାଲରେ କରାଯିବ । ସ୍କୁଲରେ ଏହି ପ୍ରସାରଣ ଦେଖାଇବା ପାଇଁ ଶିକ୍ଷକମାନେ ସବୁ ପ୍ରକାର ବ୍ୟବସ୍ଥା କରିବେ ।
ଭାରତର ଚନ୍ଦ୍ରଯାନ-୩ର ଚନ୍ଦ୍ରପୃଷ୍ଠରେ ଅବତରଣ ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି । ଆସନ୍ତାକାଲି ସଫଳ ଲ୍ୟାଣ୍ଡିଂ ପାଇଁ ଆଶା ରହିଛି । ଏହା ସାରା ଦେଶବାସୀଙ୍କ ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ ହେବ । ଯାହା କେବଳ ମନରେ ଜିଜ୍ଞାସା ବଢାଇବନି ବରଂ ଯୁବପିଢିଙ୍କ ମଧ୍ୟରେ ଅନ୍ତରୀକ୍ଷରେ ଅନ୍ବେଷଣ ପାଇଁ ଇଚ୍ଛା ଜାଗ୍ରତ କରିବ । ସମସ୍ତେ ଏହି ଐତିହାସିକ କ୍ଷଣର ସାକ୍ଷୀ ରହିବା ଆବଶ୍ୟକ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରକୁ ସମ୍ବୋଧିତ କରିବେ । ସ୍କୁଲରେ ପିଲାଙ୍କୁ ସିଧା ପ୍ରସାରଣ ଦେଖାଇବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମହାନିର୍ଦ୍ଦେଶକ କହିଛନ୍ତି

You May Also Like

More From Author

+ There are no comments

Add yours